Latest Odisha News

ପୁଣି ଅନଲାଇନ ଠକାମିର ଶିକାର ହେଲେ ଜଣେ ବଲିଉଡ଼ ଅଭିନେତା

ମୁମ୍ବାଇ: ଅନଲାଇନ ଦୁନିଆକୁ ଯେତିକି ସୁବିଧା ଯୋଗାଉଛି ସେତିକି କ୍ଷତି ମଧ୍ୟ ପହଞ୍ଚାଉଛି। ଆଜିକାଲି ଅନଲାଇନ ଠକେଇ କଥା ସମସ୍ତେ ଜାଣିଥିବା ସତ୍ତ୍ୱେ ଭଲ ଭଲ ବ୍ୟକ୍ତି ଏହି ଠକାମି ଜାଲରେ ପଡିଯାଆନ୍ତି। ଏବେ କିନ୍ତୁ ଏହି ଠକେଇର ଶିକାର ହୋଇଛନ୍ତି ଅଭିନେତା ଅନ୍ନୁ କପୁର। ବଲିଉଡ଼ ଅଭିନେତାଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଲେ ସାଇବର ଲୁଟେରା। ଅନ୍ନୁ କପୁର ଏବେ ଲଗାତାର ଏହି ବିଷୟକୁ ନେଇ ଚର୍ଚ୍ଚିତ ଅଛନ୍ତି।

ଅଭିନେତା ଅନ୍ନୁ କପୁରଙ୍କ ଆକାଉଣ୍ଟରୁ ପ୍ରାୟ ୪ ଲକ୍ଷ ୩୬ ହଜାର ଟଙ୍କା ଗାଏବ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ସାଇବର ଅପରାଧୀ ଘରୋଇ ବ୍ୟାଙ୍କ ଅଧିକାରୀଙ୍କ ନାମରେ ଅନ୍ନୁ କପୁରଙ୍କୁ ଫୋନ କରିଥିଲା। ଯାହା ପରେ KYC ର ସବିଶେଷ ତଥ୍ୟ ଭରିବା ବାହାନାରେ ଉକ୍ତ ଠକ ଜଣକ ଅଭିନେତାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ କରିଦେଇଥିଲା। ଅନ୍ନୁ କପୁରଙ୍କ ଏଠାରେ OTP ମଧ୍ୟ ସେୟାର କରିଥିଲେ।

ଖବର ଅନୁଯାୟୀ ବ୍ୟାଙ୍କରୁ ଟଙ୍କା ଉଠାଇବା ଖବର ପାଇବା ମାତ୍ରେ ଅଭିନେତା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସମୟ ନଷ୍ଟ ନକରି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ଏବଂ ପ୍ରାୟ ୩ ଲକ୍ଷ ୮ ହଜାର ଟଙ୍କା ଫେରସ୍ତ ପାଇଥିଲା। ପୋଲିସ ଅଧିକାରୀଙ୍କ କହିବାନୁସାରେ, କିଛି ସମୟ ପରେ କଲର୍ ଅନ୍ନୁ କପୁରଙ୍କ ଆକାଉଣ୍ଟରୁ ୪.୩୬ ଲକ୍ଷ ଟଙ୍କା ଦୁଇଟି ଭିନ୍ନ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲା। ସେପଟେ ବ୍ୟାଙ୍କଙ୍କୁ ଖବର ଦେବା ମାତ୍ରେ ବ୍ୟାଙ୍କ ଅଧିକାରୀ ତୁରନ୍ତ ଅଭିନେତାଙ୍କୁ ଡାକି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଏ ଟଙ୍କା ଉଠାଇଛି ଏବଂ କେଉଁ ଆକାଉଣ୍ଟକୁ ଟ୍ରାନ୍ସାକସନ ହୋଇଛି ସେ ସମସ୍ତ ବିଷୟରେ ସୂଚନା ଦେଇଥିଲେ।

ପୋଲିସ ଅଧିକାରୀ ଆହୁରି କହିଛନ୍ତି, ଏହି ବ୍ୟାଙ୍କଗୁଡିକ ଉଭୟ ଆକାଉଣ୍ଟକୁ ଫ୍ରିଜ୍ କରିଛନ୍ତି ଏବଂ ଅନ୍ନୁ ୩.୦୮ ଲକ୍ଷ ଟଙ୍କା ଫେରସ୍ତ ପାଇବେ। ଭାରତୀୟ ଦଣ୍ଡ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଅନଲାଇନ୍ ଠକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ।

Comments are closed.