Latest Odisha News

BREAKING NEWS

ଓସିଏରେ ପ୍ରଭାବଶାଳୀ ନେତାଙ୍କ ଏଣ୍ଟ୍ରି, ମୁହାଁମୁହିଁ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ଆଜିଠୁ ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୧୦ଟାରୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ବିଜେଡିର ସାଂଗଠନିକ ସମ୍ପାଦକ ଏହି ନିର୍ବାଚନରେ ସଭାପତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ସୂଚନା ରହିଛି। ଏହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ଦଳ ବିଜେଡି ଓ ବିରୋଧୀ ବିଜେପି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଖେଳ ଜଗତକୁ ଧ୍ଵଂସ କରିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର।ପୂର୍ବରୁ ପ୍ରଚ୍ଛଦ ପଟରେ ରହି ବିଜେଡିର ମଙ୍ଗୁଆଳମାନେ ଖେଳ ଜଗତରେ ମୁଣ୍ଡ ପୁରାଉଥିଲେ। ଏବେ ଖେଳରେ କିପରି ଅଧିକ ବ୍ୟଭିଚାର ଚାଲିବ ସେ ନେଇ ଶାସକ ଦଳର ମଙ୍ଗୁଆଳ ମାନେ ପ୍ରୟାସ କରୁଛନ୍ତି। ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରି ବିଜେପି ନେତା ଏପରି କହିଛନ୍ତି।

ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଓସିଏରେ ପୂର୍ବରୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସଂପୃକ୍ତି ରହିଛି। ଏହାକୁ ନେଇ ରାଜନୀତି କରିବା ଠିକ ନୁହେଁ। ଯେଉଁମାନଙ୍କର କ୍ରୀଡାରେ ରୁଚି ରହିଛି ସେମାନେ କ୍ରୀଡା କ୍ଷେତ୍ରରେ ଦାୟିତ୍ବ ନିଅନ୍ତି। ମୁଖ୍ୟମନ୍ତ୍ରୀ କ୍ରୀଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି। ଆଗାମୀ ଦିନରେ ବାରବାଟିର ଆହୁରି ଉନ୍ନତି ହେବ। ପୂର୍ବରୁ ଜାତୀୟ ଓ ଆନ୍ତର୍ଜାତିୟ ଖେଳ କରି ରାଜ୍ୟ ସରକାରଙ୍କୁ ଅନେକ ପ୍ରଶଂସା ମିଳିଛି। ଯାହାକି ବିରୋଧୀ ସହି ପାରୁ ନାହାଁନ୍ତି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି।

କଳିଙ୍ଗ ଷ୍ଚାଡିୟମରେ ଓଡିଶା ସରକାର ହକି ଓ ଫୁଟବଲ ଭଳି ଜାତୀୟ, ଅନ୍ତର୍ଜାତୀୟ ମ୍ୟାଚକୁ ସଫଳ ଭାବେ ଆୟୋଜନ କରି ସାରିଛନ୍ତି। ଯେଉଁଥିପାଇଁ ସାରା ବିଶ୍ୱରେ ଓଡ଼ିଶା କ୍ରୀଡା କ୍ଷେତ୍ରରେ ଗୋଟିଏ ସ୍ବତନ୍ତ୍ର ପରିଚୟ ପାଇ ସାରିଛି।

Comments are closed.