ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଦଶହରା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଉଭୟ ଶିବସେନା ଗୋଷ୍ଠୀ ଏହି ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ଉଦ୍ଧବ ଠାକରେ ବନାମ ଏକନାଥ ସିନ୍ଦେଙ୍କ ଶକ୍ତି ପ୍ରଦର୍ଶନରେ ରାଜ୍ୟର ସବୁଠାରୁ ବଡ଼ ଦଳ ବିଜେପି ଦର୍ଶକ ଭଳି ଭୂମିକାରେ ଦେଖିବାକୁ ମିଳିଛି।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୋଷ୍ଠୀ ଏହି ଅବସରରେ ନିଜର ଦମ୍ ଦେଖାଇ ଦୁଇଟି ପୃଥକ ପୃଥକ ରାଲି କରି ପରସ୍ପରକୁ ଟାର୍ଗେଟ୍ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବାଜୀ ପାର୍କରେ ଦଶହରା ରାଲି ଅନୁଷ୍ଠିତ ହୋଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ରେ ଏକ ରାଲି ହୋଇଛି। ଉଭୟ ରାଲିରେ ବାଲାସାହେବ ଠାକରେଙ୍କୁ ସମ୍ମାନର ଚିହ୍ନ ଭାବରେ ମଞ୍ଚ ଉପରେ ଏକ ଖାଲି ଚେୟାରରେ ରଖାଯାଇଥିଲା।
ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ ସହ ବିଜେପି କ୍ଷମତାରେ ଥିବା ବେଳେ ସିନ୍ଦେଙ୍କ ଶକ୍ତି ପ୍ରଦର୍ଶନରୁ ନିଜକୁ ଦୂରେଇ ରଖିଛି। ସିନ୍ଦେଙ୍କ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମରେ ବିଜେପି ଯୋଗ ଦେଇନଥିଲା। ବିଜେପି ସୂତ୍ରରୁ ପ୍ରକାଶ ଯେ ସିନ୍ଦେ ସେନା ପକ୍ଷରୁ କୌଣସି ବିଜେପି ନେତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା।
ସେ କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନାଗପୁରରେ ଅଛନ୍ତି। ସେ ଆରଏସଏସର ବାର୍ଷିକ ବିଜୟା ଦଶମୀ ଉତ୍ସବରେ ଯୋଗ ଦେବାର ଥିଲା।ବିଜେପିର ଅନ୍ୟ ନେତାମାନେ ମଧ୍ୟ ବିଜୟା ଦଶମୀ ଉତ୍ସବରେ ବ୍ୟସ୍ତ ଥିଲେ। ବିଜେପି ନେତାମାନେ କହିଛନ୍ତି ଯେ ମୁମ୍ବାଇ ଦଶହରା ରାଲି ଶିବସେନାର ଏକ ପରମ୍ପରା ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଏକ ଦଳୀୟ କାର୍ଯ୍ୟକ୍ରମ। ଏହା କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ନିର୍ବାଚନ ପ୍ରଚାର ରାଲି ନୁହେଁ। ତେଣୁ ବିଜେପି ନେତାମାନେ ଏଥିରେ ସାମିଲ ହୋଇ ନାହାନ୍ତି। ତେବେ ବିଜେପି ନେତାମାନେ କହିଛନ୍ତି ଯେ, ସେମାନଙ୍କର ନୈତିକ ସମର୍ଥନ ସିନ୍ଦେ ସେନା ସହିତ ସମ୍ପୂର୍ଣ୍ଣ ରହିଛି।
ଅନ୍ୟପଟେ ସର୍ବସାଧାରଣରେ ଶିବସେନାର ଆଭ୍ୟନ୍ତରୀଣ ମତଭେଦରେ ବିଜେପି ଫସିବାକୁ ଚାହୁଁନାହିଁ। ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରଠାରୁ ବିଜେପି କହୁଛି ଯେ, ଏହି ପୂରା ଘଟଣାକ୍ରମରେ ବିଜେପିର କୌଣସି ଭୂମିକା ନାହିଁ। ଏବେ ଗୁରୁତ୍ବପୂର୍ଣ୍ଣ ବିଏମସି ନିର୍ବାଚନ ପୂର୍ବରୁ ଉଦ୍ଧବ ଓ ସିନ୍ଦେଙ୍କୁ ସେନା ଲଢ଼େଇରୁ ବାଦ୍ ଦେବା ମଧ୍ୟ ବିଜେପି ସପକ୍ଷରେ କାମ କରିପାରେ।
ବିଏମସିରେ ଦୀର୍ଘ ବର୍ଷ ଧରି ଶିବସେନାର ଦବଦବା ରହିଛି। ଏଭଳି ସ୍ଥିତିରେ ଏକ ବିଭାଜିତ ଶିବସେନା ବିଜେପି ସପକ୍ଷରେ ଜନମତ ଯାଇପାରେ।
ସେପଟେ ଉଦ୍ଦବଙ୍କୁ ଟାର୍ଗେଟ କରିବାକୁ ଯାଇ ଏକନାଥ ସିନ୍ଦେ କହିଛନ୍ତି ଯେ ଯଦି ଆମେ ବିଶ୍ୱାସଘାତକ ହୋଇଥାନ୍ତେ ତାହେଲେ ଏତେ ସଂଖ୍ୟକ ଲୋକ ଏଠାରେ ଉପସ୍ଥିତ ରହିନଥାନ୍ତେ। ଯାହା ବି କରିଛୁ ରାଜ୍ୟର ସ୍ୱାର୍ଥ ପାଇଁ କରିଛୁ। ଶିବସେନା ଉଦ୍ଧବ ଠାକରେ କିମ୍ବା ଏକନାଥ ସିନ୍ଦେଙ୍କର ନୁହଁନ୍ତି। ଏହି ଶିବସେନା କେବଳ ବାଲାସାହେବ ଠାକରେ ଏବଂ ଏଠାରେ ଥିବା ଶିବ ସୈନିକଙ୍କ ଚିନ୍ତାଧାରା।
Comments are closed.