Latest Odisha News

ନକଲି ଔଷଧ ବିକ୍ରି ମାମଲାରେ ଆଉ ଦୁଇ ଗିରଫ

କଟକ: ନକଲି ଔଷଧ ବିକ୍ରି ମାମଲାରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି। ନକଲି ବ୍ଲଡ ପ୍ରେସର ଔଷଧ ବିକ୍ରି ଘଟଣାରେ କମିଶନରେଟ ପୋଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିବା ପରେ ଏହି ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

କଟକ ନୟାସଡ଼କ ଓ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟ ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦି ଆଜି ଗିରଫ ହୋଇଛନ୍ତି। ଉଭୟଙ୍କ ନିକଟରୁ ୮ ହଜାର ଷ୍ଟ୍ରିପ ନକଲି ଟେଲମା ୪୦ ଔଷଧ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ରହିଛି।

ପୂର୍ବରୁ ବିହାରର ଗୟା ଜିଲ୍ଲାରୁ ଆଲୋକ କୁମାର ମିଶ୍ର ଏବଂ ହରିଶ କୁମାରଙ୍କୁ ପୋଲିସ ଗିରଫ କରିଥିବା ବେଳେ ପ୍ରଥମେ ଏହି ମାମଲାରେ ରାହୁଲ କୟାଲ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରିଥିଲା ପୋଲିସ। କଟକ ଭିଆର ଡ୍ରଗ୍ସ ଏଜେନ୍ସିର ରାହୁଲ କୟାଲ ଏବଂ ପୂଜା ଏଣ୍ଟରପ୍ରାଇଜସର ସଞ୍ଜୟ ଜାଲାନଙ୍କୁ ପୁରୀଘାଟ ପୋଲିସ ଗିରଫ କରିଥିଲା। ତଦନ୍ତ ବେଳେ ଗିରଫ ଅଭିଯୁକ୍ତ କହିଥିଲେ ପାଟନାରେ ଶ୍ରୀ ବାଲାଜୀ ଏଜେନ୍ସି ଏବଂ ଗୟାର ବାଲାଜୀ ଡ୍ରଗ୍ସ ପଏଣ୍ଟରୁ ସେମାନେ ଏହି ନକଲି ଔଷଧ କିଣୁଥିଲେ। ଦୁଇ ଅଭିଯୁକ୍ତଙ୍କୁ ଜେରା ବେଳେ କାରବାର ସମ୍ପର୍କୀତ ଅନେକ ତଥ୍ୟ ପୁଲିସର ହସ୍ତଗତ ହୋଇଥିଲା। ସେମାନଙ୍କଠାରୁ ୨୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ଟେଲମା-୪୦ ଓ ଟେଲମା-ଏମ ଔଷଧ ଜବତ କରିଥିଲା ପୋଲିସ।

ଆଜି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଶବ କୁମାର କୟାଲ ଏବଂ ମହେନ୍ଦ୍ର କୁମାର ମୋଦି ରାହୁଲ କୟାଲ ଏବଂ ସଞ୍ଜୟ କୁମାର ଜନାଲଙ୍କଠୁ ନକଲି ଔଷଧ କିଣୁଥିଲେ ବୋଲି ଜଣାପଡିଛି। ପରେ ଏହି ଦୁଇ ଅଭିଯୁକ୍ତ ଛୋଟ ଛୋଟ ଦୋକାନୀଙ୍କୁ ବିକ୍ରି କରୁଥିଲେ ବୋଲି ସୂଚନା ରହିଛି।

ଏହି ଘଟଣାରେ ତଦନ୍ତକାରୀ ଟିମ୍ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିଛି। ବିହାରର ପାଟନା ଏବଂ ଗୟା ଯାଇ ଦେଖିଥିଲା ସେପରି କୌଣସି ଡ୍ରଗ୍ସ କମ୍ପାନୀ ନାହିଁ। ପରେ ଜଣାପଡିଥିଲା ଆଲୋକ ମିଶ୍ର ଏବଂ ହରିଶ କୁମାରଙ୍କ ସହ ମିଶି ରାହୁଲ ଏବଂ ସଞ୍ଜୟ ଜାଲ କାଗଜପତ୍ର ତିଆରି କରି ନକଲି ଔଷଧ କାରବାରକୁ ଆଗକୁ ବଢାଉଥିଲେ।

ଡିସିପି ପିନାକ ମିଶ୍ର କହିଛନ୍ତି, ଗିରଫ ଅଭିଯୁକ୍ତ ରାହୁଲ ଏବଂ ସଞ୍ଜୟ ଜାଣିଥିଲେ ସେମାନେ ଯେଉଁ ନକଲି ଔଷଧ ବିକ୍ରି କରୁଛନ୍ତି ତାହା ନକଲି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ଏହି ଔଷଧ ତିଆରି ହୋଇନି। ଏହି ନକଲି ଔଷଧ କାରବାରର ମୂଳ ଉତ୍ସ କେଉଁଠି ରହିଛି ଧରିବାକୁ ପ୍ରୟାସ ହେଉଛି।

Comments are closed.