Latest Odisha News

BREAKING NEWS

ମାଛ ଧରିବା ପାଇଁ ବନିଶି ପକାଇଥିଲେ, ପଡ଼ିଲା ବିରଳ ଧଣ୍ଡ ସାପ

ଜଗତସିଂହପୁର : ବିରଳ ଲିୟୁସିଷ୍ଟିକ୍‌ ଧଣ୍ଡ ସାପ ଉଦ୍ଧାର । ଏହି ବିରଳ ସାପଟି ବନିଶିରେ ପଡ଼ିଥିଲା  । ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ କୁଳକଇଜଙ୍ଗା ଗ୍ରାମରୁ ଉଦ୍ଧାର ହୋଇଛି ଏହି ବିରଳ ସାପ  । ଖୋକନ ସେଠୀ ବନିଶିରେ ଥୋପ ଗୁନ୍ଥି ରାତିରେ ପୋଖରୀ ହୁଡ଼ାରେ ପୋତି ଦେଇ ଆସିଥିଲେ । ଆଶା ଥିଲା ରାତିରେ ଶେଉଳ ମାଛଟିଏ ପଡ଼ିବ । ସକାଳୁ ଖୋକନ ବନିଶି ଦେଖିବାକୁ ଯାଇ ଦେଖନ୍ତି ତ ଏକ ହଳଦିଆ ରଙ୍ଗର ସାପ ବନସୀ କଣ୍ଟା ଗିଳି ଦେଇଛି ।

ସ୍ଥାନୀୟ ଲୋକେ ସାପଟିକୁ ଉଦ୍ଧାର କରି ସାପ ପାଟିରୁ କଣ୍ଟା ବାହାର କରିଦେଲେ । ହେଲେ ହଳଦିଆ ରଙ୍ଗର ଏହି ସାପଟିକୁ କେହି ବି ଚିହ୍ନି ପାରିନଥିଲେ । ଖୋକନ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ କିଛି ଫୋଟୋ ପଠେଇ, ସାପଟିକୁ ଚିହ୍ନିବା ପାଇଁ ଅନୁରୋଧ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଏବଂ କୁନ୍ଦନ ପାଶ୍ୱାନଙ୍କ ସହିତ ଶୁଭେନ୍ଦୁ ଜଗତସିଂହପୁର ବିରିଡି ଯାଇ ସେଇ ସାପଟିକୁ ପରୀକ୍ଷା କରିଥିଲେ ।

ସାପଟି ପ୍ରକୃତରେ ଏକ ଧଣ୍ଡ ସାପ ହିଁ ଥିଲା । ଇଂରାଜୀରେ ଏହାକୁ Checkered Keel Back Snake କୁହାଯାଏ । ତେବେ, ସାଧାରଣ ଧଣ୍ଡ ସାପର ଶରୀରରେ କଳା – ଧଳା / ମାଟିଆ / ହଳଦିଆ ଆଦି ରଙ୍ଗର ଚେକ୍ ଚେକ୍ ପ୍ୟାଟର୍ନ ହୋଇଥିବା ବେଳେ, ଏଇ ବିରଳ ଧଣ୍ଡ ସାପଟିର ଦେହରେ ଚେକ୍ ପ୍ୟାଟର୍ନ ଆଦୌ ନଥିଲା । ସାଧାରଣ ଧଣ୍ଡ ସାପ ମାନଙ୍କର ଶରୀର ଉପରୁ ଦେଖିଲେ ଗ୍ଲସି ଅଲିଭ ସବୁଜ, ଅଲିଭ ମାଟିଆ, ହଳଦିଆ, ଧୂସର, କଳା ଆଦି ରଙ୍ଗର ଦେଖାଯାଇଥାଏ । ମାତ୍ର, ଜଗତସିଂହପୁରରୁ ଉଦ୍ଧାର ହୋଇଥିବା ବିରଳ ଧଣ୍ଡ ସାପ ଦେହରେ କୌଣସି ଗାଢ଼ କଳା/ ମାଟିଆ/ ସବୁଜ ଆଦି ରଙ୍ଗର ଚିହ୍ନ ବର୍ଣ୍ଣ ନଥିଲା ।

ସବୁ ଧଣ୍ଡ ସାପଙ୍କୁ ଚିହ୍ନିବା ପାଇଁ ଏଇ କଳା ଗାର ଦୁଇଟି ସହାୟକ ହୋଇଥାଏ । ତେବେ ଜଗତସିଂହପୁରରେ ଠାବ ହୋଇଥିବା ବିରଳ ଧଣ୍ଡ ସାପ ଶରୀରରେ ସେଇ ସ୍ପଷ୍ଟ କଳା ଗାର ଦୁଇଟି ବଦଳରେ ଦୁଇଟି ଅସ୍ପଷ୍ଟ କଳା ବା ମାଟିଆ ରଙ୍ଗର ଗାର ପଡ଼ିଥିଲା । ତେବେ ଆଲବିନୋ ସାପ ହୋଇଥିଲେ ଏହି ବିରଳ ସାପ ଟିର ଆଖି ମଧ୍ୟ ଗୋଲାପୀ ରଙ୍ଗର ହୋଇଥାନ୍ତା । କିନ୍ତୁ, ସାଧାରଣ ରଙ୍ଗର ଆଖି ହୋଇଥିବାରୁ ଜଗତସିଂହପୁର ଜିଲ୍ଲାରେ ବନିଶି କଣ୍ଟାରେ ପଡ଼ିଥିବା ଏହି ବିରଳ ହଳଦିଆ ରଙ୍ଗର ସାପଟି ଏକ ଲିୟୁସିଷ୍ଟିକ ଧଣ୍ଡ ବା Leucistic Checkered Keel Back ସାପ ବୋଲି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

 

 

Leave A Reply

Your email address will not be published.