ଭଦ୍ରକ: ଧାମନଗର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଫୁଲ ଦମରେ ଲାଗି ପଡିଛନ୍ତି ରାଜନୈତିକ ଦଳ। ବିଜେପି ଦିବଂଗତ ବିଧାୟକ ବିଷ୍ନୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିବ ବୋଲି ଆପାତଃତ ସ୍ଥିର ହୋଇସାରିଛି। ହେଲେ ବିଜେଡି ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେ ନେଇ ବିଚାର ବିମର୍ଶ କରୁଛନ୍ତି।
ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏହି ଆସନକୁ ନିଜ ଅକ୍ତିଆରକୁ ନେବା ପାଇଁ ବିଜେଡି ଉଦ୍ୟମ ଚଳାଇଛି। ହେଲେ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ ସେ ନେଇ ଦ୍ବନ୍ଦ୍ବରେ ରହିଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିନକୁ ଦିନ ଟିକେଟ୍ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନିର୍ବାଚନ ପାଇଁ ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନ କରୁଥିବା ବେଳେ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିଦିନ ବୈଠକ ହେଉଛି।
ଏବେ ସୁଦ୍ଧା ନିର୍ବାଚନ ପାଇଁ ଦଳୀୟ ଟିକେଟ୍ ହାତେଇବା ପାଇଁ ପ୍ରାୟ ସାତ ଜଣ ପ୍ରାର୍ଥୀ ଆଗ ଧାଡ଼ିରେ ଥିବା କୁହାଯାଉଛି। ଆଶାୟୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ, ଡାକ୍ତର ସଞ୍ଜୟ ଦାସ, ବିଜେଡିରେ ଦଳିତଙ୍କ ଚେହେରା ରାଜେନ୍ଦ୍ର ପ୍ରସାଦ ଜେନା, ୨୦୧୪ ଭଦ୍ରକ ଲୋକସଭା ପ୍ରାର୍ଥୀ ଶରତ ଦାସ, ସ୍ପନ୍ଦନ ମଲ୍ଲିକ ପ୍ରମୁଖ ରହିଛନ୍ତି।
ସେହିପରି ଯୁବ ଉଦ୍ୟୋଗୀ ତଥା ୨୬ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟା ଗୀତାଞ୍ଜଳି ମଲ୍ଲିକଙ୍କ ପୁଅ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ମଧ୍ୟ ପ୍ରାର୍ଥୀ ଦୌଡ଼ରେ ଥିବା କୁହାଯାଉଛି।
ବିଜେଡି ନେତା ତଥା ଦଳର ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ କହିଛନ୍ତି, ଦଳରେ କୌଣସି ଅସନ୍ତୋଷ ନାହିଁ। ଆମେ ବହୁତ ଶୃଙ୍ଖଳିତ ଏବଂ ପ୍ରାର୍ଥୀ ଘୋଷଣାର ଭୂମିକା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି।
ସେପଟେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱରେ ପଡିଥିବା ଜଣାପଡିଛି। ଦଳ ତୃଣମୂଳସ୍ତରର କର୍ମୀ ଓ ନେତାଙ୍କ ସହ ବ୍ୟାପକ ଆଲୋଚନା କରିଛି ଏବଂ ମତାମତ ପାଇବା ପରେ ନିର୍ବାଚନରେ ଦଳର ଲଢେଇକୁ ଆଗକୁ ନେବା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ସମ୍ଭାବନା ରହିଛି। ଅନନ୍ତ ସେଠୀଙ୍କ ଠାରୁ ଆରମ୍ଭ କରି ହରେକୃଷ୍ଣ ସେଠୀ, ବିଦ୍ୟାଧର ଜେନା, ପଞ୍ଚାନନ ମଣ୍ଡଳଙ୍କ ଭଳି ପୁରୁଖା ନେତାଙ୍କ ମଧ୍ୟରୁ ଅନେକ ଚେହେରା ଏହି ଉପନିର୍ବାଚନରେ ଟିକେଟ ପାଇବା ପାଇଁ ଆଗରେ ଥିବା କୁହାଯାଉଛି।
Comments are closed.