ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସମାଲୋଚନା କରି କହିଛନ୍ତି ଯେ କେସିଆର ଜାଣିଶୁଣି ତାଙ୍କ ଦଳର ନାମ ଭାରତ ରାଷ୍ଟ୍ର ସମିତି ରଖିନାହାନ୍ତି, ବରଂ ତାନ୍ତ୍ରିକ ଏବଂ ନ୍ୟୁମେରୋଲଜିଷ୍ଟଙ୍କ ପରାମର୍ଶ କ୍ରମେ ଏଭଳି କରିଛନ୍ତି।
ସେ କହିଛନ୍ତି, ପୂର୍ବରୁ କେସିଆର ତାନ୍ତ୍ରିକଙ୍କ ପରାମର୍ଶରେ ସଚିବାଳୟ ଯିବା ବନ୍ଦ କରିଦେଇଥିଲେ ଏବଂ ଅନେକ ବର୍ଷ ଧରି ତାଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ସାମିଲ କରିନଥିଲେ। ତେଲେଙ୍ଗାନାବାସୀଙ୍କୁ ବିଶ୍ୱାସଘାତକତା କରିବା ପରେ କେସିଆର ଏବେ ଟିଆରଏସକୁ ବିଆରଏସ କରି ଏକ ଜାତୀୟ ଦଳ ଭାବେ ରୂପ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । କେସିଆର ବିଭିନ୍ନ ପ୍ରସଙ୍ଗରେ ବିଫଳ ହୋଇଛନ୍ତି ଯେଉଁଥିପାଇଁ ଟିଆର୍ଏସର ନାମ ପରିବର୍ତ୍ତନ କରି ନୂଆ ଦଳ ଗଠନ କରାଯାଇଛି ବୋଲି ମୋଦୀ ସରକାରର ଅନ୍ୟତମ ଶୀର୍ଷ ମନ୍ତ୍ରୀ କହିଛନ୍ତି।
କେସିଆର ଥରେ କହିଥିଲେ ଯେ ତେଲେଙ୍ଗାନା ରାଜ୍ୟର ପାଣ୍ଠି, ପାଣି ଓ ନିଯୁକ୍ତି ତାଙ୍କର ପ୍ରାଥମିକତା । ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ କରିବାକୁ ସେ କହିଥିଲେ। କିନ୍ତୁ 2014ରୁ 2018 ଯାଏ 4 ବର୍ଷ ଟିଆର୍ଏସ ସରକାରରେ ଜଣେ ବି ମହିଳା ମନ୍ତ୍ରୀ ନଥିଲେ । ଆଉ ଏପରି କରିବା ପଛରେ କିଛି ତାନ୍ତ୍ରିକଙ୍କ ପରାମର୍ଶ ରହିଥିଲା ବୋଲି ସୀତାରମଣ ଦାବି କରିଛନ୍ତି।
ବୁଧବାର କେସିଆର ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଶୁଭାରମ୍ଭ କରିଛନ୍ତି। 2024 ଲୋକସଭା ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ଜାତୀୟ ଦଳ ହେବା ଦିଗରେ ଏହା ତାଙ୍କର ପ୍ରଥମ ପଦକ୍ଷେପ । ଜେଡିଏସ୍ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ତାଙ୍କ 20 ଜଣ ବିଧାୟକଙ୍କ ସହ ଟିଆରଏସ ମୁଖ୍ୟାଳୟରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେଇଥିଲେ।
ମିଡିଆ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ କେସିଆର ସଚ୍ଚିବାଳୟ ନଆସି ଘରୁ ଅଫିସ କାମ କରିବା ପଛରେ ବାସ୍ତୁଶାସ୍ତ୍ର ରହିଛି।
Comments are closed.