Latest Odisha News

BREAKING NEWS

‘ମିର୍ଜାପୁର ୩’ ବ୍ୟାନ କରିବାକୁ ମନା କଲେ କୋର୍ଟ, ସିରିଜ ସପକ୍ଷରେ ହେଲା ନିଷ୍ପତ୍ତି

ମୁମ୍ବାଇ: କ୍ରାଇମ ୱେବ୍ ସିରିଜ୍ ‘ମିର୍ଜାପୁର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ରହିଛି କ୍ରେଜ୍। ପ୍ରଥମ ଏବଂ ଦ୍ୱିତୀୟ ସିଜିନ ପରେ ପ୍ରଶଂସକମାନେ ‘ମିର୍ଜାପୁର’ର ତୃତୀୟ ସିଜିନକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ନିକଟରେ ସିରିଜରେ ବ୍ୟବହୃତ ଭାଷା ଏବଂ ପ୍ରଦର୍ଶିତ ଦୃଶ୍ୟକୁ ନେଇ କୋର୍ଟରେ ‘ମିର୍ଜାପୁର’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ବର୍ତ୍ତମାନ ଏହା ଉପରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ଏହି ୱେବ୍ ସିରିଜର ପ୍ରଶଂସକଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

ସୂଚନା ଅନୁସାରେ ଏକ ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ‘ମିର୍ଜାପୁର’ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଛନ୍ତି। ଏହି ସିରିଜ୍ ଉପରେ ରୋକ ଲଗିବ ନାହିଁ। ମିର୍ଜାପୁରର ବାସିନ୍ଦା ସୁଜିତ କୁମାର ସିଂଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଏକ ବେଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ କୋର୍ଟ ଏକ ପ୍ରଶ୍ନ ଉଠାଇଛନ୍ତି ଯେ ଏକ ୱେବ୍ ସିରିଜ୍ ପ୍ରି-ସ୍କ୍ରିନ୍ କରିବା କିପରି ସମ୍ଭବ?

ସୂଚନା ଥାଉକି ଦାଖଲ ହୋଇଥିବା ଆବେଦନରେ ସିରିଜ୍, ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ବିଷୟରେ OTT କିମ୍ବା ସିଧାସଳଖ ଅନଲାଇନରେ ରିଲିଜ୍ ହେବା ନେଇ କୁହାଯାଇଥିଲା ଯେ ରିଲିଜ୍ ପୂର୍ବରୁ ପ୍ରି-ସ୍କ୍ରିନିଂ କରାଯିବା ଉଚିତ୍। ଯାହାକୁ ନେଇ କୋର୍ଟ କହିଛନ୍ତି, ‘ଏକ ୱେବ୍ ସିରିଜ୍ ପାଇଁ ପ୍ରି-ସ୍କ୍ରିନିଂ କମିଟି କିପରି ହୋଇପାରିବ? ଏହା ଏକ ସ୍ୱତନ୍ତ୍ର ନିୟମ। OTT ମଧ୍ୟ ଏହି ଆଇନର ଏକ ଅଂଶ। ତେଣୁ ବର୍ତ୍ତମାନର ଆଇନ OTT ପାଇଁ ପ୍ରଯୁଜ୍ୟ ହେବା ଉଚିତ୍। କାରଣ ଏହି ସମସ୍ତ ଅନଲାଇନ କଣ୍ଟେଣ୍ଟ ଅନ୍ୟ ଦେଶରୁ ମଧ୍ୟ ପ୍ରସାରିତ ହୁଏ।

ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ‘OTT ରେ ଆସୁଥିବା ବିଷୟବସ୍ତୁ ଅନ୍ୟ ଦେଶରୁ ମଧ୍ୟ ପ୍ରସାରିତ ହୋଇଥାଏ, ଯାହାକୁ ସମସ୍ତ ଦର୍ଶକ ଦେଖନ୍ତି। ଦାଖଲ ହୋଇଥିବା ଆବେଦନ ବିସ୍ତୃତ ହେବା ଉଚିତ। ତେଣୁ ଭଲ ଯୁକ୍ତି କରିବା ଭଳି ପିଟିସନ ଦାଖଲ କରିବାକୁ ଆବେଦନକାରୀଙ୍କୁ କୋର୍ଟ କହିଛନ୍ତି। ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ, ବର୍ତ୍ତମାନ ‘ମିର୍ଜାପୁର’ର ପ୍ରଶଂସକମାନେ ବହୁତ ଖୁସି ଏବଂ ଉତ୍ସାହର ସହିତ ଏହି ସିରିଜର ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି।

Comments are closed.