Latest Odisha News

BREAKING NEWS

​ପୋଲିସ ଉପରକୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବ୍ରହ୍ମଗିରି: ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୂଆଗାଁ ଗ୍ରାମରେ ପୋଲିସ ଟିମ୍ ଉପରକୁ ଇଟା ମାଡ଼ କରିବା ସହ ହତ୍ୟା ଉଦ୍ୟମ ଘଟଣା । ଏହାର ତଦନ୍ତରେ ବ୍ରହ୍ମଗିରି ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଫେରାର ଥିବା ଦୁର୍ଦ୍ଦାନ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

​ଗତ ସେପ୍ଟେମ୍ବର ୪ ତାରିଖ ରାତି ପ୍ରାୟ ୧୨ଟା ୨୦ ସମୟରେ ବ୍ରହ୍ମଗିରି ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ (ASI) ଜୟପ୍ରଦା ମିଶ୍ର, କନେଷ୍ଟବଳ ରୀତା ତିର୍କୀ, ହୋମଗାର୍ଡ ସୁଶେନ କୁମାର ନାୟକ, ସୁଶାନ୍ତ କୁମାର ପରିଡ଼ା ଏବଂ ସନ୍ତୋଷ କୁମାର ସ୍ୱାଇଁ ରାତ୍ରକାଳୀନ ପାଟ୍ରୋଲିଂ ଓ ୱାରେଣ୍ଟ ଡ୍ରାଇଭ୍ ପାଇଁ ରେବଣା ନୂଆଗାଁ ଗ୍ରାମକୁ ଯାଇଥିଲେ । ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍, ପୁରୀଙ୍କ ଅଦାଲତର ST କେସ୍ ନଂ ୧୮୯/୬୦ (2026/2016) ମାମଲାରେ ଆମ୍ବୁଲାନ୍ସ ପୋଡିବା ଭଳି ୱାରେଣ୍ଟି ଥିବା ପ୍ରବୀଣ କୁମାର ମହାରଣାଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା।

​ଚଢ଼ାଉ ସମୟରେ ଅଭିଯୁକ୍ତ ପ୍ରବୀଣ ମହାରଣା ଘରୁ ଖସିଯାଇ ପାଚେରୀ ପାଖରୁ ପୋଲିସ କର୍ମଚାରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ସେ ନିଜ ମା’ଙ୍କୁ ପୋଲିସକୁ ହତ୍ୟା କରିବା ପାଇଁ ଖଣ୍ଡା ଆଣିବାକୁ କହିବା ସହ ହତ୍ୟା ଉଦ୍ଦେଶ୍ୟରେ ପାଚେରୀ ପଟୁ ପୋଲିସ ଉପରକୁ ଇଟା ମାଡ଼ କରିଥିଲା। ଫଳରେ ହୋମଗାର୍ଡ ସୁଶେନ କୁମାର ନାୟକଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା ଏବଂ ଅଭିଯୁକ୍ତ ଜଣକ କାଦୁଅ ଜମିରେ ଦଉଡ଼ି ଦଉଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆହତ ହୋମଗାର୍ଡଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

​ଏହି ଘଟଣାରେ ହୋମଗାର୍ଡ ସୁଶେନ କୁମାର ନାୟକଙ୍କ ଲିଖିତ ଅଭିଯୋଗ ଆଧାରରେ ବ୍ରହ୍ମଗିରି ଥାନା କେସ୍ ନଂ ୪୩୬/୨୦୨୬, ଦଫା ୧୨୬(୨)/୧୧୫(୨)/୨୯୬/୩୫୧(୨)/୧୨୧(୧)/୧୩୨/୧୦୯ ବି.ଏନ୍.ଏସ୍ (BNS-2023) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

​ନିରନ୍ତର ତଦନ୍ତ , ବାରମ୍ବାର ପୋଲିସ ଚଢ଼ାଉ ଏବଂ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମଗିରି ପୋଲିସ ଗତ ୨୭ ତାରିଖ ଅପରାହ୍ନ ସମୟରେ ଅଭିଯୁକ୍ତ ପ୍ରବୀଣ ମହାରଣାକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି । ​ଗିରଫ ଅଭିଯୁକ୍ତଙ୍କ ନାମ ହେଉଛି, ପ୍ରବୀଣ ମହାରଣା (୩୮) ସେ ରେବଣା ନୂଆଗାଁର ବୋଲି ଜଣାପଡିଛି । ଅଭିଯୁକ୍ତ ଜଣେ ଅଭ୍ୟାସଗତ ଓ ଦୁର୍ଦ୍ଦାନ୍ତ ଅପରାଧୀ ହୋଇଥିବା ବେଳେ ତା’ ନାମରେ ପୂର୍ବରୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍, ପୁରୀଙ୍କ ଅଦାଲତରେ ST କେସ୍ ନଂ ୧୮୯/୬୦ (2026/2016) ଏବଂ ବ୍ରହ୍ମଗିରି ଥାନା କେସ୍ ନଂ ୨୨୫/୧୫ (ଦଫା ୩୭୯ IPC) ଭଳି ମାମଲା ରହିଛି।

Leave A Reply

Your email address will not be published.