Latest Odisha News

ବାବା ରାମଦେବଙ୍କ ପତଞ୍ଜଳିର ୫ଟି ଔଷଧ ଉପରେ ପ୍ରତିବନ୍ଧକ ପରେ ନିର୍ଦ୍ଦେଶ ଫେରାଇ ନେଲା ପ୍ରଶାସନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ନେଲେ ୟୁ-ଟର୍ଣ୍ଣ । ବାବା ରାମଦେବଙ୍କ ପତଞ୍ଜଳି ଦିବ୍ୟ ଫାର୍ମାସୀର ୫ଟି ସାମଗ୍ରୀ ଉପରେ ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ନେଇଛନ୍ତି । ନଭେମ୍ବର ୯ ତାରିଖରେ ପତଞ୍ଜଳିର ବିପିଗ୍ରିଟ୍, ମଧୁଗ୍ରିଟ୍, ଥାଇରୋଗ୍ରିଟ୍, ଲିପିଡମ୍ ଏବଂ ଆଇଗ୍ରିଟ୍ ଗୋଲ୍ଡ ଟାବଲେଟ୍ ଉପରେ ଉତ୍ତରାଖଣ୍ଡ ଆୟୁର୍ବେଦ ଓ ଉନାନି ଲାଇସେନ୍ସିଂ ଅଥରିଟି ପ୍ରତିବନ୍ଧକ ଲଗାଇଥିଲେ ।

ଏସବୁ ଆୟୁର୍ବେଦ ଔଷଧର ଉତ୍ପାଦନ ଉପରେ ପ୍ରତିବନ୍ଧକର ୩ ଦିନ ପରେ କର୍ତ୍ତୃପକ୍ଷ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେବା ସହ ଉତ୍ପାଦନ ଜାରି ରଖିବାକୁ ପତ୍ତଞ୍ଜଳିକୁ ଚିଠି ଲେଖିଛନ୍ତି । ଯାହାକୁ ନେଇ ବାବା ରାମଦେବଙ୍କ ଘନିଷ୍ଠ ଆଚାର୍ଯ୍ୟ ବାଳକ୍ରିଷ୍ଣ, ଉତ୍ତରାଖଣ୍ଡ ଆୟୁର୍ବେଦ ଓ ଉନାନି ଲାଇସେନ୍ସିଂ ଅଥରିଟିଙ୍କୁ ସମାଲୋଚନା କରିଛନ୍ତି ।

ଟ୍ୱିଟ୍ କରି ଆଚାର୍ଯ୍ୟ ବାଳକ୍ରିଷ୍ଣ ଲେଖିଛନ୍ତି, ଉତ୍ତରାଖଣ୍ଡ ସରକାର ଭୁଲ୍ ମାନି ନେଇ ପତଞ୍ଜଳିର ୫ଟି ସାମଗ୍ରୀ ଉପରେ ଲଗାଇଥିବା କଟକଣା ହଟାଇ ନେଇଛନ୍ତି । ପତଞ୍ଜଳି ବିଶ୍ୱର ସର୍ବପ୍ରଥମ ଆୟୁର୍ବେଦ ସଂସ୍ଥା । ଯାହାକି ଦୀର୍ଘ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଆୟୁର୍ବେଦ ଔଷଧ ଉପରେ ଗବେଷଣା କରି ଆସୁଛି ।

ପତଞ୍ଜଳିର ବିପିଗ୍ରିଟ୍, ମଧୁଗ୍ରିଟ୍, ଥାଇରୋଗ୍ରିଟ୍, ଲିପିଡମ୍ ଏବଂ ଆଇଗ୍ରିଟ୍ ଗୋଲ୍ଡ ଟାବଲେଟ୍ ମଧୁମେହ, ଉଚ୍ଚ ରକ୍ତଚାପ, ଗ୍ଲୁକୋମା ଓ ହାଇ କୋଲେଷ୍ଟେରଲ୍ ଲାଗି ବ୍ୟବହାର ହୋଇଥାଏ । ପତଞ୍ଜଳିର ଏସବୁ ଔଷଧ ନେଇ କେରଳର ଡାକ୍ତର କେଭି ବାବୁ ଅଭିଯୋଗ ଆଣିଥିଲେ । କହିଥିଲେ ପତଞ୍ଜଳିର ଦିବ୍ୟ ଫାର୍ମାସୀ ଡ୍ରଗ୍ସ ଆଇନର ଉଲ୍ଲଂଘନ କରୁଛି । ଅଭିଯୋଗ ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାର ୩ ଦିନ ପରେ ପୁଣି ୟୁ-ଟର୍ଣ୍ଣ କରିବା ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

Comments are closed.