ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାମାନଙ୍କ ପାଇଁ ଷ୍ଟାର ପ୍ରଚାରକମାନେ ପ୍ରଚାର କରୁଛନ୍ତି । ବିଜେଡି, ବିଜେପି, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ତାଙ୍କ ସମର୍ଥକମାନେ ପ୍ରଚାରରେ ଲାଗିପଡିଛନ୍ତି । ଆସନ୍ତାକାଲି ଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ ଓ ଅସୁରାଳୀରେ ପ୍ରଚାର କରିବେ । ପରେ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସେହି ସ୍ଥାନରେ ଶ୍ରୀ ପ୍ରଧାନଙ୍କ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ପ୍ରଚାର ସରିବ । ନଭେମ୍ବର ତିନି ତାରିଖରେ ଭୋଟ ଗ୍ରହଣ ହେବ । ୧୧୦୮ ଜଣ ପୋଲିଂ ଅଫିସରଙ୍କୁ ୨ ରାଉଣ୍ଡ ଟ୍ରେନିଂ ଦିଆଯାଇଛି। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ୨ଜଣ କେନ୍ଦ୍ରେୀୟ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଛି। ସୁରକ୍ଷା ଦାୟିତ୍ବରେ ୧୦ ପ୍ଲାଟୁନ ଫୋର୍ସ ମୂତୟନ ହେବେ। ୨ଟି ଲେଖାଏଁ ବିଏସଏଫ ଓ ସିଆରପିଏଫ ଫୋର୍ସ ମୁତୟନ ହେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ବ ଦିଆଯଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
Comments are closed.