Latest Odisha News

ମଦ, ହାଣ୍ଡିଆ ମିଳିଲାନି: ବନ୍ଦ ହୋଇଗଲା ବିବାହ ଭୋଜି, ପୁଲିସ ବି ନାକେଦମ

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ବିବାହ ଭୋଜିରେ ମଦ, ହାଣ୍ଡିଆର ବ୍ୟବସ୍ଥା ହୋଇନଥିବାରୁ ରାଗିଗଲେ ଗାଁ ଲୋକେ। ଆଉ ଅଧା ରହିଗଲା ବିବାହ ଭୋଜି। ଶେଷରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭୋଜିର ଆୟୋଜନ କରିଥିବା ଲୋକଟି ପୋଲିସର ଦ୍ୱାରାସ୍ତ ହୋଇଥିଲେ। ହେଲେ ପୋଲିସ ମଧ୍ୟ ବୁଝାସୁଝା କରିବାରେ ବିଫଳ ହୋଇ ଫେରିଯାଇଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ କାଦବସନ୍ତ ଗାଁ । ଆଦିବାସୀ ଅଧ୍ୟୁଷିତ ଏ ଗାଁରେ ଦେଖିବାକୁ ମିଳିଛି ଅଜବ ଘଟଣା। ବିବାହ ଭୋଜିରେ ମଦ ଓ ହାଣ୍ଡିଆ ନଦେବା ଯୋଗୁଁ ବିବାହ କାର୍ଯ୍ୟ ବନ୍ଦ ହୋଇଛି । ଆଉ ଏଥିପାଇଁ ବୁଝାଇବାକୁ ଯାଇ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡିଛି ।ମାତ୍ର ପୋଲିସ ବିଫଳ ହୋଇ ଘର ବାହୁଡା କରିଛି । କାଦବସନ୍ତ ଗାଁର ଅନନ୍ତ ମାରାଣ୍ଡିଙ୍କ ପୁଅ ପାରାଉ ମାରାଣ୍ଡି ଆଜକୁ ୮ ବର୍ଷ ତଳେ ପରଜଙ୍ଗ ଥାନା କେନ୍ଦୁମୁଣ୍ଡା ଗାଁର ସଜନୀ ମାରାଣ୍ଡିଙ୍କୁ ପ୍ରେମ ଜନିତ ମନ୍ଦିର ବିବାହ କରିଥିଲେ । ମାତ୍ର ଗାଁର ପରମ୍ପରା ଓ ଜାତିର ରୀତିନୀତି ଅନୁଯାୟୀ ଚଳିବାକୁ ହେଲେ ଗାଁ ମୁଖିଆ ବା ମାଝୀବାବାଙ୍କ ବିନା ଅନୁମତିରେ କିଛି ବି କାମ ହୁଏ ନାହିଁ । ତେବେ ବିବାହ କିପରି ହେବ? ଆଦିବାସୀ ପରମ୍ପରାରେ ବିବାହ କରିବାକୁ ହେଲେ କିଛି ନୀତି ନିୟମ ମାନିବାକୁ ପଡିବ ବୋଲି ମାଝୀ ବାବା ରାମଚନ୍ଦ୍ର ହେମ୍ବ୍ରମ ସିଧାସଳଖ କହି ଦେଇଥିଲେ । ତା ପରେ ବିବାହ ହେବ ।

ଦୀର୍ଘ ଆଠ ବର୍ଷ ବିତି ଯାଇଥିଲେ ମଧ୍ୟ ସଜନୀ ମଥାରେ ସିନ୍ଦୁର ପିନ୍ଧି ପାରିଲେ ନାହିଁ। ଶେଷରେ ପାରାଉଙ୍କ ଭାଇ ମାନସିଂ ମାରାଣ୍ଡି ନିଜ ଭାଇର ବିବାହ କରିବା ପାଇଁ ଅଣ୍ଟା ଭିଡିଥିଲେ । ବିବାହ ପାଇଁ ସବୁ କିଛି ଯୋଗାଡ଼ କରିଥିଲେ ।ସାହି ପଡିଶା ବନ୍ଧୁ ବାନ୍ଧବଙ୍କ ଗହଳିରେ ଘର ଯେମିତି ହସ ଖୁସିରେ ପୁରି ଉଠିଥିଲା । ମାତ୍ର ବଇରି ସାଜିଲା ସମାଜ । ବିନା ମଦରେ ବିବାହ ହୋଇ ପାରିବ ନାହିଁ ବୋଲି ସମାଜର ସାତ ଖଣ୍ଡ ଗାଁରୁ ଆସିଥିବା ଭଦ୍ରବ୍ୟକ୍ତି ମାନେ ମନା କରି ଦେଇଥିଲେ । ପ୍ରଥମେ ବର ଭୁଲ ମାଗିବ । ତା’ପରେ ସମାଜ ଚିନ୍ତା କରିବ ବିବାହ କେମିତି ହେବ। ଏଭଳି ମନ୍ତବ୍ୟ ଦେଇଥିଲେ ଗାଁ ମୁଖିଆ ମାଝୀ ବାବା ଓରଫ ରାମଚନ୍ଦ୍ର ହେମ୍ବ୍ରମ ଏବଂ ସହଯୋଗୀ।

ବିବାହ ପାଇଁ ବେଦୀ ରେଡି ,ଟେଣ୍ଟ ବି ରେଡି ହେଲା ଗ୍ରାମବାସୀ ଓ ବନ୍ଧୁ ବାନ୍ଧବଙ୍କ ପାଇଁ ସ୍ୱାଦିଷ୍ଟ ବ୍ୟଞ୍ଜନ ଯଥା ମାଂସ ତରକାରୀ ସହ ଭାତ, ଡାଲି, ତରକାରୀ ଆଦି ପ୍ରସ୍ତୁତ ହେଲା । ହେଲେ ମଦ ଓ ହାଣ୍ଡିଆ ବ୍ୟବସ୍ଥା ହୋଇନଥିଲା। ବିନା ମଦ ହାଣ୍ଡିଆରେ ବାହାଘର କେମିତି ହେବ। ବାସ୍ କ୍ଷଣକରେ ବାହାଘର ବନ୍ଦ ହୋଇଗଲା। ବର ପକ୍ଷ ପ୍ରଥମେ ଭୁଲ ମାଗିବ ଏବଂ ପରେ ସମାଜର ନିତିକ୍ରାନ୍ତି ମାନିବ। ଏହାପରେ ସମାଜ ଯେବେ କହିବ ସେହି ଦିନ ବର କନ୍ୟା ମଥାରେ ସିନ୍ଦୁର ଦେଇ ବିବାହ କରିବ ବୋଲି ଅଜବ ଯୁକ୍ତି କରିଥିଲେ ମାଝିବାବା । ସେ କହିଥିଲେ ଆଦିବାସୀ ସିଙ୍ଗେଲ୍ ଅଭିଯାନ ପକ୍ଷରୁ ଏ ଯେଉଁ ବିବାହ କରାଯାଉଛି ତାହା ଆମେ କରିବାକୁ ଦେବୁ ନାହିଁ । ଆମ ସମାଜର ନିତିକ୍ରାନ୍ତି ତାଙ୍କୁ ମାନିବାକୁ ପଡିବ । ତେବେ ବିବାହ ପାଇଁ କାମାକ୍ଷାନଗର ପୋଲିସ ପହଞ୍ଚି ବହୁତ ବୁଝା ସୁଝା କରିଥିଲା ମାତ୍ର ବିଫଳ ହୋଇଥିଲେ । ବାହାଘର ବନ୍ଦ ହୋଇଗଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବରପକ୍ଷ ଶେଷରେ ନିରାଶ ହେବାକୁ ପଡିଛି ।

Comments are closed.