Latest Odisha News

BREAKING NEWS

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ

ଢେଙ୍କାନାଳ:ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ନଥିବାରୁ ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଜଣେ ପ୍ରସୂତି ମହିଳା ଓ ତାଙ୍କ ସଦ୍ୟଜାତ ଶିଶୁକୁ ତାଙ୍କ ପରିବାର ଲୋକେ ଖଟିଆରେ ବୋହି ଦୀର୍ଘ ୪ କିଲୋମିଟର ନେଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାମର୍ଦ୍ଦା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ରାସ୍ତା ଅତ୍ୟନ୍ତ ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଁଚି ପରିନଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପଥରଖମ୍ବ ପଞ୍ଚାୟତର କାମର୍ଦ୍ଦା ଗ୍ରାମର ସତିଗାଡ଼ିଆ ମୁଣ୍ଡାସାହିର ଗୁଡୁ ପୂର୍ତ୍ତୀଙ୍କ ସ୍ତ୍ରୀ ଶକୁନ୍ତଳା ଗାଗରାଇଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଫଳରେ ସହାୟତା ପାଇଁ ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ରାସ୍ତା ଖରାପ ଥିବା ଯୋଗୁଁ ଉକ୍ତ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରିନଥିଲା । ଏହାରି ଭିତରେ ଶକୁନ୍ତଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଓ ସ୍ଥାନୀୟ ଲୋକେ ଏକ ଖଟିଆରେ ଉଭୟ ମାଆ ଓ ନବଜାତ ଶିଶୁଙ୍କୁ ଧରି ପ୍ରାୟ ୪ କିଲୋମିଟର ରାସ୍ତା ଚାଲି ଚାଲି ଯାଇଥିଲେ ।

ଦୀର୍ଘ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରି ବିଫଳ ହେବା ପରେ ବାଧ୍ୟହୋଇ ବାଟରୁ ପରିବାର ଲୋକେ ଏକ ଅଟୋ ଯୋଗେ ଉଭୟଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ଜଣାପଡ଼ିଛି । ଚିକିତ୍ସା ପରେ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।

ସୂଚନାଥାଉକି, ପରଜଙ୍ଗ ମୁକ୍ତାପଶି ଗାଁଠାରୁ ମାତ୍ର ୯ କିଲୋମିଟର ଦୂରରେ ଥିବା ଏହି ସତିଗାଡ଼ିଆ ମୁଣ୍ଡାସାହିକୁ ଗାଡ଼ି ଯିବା ଆସିବା ପାଇଁ ରାସ୍ତା ନଥିବା ଜଣାପଡିଛି । ଫଲରେ ଏଠାକାର ଲୋକମାନେ ଦୀର୍ଘଦିନ ଏପରି ସମସ୍ୟା ଭୋଗୁଛନ୍ତି ।

Leave A Reply

Your email address will not be published.