ଓଡ଼ିଶା ସାହିତ୍ୟରେ ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶତ୍ରୁଜିତ ( ଦିଲୀପ ମିଶ୍ର )। ସ୍ତମ୍ଭ , ଗଳ୍ପ , କବିତା, ଫିଚର, ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ କବିତାର ଲାଳିତ୍ୟ ପାଠକଙ୍କୁ ଯେତିକି ବିମୁଗ୍ଧ କରେ, ଫିଚରର ତତ୍ୱ ଓ ତଥ୍ୟ ସେତିକି ଆଗ୍ରହୀ କରେ ।
ଯେତେ ଦୂର ଗଲି, ପ୍ରତୀକ୍ଷାରେ ଜୀବନ, ଜହ୍ନରାତିର ଯାତ୍ରୀ, କେତକୀ ଫୁଲର ବାସ, ଫଟୋ, ଦେଖଇ ନେତ୍ର ଯାହା, ଘର ଓ ଅନ୍ୟାନ୍ୟ, କଥା କଥାକୁ, ପଚିଶର ପଚାଶ, ବାଣୀବିହାର ଓ ଅନ୍ୟାନ୍ୟ କବିତା, ସେଇସବୁ ଦିନ ପ୍ରଭୃତି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।ତାଙ୍କର ଅନବଦ୍ୟ ସାରସ୍ୱତ ସେବା ପାଇଁ ବହୁ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ତରଫରୁ ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ।
ଲେଖକ ଶତ୍ରୁଜିତ ( ଦିଲୀପ ମିଶ୍ର) ଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?
ଲେଖାଲେଖି ଆରମ୍ଭ ସ୍କୁଲରେ ପଢ଼ିଲା ବେଳରୁ ହୋଇଥିଲା, ତାହା ଅବଶ୍ୟ ସାହିତ୍ୟ ଯାତ୍ରା ନୁହେଁ। ହାଇସ୍କୁଲରେ ପଢ଼ିବା ବେଳେ ସ୍କୁଲ ମାଗାଜିନ୍ ପାଇଁ ଗୋଟିଏ ସଂସ୍କୃତ ଲେଖା ଲେଖିଥିଲି। ତାହା ପ୍ରକାଶ ପାଇଥିଲା ବୋଲି ଶୁଣିଲି, କିନ୍ତୁ ଦେଖି ପାରିନି। କାରଣ ମାଗାଜିନ୍ ପ୍ରକାଶ ପାଇବା ବେଳକୁ ମୋର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିଲା ଓ ମୁଁ ନୂଆ ସହରକୁ ପଢିବାକୁ ଚାଲି ଆସିଲି। ଆଉ ସ୍କୁଲକୁ ଯିବା ସମ୍ଭବ ହେଲା ନାହିଁ।
କଲେଜରେ ପଢ଼ିବା ବେଳେ ମାଗାଜିନ୍ ପାଇଁ କବିତା, ପ୍ରବନ୍ଧ, ସାକ୍ଷାତକାର ଲେଖିଛି। ତେବେ କଲେଜ ପଢ଼ା ସରିବା ପରେ ୧୯୯୦, ୧୯୯୧ ମସିହାରେ ସମ୍ବାଦପତ୍ରରେ କବିତା, ଶିଶୁ କବିତା ଛପା ହେଲା। ସେ ଯାଏଁ ବି ସାହିତ୍ୟକୁ ନେଇ ସିରିୟସ ନଥିଲି। ୧୯୯୧ ଜାନୁଆରୀ ମାସରେ ସମ୍ବାଦରେ ଗୈାରହରି ଦାସଙ୍କ ” ଠିକଣା ହଜେଇଥିବା ଚିଠି ” ଶୀର୍ଷକ ଲେଖା ପ୍ରକାଶ ପାଇଥିଲା, ସମ୍ଭବତଃ ” ଜୀବନର ଜଳଛବି ” ସ୍ତମ୍ଭରେ। ମତେ ଭଲ ଲାଗିଲାରୁ ଚିଠି ଲେଖିଲି ଓ ଉତ୍ତର ମଧ୍ୟ ପାଇଲି। କିଛି ଦିନ ପରେ ସମ୍ବାଦ ଅଫିସ୍ ଆସିଥାଏ, ଗୈାରହରି ଦାସଙ୍କ ଠିକଣା ପଚାରିଲି ରିସେପସନରେ। ସେତିକି ବେଳକୁ ଜାଣିଲି ଯେ, ସେ ସମ୍ବାଦରେ କାର୍ଯ୍ୟରତ। ଦେଖା କଲି। କଥାବାର୍ତ୍ତା ବେଳେ ସେ କହିଲେ, ଚିଠି ତ ଭଲ ଲେଖିଛନ୍ତି, ସାହିତ୍ୟ ଲେଖନ୍ତି କି ନାହିଁ ? ମୁଁ କାଁ ଭାଁ କିଛି ଲେଖୁଥିବା ଜଣେଇବାରୁ ସେ କହିଲେ – ଆପଣ ପାରିବେ। ଲେଖନ୍ତୁ। ତାଙ୍କର ଏତିକି କଥା, ମୋ ଭିତରେ ପ୍ରତ୍ୟୟ ସୃଷ୍ଟି କଲା। ସାହିତ୍ୟ ଜୀବନର ଧାରା ସେଇଠୁ ସୃଷ୍ଟି ହେଲା । ଧରିତ୍ରୀରେ କିଛି ଶିଶୁ ଲେଖା ପ୍ରକାଶ ପାଇଲା। ୧୯୯୨ ସେପ୍ଟେମ୍ବର ମାସରେ ପ୍ରଗତିବାଦୀରେ ଯୋଗଦେଲି। ସେଇଠୁ ଆରମ୍ଭ ହେଲା, ଆକ୍ଷରିକ ଅର୍ଥରେ ମୋର ସୃଜନ ଯାତ୍ରା। ଯେହେତୁ ସମ୍ବାଦପତ୍ରରେ କାମ କଲି, ଲେଖା ପ୍ରକାଶ ପାଇବାରେ ସମସ୍ୟା ନଥିଲା। ଅଧିକ ଓ ବିବିଧ ବିଷୟକୁ ନେଇ ଲେଖିବାରୁ ହାତ ସଳଖ ହୋଇଗଲା।
ଆପଣ କବିତା, ଗଳ୍ପ ଓ ଅନେକ ଫିଚର ଲେଖିଛନ୍ତି । ଉପନ୍ୟାସ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ନାହିଁ ?
ଅସଲ କଥା ହେଉଛି, ମୁଁ ଭାରି ଅସ୍ଥିର ଆଉ ତରତର। ଶୀଘ୍ର କେମିତି ଲେଖା ସାରିଦେବି, ସେକଥା ଭାବେ। ଉପନ୍ୟାସ ଲେଖିବାର ଧୈର୍ଯ୍ୟ ମୋର ନାହିଁ। ଏବେ ତ ଅନେକ ବର୍ଷ ହେଲା, ଗପ ମଧ୍ୟ ଲେଖୁନାହିଁ ବା, ଧରି ନିଅନ୍ତୁ ଗପ ଲେଖିବାରେ ମୁଁ ଅକ୍ଷମ। ସେଭଳି କ୍ଷେତ୍ରରେ ଉପନ୍ୟାସ କଥା କେବେ ବି ଭାବିନାହିଁ।
ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି ?
ଏ ପ୍ରଶ୍ନର ଯଥାର୍ଥ ଉତ୍ତର ସାହିତ୍ୟ ସମାଲୋଚକମାନେ ଦେଇ ପାରିବେ। ତେବେ ଗଦ୍ୟ ସାହିତ୍ୟ ତୁଳନାରେ ଆମର କବିତା ସଂଖ୍ୟା ଯେ ଅଧିକ, ଏ କଥା ତ ସ୍ପଷ୍ଟ ଭାବରେ ଦିଶୁଛି। ଅବଶ୍ୟ ସଂଖ୍ୟା, ପ୍ରଭାବର ମାପକାଠି ନୁହେଁ।
ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?
ଖବରକାଗଜରେ କାହାର ସଫଳତା କିମ୍ବା ବିଫଳତାର କାହାଣୀ ପଢ଼ିବା ବେଳେ, ଟିଭିରେ ଉଭୟ ସୁଖ ଓ ଦୁଃଖର ଦୃଶ୍ୟ ଦେଖିଲେ, ଯାହା ଆଖି ଲୁହ ଛଳଛଳ ହୋଇଯାଏ, ତା’ର କବିତା କୋମଳ ହେବନି ତ ଆଉ କ’ଣ ହେବ ? ମୁଁ ଅତି ମାତ୍ରାରେ ଆବେଗ ଜର୍ଜରିତ। ଟିକିଏ କଥାରେ ଛଳଛଳ। ମୋ ଲେଖା ସେଥିରେ ପ୍ରଭାବିତ।
ଆପଣ ଫିଚର ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ?
ସମ୍ବାଦ ପତ୍ରର ସହ-ସମ୍ପାଦକ ହେବା, ଫିଚର ଲେଖା ପାଇଁ ବାଧ୍ୟ କରାଇଲା। ଏମିତି ବି ହୋଇଛି, ସ୍ଥାନ ପୂରଣ ପାଇଁ ଗୋଟିଏ ପୃଷ୍ଠାରେ ଏକାଧିକ ଲେଖା ଲେଖିଛି। ଗତ ତିରିଶ ବର୍ଷରେ ପ୍ରଚୁର ଫିଚର ଲେଖିଛି। ଆଉ ସତକଥା କହିଲେ, ଫିଚର ଲେଖାରେ ହିଁ ମୁଁ ଅଧିକ ସହଜ। ଯେହେତୁ ସମସାମୟିକ ଘଟଣାବଳୀରେ ମୋର ଆଗ୍ରହ ଅଧିକ, ଫିଚର ଲେଖା ମୋର ଅଙ୍ଗ ପାଲଟିଛି। ଏବେ ତ ମୁଖ୍ୟତଃ ଫିଚର ହିଁ ଲେଖୁଛି ( ବର୍ଷକୁ ପାଞ୍ଚ, ଛଅଟି କବିତା ବ୍ୟତୀତ)।
ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ସେତେଟା ମିଳେ ନାହିଁ ବୋଲି ଆପଣ ଭାବନ୍ତି କି ?
ନା। ଉଭୟ ପରସ୍ପରର ତୁଳନୀୟ ନୁହଁନ୍ତି। ଉଭୟର ପାଠକ ଅଲଗା। ଅବଶ୍ୟ ଲେଖକମାନେ ପ୍ରାୟତଃ ଉଭୟ ଗପ ଓ କବିତା ପଢ଼ନ୍ତି। କିନ୍ତୁ ସାଧାରଣ ପାଠକ ନିଜ ରୁଚି ଅନୁସାରେ ପଢ଼ନ୍ତି। କାହାକୁ ଗପ ପସନ୍ଦ, କାହାକୁ କବିତା।
ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?
ପୁରସ୍କାର ଅଧିକ ସର୍ଜନଶୀଳ ହେବାକୁ ପ୍ରେରଣା ଦିଏ ନାହିଁ। ଭଲ ଲେଖିବାକୁ ସଞ୍ଜତ କରେଇ ଦିଏ। କିନ୍ତୁ ପରିଚିତି ନିଶ୍ଚୟ ଅଧିକ ସର୍ଜନଶୀଳ କରାଏ। କାରଣ ପରିଚିତି ପାଇଁ ଆପଣଙ୍କୁ ସମ୍ପାଦକମାନେ ଅଧିକ ଲୋଡ଼ନ୍ତି। ବାରମ୍ବାର ଲେଖା ଦେବାକୁ ଅନୁରୋଧ ବା ଆପଣଙ୍କ ସହିତ ଉତ୍ତମ ସମ୍ପର୍କ ଥିଲେ, ଅଧିକାର ଭାବି ଦାବି କରନ୍ତି। ଆଉ ଆପଣ ଅଧିକ ଲେଖିବାକୁ ବାଧ୍ୟ ହୁଅନ୍ତି।
ସମ୍ପ୍ରତି ସାହିତ୍ୟ ସହ ସାମାଜିକ ଗଣମାଧ୍ୟମ ଓତଃପ୍ରୋତ ଭାବରେ ଜଡିତ । ତେବେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ସାହିତ୍ୟର ତର୍କ ବିତର୍କକୁ ଆପଣ କେତେଦୂର ଗ୍ରହଣ ଯୋଗ୍ୟ ବୋଲି ଭାବନ୍ତି ?
ସାମାଜିକ ଗଣମାଧ୍ୟମ ଏକ ଅବାଧ ପ୍ଲାଟଫର୍ମ। ଲଘା ନାହିଁ କି ପଘା ନାହିଁ। ବ୍ୟକ୍ତିଗତ ରୁଚି ଅନୁସାରେ ଆମେ ତାକୁ ବ୍ୟବହାର କରୁଛୁ। କଳି କରିବା ଯାହାର ପ୍ରକୃତି ସେ ସବୁଠି ସେୟା କରିବ । କିନ୍ତୁ ସୁସ୍ଥ ବିତର୍କ ଭଲ। ସମୁଦ୍ର ମନ୍ଥନରୁ ବିଷ ମିଳିଥିଲା, ଅମୃତ ମଧ୍ୟ। ଆପଣ ନିଜ ସ୍ବଭାବ ଅନୁସାରେ ସ୍ଥିର କରନ୍ତି – ଭୁବନ ମୋହିନୀ ହାତରୁ ବିଷ ପିଇବେ କି ଅମୃତ।
ଓଡ଼ିଶାର ପତ୍ର ପତ୍ରିକାରେ ସମ୍ପାଦନା ନାଁରେ ସଂଯୋଜନା ଚାଲିଛି ବୋଲି କୁହାଯାଏ। ଜଣେ ସମ୍ପାଦକ ଭାବରେ ଏ ବିଷୟରେ ଆପଣଙ୍କ ମତ କ’ଣ?
ସମସ୍ତଙ୍କ କ୍ଷେତ୍ରରେ ନୁହେଁ। କିନ୍ତୁ ଚାଲିଛି। ଏପରିକି ସମ୍ପାଦକ ଲେଖା ମାଗନ୍ତି, ଆପଣ ଦେଲା ପରେ ସମ୍ପାଦକ ତାକୁ ନପଢି ସିଧା ଡିଟିପି ଓ ଲେ ଆଉଟ୍ କରୁଥିବା ସହଯୋଗୀଙ୍କ ପାଖକୁ ପଠେଇ ଦିଅନ୍ତି। ପତ୍ରିକା ଛପା ହେବା ପରେ ମାଳ ମାଳ ଭୁଲ୍ ଦେଖାଯାଏ। ସମ୍ପାଦକଙ୍କୁ ସେକଥା କହିଲେ, ସମୟ ପାଉନଥିବା ଦର୍ଶାନ୍ତି। ସେଭଳି ପତ୍ରିକାକୁ ମୁଁ ଆଉ ଲେଖା ଦିଏ ନାହିଁ। ମୁଁ ତ ସମ୍ପାଦକ ଭାବରେ କବିତା କିମ୍ବା ଗଦ୍ୟରେ ଗୋଟିଏ ଶବ୍ଦ ଯଦି ବୁଝି ନପାରେ କିମ୍ବା ସେ ଶବ୍ଦ ସେଇ ସ୍ଥାନ ପାଇଁ ଉପଯୁକ୍ତ ନୁହେଁ ବୋଲି ଭାବେ, ଲେଖକଙ୍କ ସହିତ ଯୋଗାଯୋଗ କରେ। ମୁଁ ସବୁ କଥାରେ ପଣ୍ଡିତ ନୁହେଁ। ହୁଏତ ସେ ଶବ୍ଦ ମୁଁ ଜାଣିନି। ଲେଖକଙ୍କ ସହିତ କଥା ହେଲେ ମୋର ଶବ୍ଦ ଜ୍ଞାନ ବଢ଼େ। କିମ୍ବା ଲେଖକ ଯଦି କ୍ଳିଷ୍ଟ ଶବ୍ଦ ଲେଖି ଥାଆନ୍ତି, ତେବେ ସେ ବିକଳ୍ପ ସରଳ ବୋଧଗମ୍ୟ ଶବ୍ଦଟିଏ କହି ଦିଅନ୍ତି ବା ମୁଁ କହେ। ଲେଖକ ଜାଣତରେ କିମ୍ବା ଅଜାଣତରେ ଭୁଲ୍ ଲେଖିଲେ, ତାକୁ ସଂଶୋଧନ କରିବା ଦାୟିତ୍ବ ସମ୍ପାଦକର। ସଭାରେ ସଂଯୋଜନା କରା ଯାଇଥାଏ, ପତ୍ର ପତ୍ରିକାରେ ନୁହେଁ। ପତ୍ର ପତ୍ରିକାରେ କେବଳ ସମ୍ପାଦନା ହେବା ଆବଶ୍ୟକ।
ଦିଲୀପ ମିଶ୍ରରୁ ଶତ୍ରୁଜିତ ହେବା ପଛରେ କାହାଣୀ କ’ଣ ?
ସେମିତି କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଛଦ୍ମନାମ ବ୍ୟବହାର କରି ନଥିଲି। କଲେଜ ପଢ଼ା ସରିବା ପରେ ଘରକୁ ଫେରିଲି। ନୂଆ ନୂଆ କବିତା ପଠେଇବା ଆରମ୍ଭ କରିବା ବେଳେ କ’ଣ ଗୋଟେ ଇଚ୍ଛା ହେଲା ନିଜ ନାଁରେ ନ ଲେଖି ଛଦ୍ମନାମ ବ୍ୟବହାର କରିବି। ହୁଏତ ଏୟା ବି ହୋଇଥାଇପାରେ – ଯଦି ସଂଯୋଗ ବଶତଃ ପେପରରେ ପ୍ରକାଶ ପାଇଲା ଓ କାହାରି ପସନ୍ଦ ହେଲାନି, ତେବେ ମୁଁ ଧରା ପଡ଼ିବି ନାହିଁ। ସେତେବେଳେ ମୁଁ କୋଉ ଭାବିଥିଲି, ଭବିଷ୍ୟତରେ ଦୀର୍ଘ ବର୍ଷ କାଳ ଲେଖି ଚାଲିବି ! ସ୍ବୀକାର କରିବାରେ ଦ୍ୱିଧା ନାହିଁ, ସମ୍ବାଦପତ୍ରରେ କାମ କରିନଥିଲେ ମୁଁ ହୁଏତ ସାହିତ୍ୟ କ୍ଷେତ୍ରରେ ଏତେ ଦିନ ନଥାନ୍ତି। ମୋର ଲେଖା ପ୍ରକାଶ ପାଇବାର ପ୍ରଥମ ଦଶନ୍ଧିରେ ଦିଲୀପ (ବହୁତ ଲୋକ ‘ଲ’ରେ ଆଉ ଗୋଟିଏ ‘ଲ’ ଫଳା ଯୋଡ଼ି ଦିଅନ୍ତି, ଯାହା ଭୁଲ୍) ମିଶ୍ର, ବୈଷ୍ଣବାଞ୍ଜଳି ( ମୋ ନନାଙ୍କ ନାଁ ବୈଷ୍ଣବ, ବୋଉ ନାଁ ଅଞ୍ଜଳି), ଜିତ୍ ଏମିତି ଚାରି ପାଞ୍ଚଟି ନାଁ ବେଳେବେଳେ ବ୍ୟବହାର କରିଛି। କାରଣ ବୃତ୍ତିଗତ ଦାୟରେ ଗୋଟିଏ ଦିନରେ ଏକାଧିକ ଲେଖା ପ୍ରକାଶ ପାଇବାର ଆବଶ୍ୟକତା ବି ପଡୁଥିଲା। ତେବେ ଶତ୍ରୁଜିତ୍ ନାଁରେ ପରିଚିତ ହୋଇଗଲି ଓ ଏଯାଏଁ ଚାଲିଛି। ଅବଶ୍ୟ ସମ୍ପାଦନା କ୍ଷେତ୍ରରେ ଦିଲୀପ ମିଶ୍ର ନାଁ ବ୍ୟବହାର କରୁଛି, ଆଇନଗତ ଆବଶ୍ୟକତା ଦୃଷ୍ଟିରୁ।
ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?
ସାହିତ୍ୟ ତା’ ନିଜ ଗତିପଥ ନିଜେ ନିର୍ଦ୍ଧାରଣ କରେ। କିଛି ଚିରସ୍ଥାୟୀ ନୁହେଁ। ପରିବର୍ତ୍ତନ ଗୋଟିଏ ଚିରନ୍ତନ ସତ୍ୟ। ଲେଖକ କେବଳ ମାଧ୍ୟମ ମାତ୍ର। ଗୋଟିଏ ସମୟରେ ଅବୋଧ୍ୟ, ଦୁର୍ବୋଧ୍ୟ କବିତା ଲେଖା ହେଉଥିଲା। ପୁଣି ବାଟ ବଦଳିଗଲା। ଅତୀତରେ ଯାହା ଲେଖା ଯାଇଛି କିମ୍ବା ଯେଉଁ ଶୈଳୀରେ ଲେଖା ଯାଇଛି, ଆଜି ସେଭଳି ହେଉଛି କି ? ଆଗାମୀ ଦିନରେ ଅନ୍ୟ କିଛି ହୋଇପାରେ।
Comments are closed.