Latest Odisha News

BREAKING NEWS

‘ଓଡ଼ିଶା ଓ ମହାନଦୀକୁ ନ୍ୟାୟ ନମିଳିଲେ ସୁପ୍ରିମକୋର୍ଟକୁ ଯିବୁ’;ମହାନଦୀ ଟ୍ରିବ୍ୟୁନାଲଙ୍କ ଉଦ୍ଦେଶ୍ୟରେ ଯାଚିକା ଦାଖଲ

କଟକ:ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଓଡ଼ିଶାର ଆଡଭୋକେଟ୍ ଜେନେରାଲଙ୍କ ନିକଟରେ ମହାନଦୀ ଟ୍ରିବ୍ୟୁନାଲଙ୍କ ଉଦ୍ଦେଶ୍ୟରେ ଏକ ଯାଚିକା ଦାଖଲ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ଗତ ନଭେମ୍ବର ୨୫ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ନିକଟରେ ଏହି ଯାଚିକା ଦାଖଲ କରିବା ପାଇଁ ପ୍ରୟାସ କରିଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ମାତ୍ର ସିଧାସଳଖ ଭାବରେ ସରକାର ବାହାରେ ଥିବା ବ୍ୟକ୍ତି ବିଶେଷଙ୍କ ଠାରୁ କୌଣସି ପ୍ରକାର ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ଆନ୍ଦୋଳନର କର୍ମକର୍ତ୍ତାମାନଙ୍କୁ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର କହିବା ସହିତ ଓଡ଼ିଶା ସରକାରଙ୍କ ମାଧ୍ୟମରେ ଟ୍ରିବ୍ୟୁନାଲ କୁ ଆସିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ତଦନୁଯାୟୀ ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶା ହାଇକୋର୍ଟ ପରିସରରେ ଅବସ୍ଥିତ ଆଡଭୋକେଟ୍ ଜେନେରାଲଙ୍କ ନିକଟରେ ସେହି ଯାଚିକାକୁ ଦାଖଲ କରିଛି । ଏହି ପ୍ରତିନିଧି ଦଳରେ ସୁଦର୍ଶନ ଦାସଙ୍କ ବ୍ୟତୀତ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ କୁମାର ବିଷୋୟୀ, ବରିଷ୍ଟ ଆଇନଜୀବୀ ଶ୍ରୀନିବାସ ମହାନ୍ତି, ପୂର୍ବତନ ହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ ରଞ୍ଜନ କୁମାର ନାୟକ,ଆଡଭୋକେଟ୍ ଅଧୀରାଜ ମହାନ୍ତି, ସପନ କୁମାର ପଲ, ସଞ୍ଜୟ କୁମାର ପଣ୍ଡା,ବିନୟ ଭୂଷଣ ରାଉତରାୟ, ଆଲୋକ ନନ୍ଧୀ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିଲେ ।

ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ଅନୁପସ୍ଥିତିରେ ପ୍ରତିନିଧି ଦଳ ସରକାରୀ ଓକିଲ ଶ୍ରୀ କୈଳାସ ଚନ୍ଦ୍ର କରଙ୍କୁ ଭେଟି ଆବେଦନ ପତ୍ର ଦେଇଥିଲେ ଏବଂ ତାହାକୁ ମହାନଦୀ ଟ୍ରିବ୍ୟୁନାଲଙ୍କ ନିକଟକୁ ପଠାଇବାକୁ ଅନୁରୋଧ କରିଥିଲେ ।

ମହାନଦୀ ଟ୍ରିବ୍ୟୁନାଲ ପାଖରୁ ଓଡ଼ିଶାକୁ ନ୍ୟାୟ ନମିଳିଲେ ଏହି ମାମଲାକୁ ନେଇ ସୁପ୍ରିମ କୋର୍ଟକୁ ଯିବା ସହିତ ଓଡ଼ିଶାବାସୀଙ୍କ ଦରବାରକୁ ଯାଇ ବ୍ୟାପକ ଜନ ଆନ୍ଦୋଳନ ଗଢ଼ିତୋଳା ଯିବ ବୋଲି ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି ।

Leave A Reply

Your email address will not be published.