ଭୁବନେଶ୍ୱର: ଟାଇମ୍ସ ହାୟର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍ ବିଶ୍ୱବିଦ୍ୟାଳୟ। ବୁଧବାର ଟାଇମ୍ସ ହାୟର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୩ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି।
ପୂର୍ବବର୍ଷ କିଟ୍ ୮୦୧+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ର୍ୟାଙ୍କ ଉନ୍ନୀତ ହୋଇ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୬୦୧+ ସ୍ଥାନ ପାଇଛି। ଶୈକ୍ଷିକ ପରିବେଶ, ଗବେଷଣା, ଆଦୃତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍କମ୍ ଆଦି ମାପଦଣ୍ଡକୁ ନେଇ ଟାଇମ୍ସ ହାୟର ଏଜୁକେସନ୍ ପକ୍ଷରୁ ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର୍ୟାଙ୍କ ପ୍ରସ୍ତୁତ କରାଯାଇଛି।
ଚଳିତବର୍ଷ କିଟ୍ ରୌପ୍ୟ ଜୟନ୍ତୀ ପାଳନ କରୁଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଥିବାରୁ କିଟ୍ର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି। ବିଶ୍ୱର ସମସ୍ତ ବିଶ୍ୱ ବିଦ୍ୟାଳୟକୁ ନେଇ ଟାଇମ୍ସ ହାୟର ଏଜୁକେସନ୍ ଏହି ର୍ୟାଙ୍କ ପ୍ରସ୍ତୁତ କରିଥାଏ।
ପୂର୍ବବର୍ଷ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରି ଚଳିତବର୍ଷ ଦେଶର ପୂର୍ବାଞ୍ଚଳ ଓ ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍ ପ୍ରଥମ ସ୍ଥାନରେ ରହିପାରିଛି। କିଟ୍ ଖୁବ୍ କମ୍ ଦିନର ଏକ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ବିଶ୍ୱର ଲବ୍ଧ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସମକକ୍ଷ ହୋଇ ଏତେ ଉନ୍ନତ ପ୍ରଦର୍ଶନ କରିଥିବାରୁ ବହୁ ଶିକ୍ଷାବିତ୍ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।
ସାମନ୍ତଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସମକକ୍ଷ ହେବା ସହ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟକୁ ଅତିକ୍ରମ କରିପାରିଛି ବୋଲି ସେମାନେ ମତ ଦେଇଛନ୍ତି । ଏହି ସଫଳତା ପାଇଁ ସାମନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି।
କିଟ୍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରତିଷ୍ଠାତା ସାମନ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି। ଅପରପକ୍ଷରେ ଏହା କିଟ୍ର ସଫଳତା ବୋଲି ପ୍ରତିଷ୍ଠାତା ସାମନ୍ତ କହିଛନ୍ତି।
Comments are closed.