Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା

ସୋସିଆଲ ମିଡିଆରେ
ଭଲ କବିତା ବନାମ ଖରାପ କବିତା

କେଦାର ମିଶ୍ର

ଭଲ କବିତାକୁ ଖରାପ କବିତାର ଭିଡରୁ ରକ୍ଷା କରିବାକୁ ହେବ – ଆମ ସମୟର କେତେଜଣ ଅତ୍ୟନ୍ତ ସମ୍ବେଦନଶୀଳ କବି ଏ କଥା ଉଠେଇଛନ୍ତି। ସେମାନଙ୍କର ଭୟ ହେଉଛି, ଖରାପ କବିତାର ଭିଡ ଭିତରେ କାଳେ ଭଲ କବିତା ହଜିଯାଇପାରେ !!

ସାମାଜିକ ଗଣମାଧ୍ୟମର ରହସ୍ୟମୟ କାନ୍ଥରେ ଏତେ ଅଜବ ଓ ଅଦ୍ଭୁତ କବିତାର କୋଳାହଳ ଯେ ତାକୁ ଦେଖି ନିରୋଳା କବିଟିଏ ଭୟ ପାଇବ ନିଶ୍ଚୟ । ତା’ ପରେ କବିତା ଲାଗି ଏ କୋଳାହଳ ନିତାନ୍ତ ନୂଆ। ୟା ପୂର୍ବରୁ କବି ନିଜ ନିକାଂଚନ ମୂଲକରେ କବିତା ସହ ଏକାକୀ ରୋମାନସର ଆନନ୍ଦରେ ମଗ୍ନ ଥିଲା। ସେଠି କବିତା ଓ କବି ଛଡା ଆଉ କେହି ନଥିଲେ । ଏପରିକି ପାଠକ, ରସିକ ବା ଗ୍ରାହକ କେହି କବି ଓ କବିତାର ସମ୍ପର୍କ ଭିତରକୁ ଆସିବାର ସୁଯୋଗ ପାଇନଥିଲେ। କବି କବିତା ଲେଖି ତାକୁ ତାର ଭାଗ୍ୟ ସହ ଏକୀଭୂତ କରିଦେଉଥିଲା । କେଉଁ ହଜାର ବର୍ଷ ପରେ ଏଇ ବିପୁଳ ପୃଥିବୀରୁ ପାଠକଟିଏ ନିଶ୍ଚୟ ଜନ୍ମ ନେବ ବୋଲି କବିର ଆସ୍ଥା ଥିଲା- “କାଳୋହୟମ ପୃଥିବୀ ବିପୁଳାଚ ପୃଥ୍ୱୀ” । ପାଠକ ସହ କବିତାର ସମ୍ପର୍କ ଅଲଗା ପ୍ରକାର। ସେଠି କବିର କୌଣସି ଭୂମିକା ନାହିଁ।

କବିତାକୁ ପଢିଲାବେଳେ କବିର ଦୃଷ୍ଟି ପାଠକ ପାଖରେ ନାହିଁ। ପାଠକ ଆପଣା ଦୃଷ୍ଟିରେ କବିତାକୁ ପଢିବ, ପଦର ଅର୍ଥ ବାହାର କରିବ, ନିଜ ଜୀବନକୁ କବିତାରେ ଢଳେଇ ଆପଣାର ପ୍ରସଂଗକୁ ଖୋଜିବ। ତେଣୁ କବିର କବିତା ଓ ପାଠକର କବିତା ଏକା ନ ହୋଇପାରନ୍ତି । ସେମାନେ ପୂରା ଅଲଗା ଅର୍ଥ ବହନ କରୁଥିବା ଅସମାନ ଶବ୍ଦପୁଞ୍ଜ ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ କବିତାକୁ ନେଇ କବି ଅଧିକାର ସାବ୍ୟସ୍ତ କରିବାର କୌଣସି ସୁଯୋଗ ନାହିଁ। ଅନେକ ସମୟରେ କବିତା ଏକ ନିରୋଳ ରାଜତନ୍ତ୍ର। କବି ରାଜା ଓ କବିତା ରାଣୀ, ବାକି କାହାର କିଛି କହିବାର ନାହିଁ। ବାକି ସମସ୍ତେ ବାହାର ଲୋକ। ସେମିତି ପାଠକ ସହ କବିତାର ସମ୍ପର୍କ ମଧ୍ୟ ନିବିଡ ଭାବରେ ବ୍ୟକ୍ତିଗତ। କବିତା ସମୂହ ବା ଗୋଷ୍ଠୀ ସହ ଲେଖା ହେବା ଅବସ୍ଥାରେ କେବେବି ଜଡିତ ରହିପାରିବ ନାହିଁ। ତେଣୁ କବିତା ରଚନା ଆଦୌ ଗଣତାନ୍ତ୍ରିକ ପ୍ରକ୍ରିୟା ନୁହଁ।

ତେବେ ସମୟ ସହିତ ଗଣତନ୍ତ୍ର ତାର ସୁବିପୁଳ ପ୍ରଭାବକୁ କବିତା ଉପରେ ମଧ୍ୟ ଜାହିର କରିଛି। କଳାରେ ଗନତନ୍ତ୍ରର ଚେତନା କେତେଦୂର ଗ୍ରହଣଯୋଗ୍ୟ ତାକୁ ନେଇ ବାଦ ବିସମ୍ବାଦ ଯଦିଓ ରହିଛି, ତାରି ଭିତରେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, କବିତା ଅଧିକରୁ ଅଧିକ ଉନ୍ମୁକ୍ତ ହେବା ସହ କବିକୁ ମଧ୍ୟ ତାର ନିରୋଳାପଣରୁ ଭିଡ ଭିତରକୁ ଓଟାରି ଆଣୁଛି । କବିର ଗୋପନ ନିକାଂଚନ ମୂଲକରେ ଏବେ ଗଣତନ୍ତ୍ରର କୋଳାହଳ ଶୁଭୁଛି ଓ ତାକୁ ନେଇ କବିର ଦ୍ଵିଧା ମଧ୍ୟ ସ୍ୱାଭାବିକ ଭାବେ ଦୃଶ୍ୟମାନ ହେଉଛି। ଫେସବୁକ୍ କବିତା ବା ମାଇକ୍ରୋ ବ୍ଲଗର କବିତାକୁ ନେଇ ଆମର ଭୟ ପଛରେ ଏଇ ଗଣତନ୍ତ୍ର ଇ ଦାୟୀ ।

କବିତା ଲେଖିବା ଏକ ସ୍ୱାଧୀନ ବ୍ୟାପାର ହେଲେମଧ୍ୟ କବିତାକୁ ଲୋକଂକ ପାଖରେ ପହଂଚାଇବାର ପ୍ରକ୍ରିୟାଟି ଗୋଟେ ରାଜନୈତିକ ତନ୍ତ୍ରର ଅଧୀନ। ଭଲ କବିତା ଓ ଖରାପ କବିତା ବାଛିବା ଓ ତାର ପ୍ରକାଶନ ତଥା ପ୍ରସାରଣ କାମଟି କବିର ଅଧୀନ ନୁହଁ। ସେଠି ସମ୍ପାଦକ ଓ ପ୍ରକାଶକ କବିତାର ଭାଗ୍ୟବିଧାତା ଭୂମିକାରେ ବସିଥାନ୍ତି। ସେମାନେ କବିତାର ନିୟାମକ ଓ ନିୟନ୍ତ୍ରକ। ସେମାନଂକ ରୁଚି ଓ ପସନ୍ଦ ସହ ଭଲ କବିତାର ଭାଗ୍ୟ ଆପେ ଆପେ ଯୋଡି ହୋଇଯାଏ। ସେମାନେ ନିଜ ରୁଚି ମୁତାବକ ପାଠକର ରୁଚି ନିର୍ମାଣ କରିବାର ପ୍ରୟାସ କରନ୍ତି। ତେଣୁ ଅନେକ ସମୟରେ ବହୁ ବଡ କବି ନିଜ ଜୀବନକାଳରେ ପ୍ରକାଶିତ ହେବାର ସୁଯୋଗ ପାଇନାହାନ୍ତି । ଭୀମ ଭୋଇଂକ କବିତା ତାଂକ ମୃତ୍ୟୁର ୪୦ ବର୍ଷ ପରେ ଯାଇ ଛପା ଅକ୍ଷରରେ ବହିକୁ ଆସିଲା। କବି, କବିତା ଓ ପ୍ରକାଶନତନ୍ତ୍ରର ସମ୍ପର୍କ ଅତି ମାତ୍ରାରେ ଜଟିଳ। ସେଇ ଜଟିଳ ଗଣିତ ସହ ସରଳ କବିଟିଏ ଅନେକ ସମୟରେ ତାଳ ଦେଇ ଚାଲିପାରେ ନାହିଁ। ତେଣୁ ଭଲ କବିତାର ସମ୍ଭ୍ରାନ୍ତ ଶୋଭାଯାତ୍ରାରେ ନମ୍ର କବିଟିଏ ଅଣଦେଖା ରହିଯିବାର ସମ୍ଭାବନା କିଛି କମ ନୁହଁ। ସୋସିଆଲ୍ ମିଡିଆ ଆସିଲା ପରେ ଏହି ସମ୍ଭ୍ରାନ୍ତ ଓ ସାମନ୍ତ ପ୍ରକ୍ରିୟାଟି ସବୁଠୁ ବଡ ଆହ୍ୱାନର ସାମ୍ନା କରୁଛି।

ସୋସିଆଲ ମିଡିଆରେ କବିତାର ଆକଳନକୁ ନେଇ କିଛି କବି ଅତ୍ୟଧିକ ବିଚଳିତ ହୋଇ ପଡନ୍ତି। ଅସଲ କଥା ହେଉଛି, ଫେସବୁକ ବା ଟୁଇଟରକୁ ଆପଣ ବଜାରର ଏକ ଅଂଶ ବୋଲି ଭାବିବାକୁ ପଡିବ। ଆଉ ବଜାର ସମ୍ପର୍କରେ କବୀରଙ୍କର ସେହି ପ୍ରସିଦ୍ଧ ପଦଟିକୁ କବିମାନେ ମନେ ପକାନ୍ତୁ- କବୀରା ଖଡା ବାଜାର ମେ ଲିୟେ ଲୁକାଠି ହାଥ, ଜିସକା ହୋ ଘର ଜାରୈ ୱୋ ଆୟେ ହମାରେ ସାଥ। (କବୀର କହୁଛି, ବଜାର ଭିତରେ ହାତେ ହାତେ ଯଷ୍ଟିମୁଠି ଧରି, ନିଜ ଘର ଯିଏ ନିଜେ ଜାଳିପାରେ ସେହି ଆସୁ ମୋହ ସରି ) ।

Leave A Reply

Your email address will not be published.