ଗ୍ରାମୀଣ ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ: JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ମାଗଣା କୋଚିଂ କାର୍ଯ୍ୟକ୍ରମ ଆରମ୍ଭ
ପାରାଦୀପ: ଗୋଷ୍ଠୀଗତ ବିକାଶ ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ, JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଏବଂ JSW ଫାଉଣ୍ଡେସନ୍ ପକ୍ଷରୁ ୯ ନଭେମ୍ବର ୨୦୨୬ ତାରିଖରେ ଢିଙ୍କିଆସ୍ଥିତ କପ୍ତେଶ୍ୱର ବିଦ୍ୟାପୀଠଠାରେ ମାଗଣା ହାଇସ୍କୁଲ୍ କୋଚିଂ କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବ ଆୟୋଜିତ ହୋଇଥିଲା। ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ର ସଭାପତି ଅନିଲ କୁମାର ସିଂହଙ୍କ ନେତୃତ୍ୱରେ ଏହି ପଦକ୍ଷେପ ଆଖପାଖ ଅଞ୍ଚଳର ଶିଶୁ ଓ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ସୁଯୋଗ ବୃଦ୍ଧି କରିବା ସହ ସମାବେଶୀ ବିକାଶ ପ୍ରତି ଉଭୟ ସଂସ୍ଥାର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମ ଅଧୀନରେ ତିନୋଟି ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ଓ କୋଚିଂ ପ୍ରଦାନ କରାଯିବ। ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ବିଷୟଭିତ୍ତିକ ଶିକ୍ଷାଦାନ ଓ ମାର୍ଗଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ମୂଳଦୁଆକୁ ସୁଦୃଢ଼ କରିବା, ବିଭିନ୍ନ ବିଷୟରେ ଜ୍ଞାନ ବୃଦ୍ଧି କରିବା ଏବଂ ବିଦ୍ୟାଳୟ ଓ ବୋର୍ଡ ପରୀକ୍ଷା ପାଇଁ ଅଧିକ ଭଲ ଭାବେ ପ୍ରସ୍ତୁତ ହେବାର ସୁଯୋଗ ପାଇବେ। ଏହି କାର୍ଯ୍ୟକ୍ରମ ଦ୍ୱାରା ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
ଏହି କାର୍ଯ୍ୟକ୍ରମକୁ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଜେ. ସୋନାଲ, IAS ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ଅଙ୍କିତ କୁମାର ବର୍ମା, IPS ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ ପିଲ୍ଲାଇ, IAS ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏହା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସୁଯୋଗ ବୃଦ୍ଧିରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ। ଶିକ୍ଷା ମଣିଷକୁ ସଶକ୍ତ କରିବା ସହ ଏକ ଉନ୍ନତ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ସେ ଉଲ୍ଲେଖ କରିଥିଲେ। ତାଙ୍କର ଉଦ୍ବୋଧନ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶିକ୍ଷା ପ୍ରତି ଅଧିକ ଯତ୍ନବାନ ହେବା ଏବଂ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲା।
ଏହି ପଦକ୍ଷେପ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ର ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗ୍ରାମୀଣ ଭିତ୍ତିଭୂମିର ବିକାଶ ମାଧ୍ୟମରେ ସାମଗ୍ରିକ ଗୋଷ୍ଠୀଗତ ଉନ୍ନତି ପାଇଁ ଜାରି ରହିଥିବା ପ୍ରୟାସର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ। ଯୁବପିଢ଼ିଙ୍କ ଶିକ୍ଷାଗତ ଆକାଂକ୍ଷାରେ ନିବେଶ କରି ଉଭୟ ସଂସ୍ଥା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ମୂଳଦୁଆ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
