Latest Odisha News

ହବିଷ୍ଯାଳି ଗାଇଲେ ‘ନବୀନ ଭଜନ’, ବିରୋଧୀ କହିଲେ ଭୋଟ୍ ରାଜନୀତି

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ହବିଷ୍ୟାଳି ଗାଇଥିବା ଭଜନକୁ ନେଇ ବିବାଦ ତେଜିଛି। ଏପରି କରି ଆଧ୍ୟାତ୍ମିକ ପରିବେଶରେ ରାଜନୈତିକ ବାର୍ତ୍ତା ଦେବାକୁ ପ୍ରୟାସ ହୋଇଛି ବୋଲି ମତ ପ୍ରକାଶ ପାଇଛି। ଯାହାକୁ ନେଇ ବିରୋଧୀ ଶାସକ ଦଳ ଉପରେ ବର୍ଷିଛି। ସେପଟେ ଏହି ଭଜନ ଗୀତ ଗାଇବା ବେଳେ ଜିଲ୍ଲା ପ୍ରଶାସନିକ ଅଧିକାର ଉପସ୍ଥିତ ରହି ତାଳିମାଡ କରିବା ବିବାଦକୁ ଆଉ ଟିକିଏ ଜଟିଳ କରିଛି। ତେବେ ଶାସକ ଦଳର ନେତା ଏହାକୁ ବିବାଦ ବୋଲି ଧରିବା ନୁହେଁ କହିଛନ୍ତି। ଆଉ ଏଥିରେ କୌଣସି ଭୁଲ୍ ନାହିଁ ବୋଲି ଦଳୀୟ ନେତା କହିଛନ୍ତି।

ଏବେ ପବିତ୍ର କାର୍ତ୍ତିକ ମାସ ଚାଲିଛି। ଏହି ମାସରେ ଧର୍ମ କଲେ ଅନେକ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ତେଣୁ ରାଜ୍ୟର କୋଣ ଅନୁକୋଣରୁ ଏହି ଧର୍ମମାସରେ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ। ଆଉ ସରକାର ଏ ସମସସ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ତେବେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ବଗଲା ଧର୍ମଶାଳାରେ ବିଧବା ମହିଳାମାନେ ଭଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କରିବା ପରେ ଏହି ବିବାଦ ଦେଖାଦେଇଛି।

ବିଜେଡି ସରକାର ନିଜର ଭୋଟ୍ ବ୍ୟାଙ୍କ ଭାବେ ମହିଳା ଭୋଟରଙ୍କୁ ସବୁବେଳେ ଟାର୍ଗେଟ କରିଥାଏ। ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ କରିଛନ୍ତି। ଆଗକୁ ୨୦୨୪ ବିଧାନସଭା ନିର୍ବାଚନ ଥିବା ବେଳେ ଜିଲ୍ଲା ପ୍ରଶାସନ ଜରିଆରେ ସରକାରର ମୁଖିଆ ନବୀନ ପଟ୍ଟନାୟକଙ୍କ ସମର୍ଥନରେ ଏକ ଭଜନ ଗୀତ ଜରିଆରେ ବୟସ୍କଙ୍କ ପାଖରେ ଗୋଟିଏ ଭଲ ବାର୍ତ୍ତା ଦେବାକୁ ପ୍ରୟାସ କରିଛି ବୋଲି କୁହାଯାଉଛି। କିନ୍ତୁ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଏପରି ରାଜନୈତିକ ବାର୍ତ୍ତାକୁ ନେଇ ବିରୋଧୀ ନାପସନ୍ଦ କରିଛନ୍ତି।  ନବୀନ ଭଜନ ଗାଇବା ବେଳେ ସେଠାରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସରକାରଙ୍କୁ ସମାଲୋଚନା କରି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭଜନରେ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହ ତୁଳନା କରାଯାଉଛି ଏବଂ ପ୍ରଶାସନ ଏପରି ଏକ ଭଜନ ପ୍ରସ୍ତୁତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧବା ମହିଳାଙ୍କୁ ଗାଡ଼ିରେ ପୁରୀ ଆଣି ହବିଷ୍ୟାଳିଙ୍କ ପାଇଁ ପୁରୀରେ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେବାକୁ ଯଥେଷ୍ଟ ଦୟାଳୁ ବୋଲି ମଧ୍ୟ ଭଜନରେ ଦାବି କରାଯାଇଛି । ମୁଁ ଭାବୁଛି ରାଜ୍ୟ ସରକାର ଅହଙ୍କାରରେ ବୁଡିଛନ୍ତି। ସେମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ତୁଳନା କରୁଛନ୍ତି। ଯାହା ବିଶ୍ୱର ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତଙ୍କ ଧାର୍ମିକ ଭାବନାକୁ ସିଧାସଳଖ ଆଘାତ କରୁଛି।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ରାଜ୍ୟ ସରକାର ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଗୋଟିଏ ଗୀତ ଲେଖିଛନ୍ତି। ଏପରି କରି ବୟସ୍କମାନେ ନିର୍ବାଚନରେ ବିଜେଡିକୁ ଭୋଟ ଦେବା ପାଇଁ ଏକ ମାହୋଲ ତିଆରି କରାଯାଇଛି।

ତେବେ ଶାସକ ଦଳ ବିଜେଡି ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଶାସକ ଦଳର ମୁଖ୍ୟ ସଚେତକ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ହବିଷ୍ୟାଳିମାନେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ରହିବା ସମୟରେ ସେମାନେ ମହାପ୍ରଭୁଙ୍କ ଆରାଧନାରେ ସମ୍ପୂର୍ଣ୍ଣ ନିୟୋଜିତ ହୋଇଥାଆନ୍ତି। ତେଣୁ ସେମାନେ ଯଦି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟିକିଏ ପ୍ରଶଂସା କରିଛନ୍ତି, ତେବେ ଏଥିରେ କୌଣସି ବିବାଦ ରହିବା ଉଚିତ ନୁହେଁ।

Comments are closed.