ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡି ଗଡ ବଞ୍ଜାଇବାକୁ ଆରମ୍ଭ କରିଛି ପ୍ରୟାସ । ତେଣୁ ବିରୋଧୀ ଶିବିର ବିଜେପିର ଟାଣୁଆ ନେତା ରାଜୁ ଘିବେଲାଙ୍କୁ ଆଣି ଦଳରେ ସାମିଲ କରାଇବାରେ ସକ୍ଷମ ହୋଇଛନ୍ତି ପଦ୍ମପୁର ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁ । ରାଜୁ ୨୦୧୯ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ପରେ ବିଜେପରେ ସାମିଲ ହୋଇଥିଲେ । ହେଲେ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରିବାରରୁ ଟିକେଟ୍ ଆଶାୟୀ ବଢିବା ପରେ ବିଜେଡି ଦଳ ଭିତରେ ବିଦ୍ରୋହୀ ସୃଷ୍ଟି ହେବା ଆଶଙ୍କା ବଢିଛି ।
ବିଜେଡି ପାଇଁ ପଦ୍ମପୁରରେ କିଏ ପ୍ରାର୍ଥୀ ହେବେ ସେ ନେଇ ଅକଳରେ ପଡିଥିବା ସୂଚନା ରହିଛି । ଧାମନଗର ଉପନିର୍ବାଚନରେ ଦଳ ପରାଜିତ ହେବା ପଛର ପ୍ରମୁଖ କାରଣ ପ୍ରାର୍ଥୀ ଚୟନ । ତେଣୁ ଏବେ ପଦ୍ମପୁରରେ ଦଳର ବିଦ୍ରୋହୀ ନେତା ଯେପରି ସୃଷ୍ଟି ନହେବେ ତା ଉପରେ ଗୁରୁତ୍ୱ ଦେଇଛି । ହେଲେ ଦଳର ଚେହେରା ହେବା ଭଳି କୌଣସି ନେତା ନଥିବା ବେଳେ ଦଳ ଡିଆଁ ନେତା ରାଜୁ ଘିବେଲାଙ୍କୁ ବିଜେପି ଟିକେଟ୍ ଦେଇପାରେ । କାରଣ ପ୍ରଦୀପ ପୂରୋହିତ ରାଜନୀତିରେ ସକ୍ରିୟ ଥିବାରୁ ଏଠାରେ ରାଜୁ ଦଳୀୟ ଟିକେଟ ପାଇବା ଆଶଙ୍କା କମ୍ ରହିଛି । ତେଣୁ ଦଳରେ ନେତା ଅଭାବ ବେଳେ ରାଜୁଙ୍କୁ ବିଜେଡି ଟିକେଟ୍ ଦେଇପାରେ ।
ଅନ୍ୟପଟେ ଦିବଂଗତ ବିଧାୟକ ବରିହାଙ୍କ ପରିବାରୁ ଟିକେଟ୍ ଆଶାୟୀ ବଢିବାରେ ଲାଗିଛି । ଏସଏଜି ଏବଂ ମହିଳା ପ୍ରାର୍ଥୀଙ୍କୁ ବିଜେଡି ଗୁରୁତ୍ୱ ଦେଉଥିବାରୁ ଟିକେଟ୍ ଆଶାୟୀ ହୋଇଛନ୍ତି ଦିବଂଗତ ବିଧାୟକଙ୍କ ପତ୍ନୀ ତିଳୋତ୍ତମା ସିଂ ବରିହା । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟିକେଟ୍ ପାଇଁ ସେ ଆଶାୟୀ ବୋଲି କହିଛନ୍ତି । ଅନ୍ୟପଟେ ବରିହାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା ମଧ୍ୟ ପରିବାରର ଯେକୌଣସି ସଦସ୍ୟଙ୍କୁ ଟିକେଟ୍ ଦେବାକୁ ଦାବି କରି ନିଜ ପାଇଁ ଲବି କରିବା ଆରମ୍ଭ କରିଛନ୍ତି । ଯଦିଓ ନିଜର ଇଚ୍ଛାକୁ ଖୁଲମଖୋଲା କହି ନାହାନ୍ତି କିନ୍ତୁ କହିଛନ୍ତି ତାଙ୍କ ଖୁଡି ତଥା ଦିବଂଗତ ବିଧାୟକଙ୍କ ପତ୍ନୀଙ୍କୁ ଟିକେଟ୍ ଦେଲେ ମଧ୍ୟ ପରିବାର ଏକାଠି ହୋଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ତଥା ହେଲା ପୁଅ, ପତ୍ନୀ ଟିକେଟ୍ ମାଗିବାର ନିଜର ରହିଛି ହେଲେ ହଠାତ୍ ପୁତୁରା ବୋହୂ ଆସି ଟିକେଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ନେଇ ପଦ୍ମପୁର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ, ଉଭୟ ବିଜେଡି, ବିଜେପି ଏବଂ କଂଗ୍ରେସ ପଦ୍ନପୁର ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ର କହିଛନ୍ତି ପଦ୍ମପୁରରେ ଦଳ ନିଶ୍ଚିତ ବିଜୟ ହେବ । ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପି ପଦ୍ମପୁର ପାଇଁ ରଣନୀତି ତିଆରି କରିଛି । ଏଠି ବି ଧାମନଗର ଭଳି ବିଜେପି ବିଜୟୀ ହେବ । ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଦଳ ବିଜୟୀ ହେବ ।
Comments are closed.