Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
ଭୁବନେଶ୍ୱର : ମା’ଙ୍କ ଆଗମନକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ମହାଶକ୍ତି ମା’ ଦୁର୍ଗାଙ୍କ ଆଗମନରେ ଗଗନପବନ ପ୍ରକମ୍ପିତ ।ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ହୋଇପଡ଼ିଛି ପରିବେଶ। ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା ହୋଇଥିବାବେଳେ ପୀଠେ ମହାଷ୍ଟମୀ । ଗତକାଲି ବିଲ୍ୱଧିବାସ କରାଯାଇଛି । ଆଜି ମା’ଙ୍କର କଳସ ଯାତ୍ରା, ନବପାତ୍ରୀକା ପ୍ରବେଶ, ଚକ୍ଷୁ ଦାନ କରାଯିବ ।
ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମାହୋଲ ଜମିବାରେ ଲାଗିଛି । ଏପଟେ ପୂଜା ମଣ୍ଡପ ଗୁଡିକରେ ଗହଳି ଚହଳି ଲାଗିଲାଣି। ସୁଉଚ୍ଚ ତୋରଣ ଓ ଲାଇଟରେ ଝଲସୁଛି ସହର ବଜାର।
ଗତକାଲି ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଗତକାଲି ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବେଲ ବରଣ ସହିତ ମା’ ଙ୍କୁ ଆବାହନ କରାଯାଇଥିଲା । ମା’ ଦୁର୍ଗା ବେଲ ବୃକ୍ଷରେ ବାସ କରନ୍ତି । ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ । ପୂଜା ପରେ ବେଲ ବୃକ୍ଷରୁ ଡାଳ ଆଣି ମା’ଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ ।
ସୂଚନାଥାଉକି, କଟକରେ ଗତ ବର୍ଷର କିଛି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥର ପ୍ରଶାସନ ଓ ପୋଲିସ ବିଭାଗ ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ସହରରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯିବ । ୩୦୦ ରୁ ଅଧିକ ଅଫିସର ଦାୟିତ୍ୱରେ ରହିବେ । ଟ୍ରାଫିକରେ ଯେପରି ଭିଡ଼ ନଜମିବ ତାହାକୁ ଦୃଷ୍ଟିରେ ରଖି ଅପରାହ୍ନରୁ କିଛି କିଛି ସ୍ଥାନରେ ଚାରି ଚକିଆ ଯାନ ଚାଲିବା ଉପରେ କଟକଣା ଲାଗୁ କରାଯିବ । ସହରର ଅନେକ ସ୍ଥାନରେ ସିସିଟିଭି ନଜର ରଖିଥିବା ବେଳେ କଣ୍ଟ୍ରୋଲ ରୁମରେ ତାହା ଉପରେ ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିବ ।

