Latest Odisha News

BREAKING NEWS

ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା…

ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା…

ସଂପଦ ମହାପାତ୍ର

ସାରା ଦେଶ ଚାହିଁ ବସିଥିଲା । ୧୫ତାରିଖ ବଡି ଭୋର ୨.୫୧ମିନିଟରେ ମହାକାଶକୁ ଯାଇଥାନ୍ତା ଚନ୍ଦ୍ରଯାନ-୨ । ହେଲେ ରାତି ୧.୫୫ମିନିଟ ଅର୍ଥାତ ପ୍ରକ୍ଷେପଣର ୫୬ମିନିଟ ଆଗରୁ ଦେଶର ବହୁ ପ୍ରତୀକ୍ଷିତ ମିଶନ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଲେ ଇସ୍ରୋର ବୈଜ୍ଞାନିକ । ଶେଷ ମୂହୁର୍ତ୍ତରେ ରକେଟର କ୍ରାୟୋଜେନିକ ସେକ୍ସନରେ କିଛି ତ୍ରୁଟି ଦେଖିବାକୁ ମିଳିଥିଲା । ରକେଟରୁ ଏହି ଭାଗରୁ ଦହନଶୀଳ ଇନ୍ଧନ ଲିକ୍ ହେଉଥିବା ଆଶଙ୍କା କରାଯାଇଥିଲା । ଫଳରେ ତୁରନ୍ତ ମିଶନ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଶ୍ରୀହରିକୋଟାରେ ଚନ୍ଦ୍ରଯାନ ପ୍ରକ୍ଷେପଣ ଦେଖିିବାକୁ ଆସି ରାତିସାରା ଚାହିଁ ବସିଥିବା ଲୋକଙ୍କୁ ନିରାଶ କରିଥିଲା ସତ, କିନ୍ତୁ ମିଶନ ସ୍ଥଗିତ ନିଷ୍ପତ୍ତି ପାଇଁ ଇସ୍ରୋର ବୈଜ୍ଞାନିକଙ୍କୁ ସବୁ ମହଲରୁ ଭୁରି ଭୁରି ପ୍ରଶଂସା ମିଳୁଛି । ଠିକଣା ସମୟରେ ତ୍ରୁଟିକୁ ଖୋଜି ପାଇବା କିଛି କମ କଥା ନୁହେଁ । ଯଦି ଶେଷ ଏକ ଘଂଟାରେ ତ୍ରୁଟି ଧରା ପଡିନଥାନ୍ତା, ଆଉ ରକେଟ୍ ଉତକ୍ଷେପଣ ହୋଇ ଯାଇଥାନ୍ତା, ତେବେ ପୁରା ମିଶନ ଫେଲ୍ ହେବାର ଆଶଙ୍କା ମଧ୍ୟ ରହିଥାନ୍ତା । ମିଶନ ପାଇଁ ବ୍ୟୟ ହୋଇଥିବା ୯୭୮କୋଟି ଟଙ୍କା ମାତ୍ର କିଛି ସେକେଣ୍ଡରେ ଜଳି ପୋଡି ପାଉଁଶ ହୋଇ ଯାଇଥାନ୍ତା । କାରଣ କ୍ରାୟୋଜେନିକ ସେକ୍ସନ ରକେଟର ସବୁଠୁ ଗୁରୁତ୍ୱପୂର୍ଣ ଅଂଶ, ଯେଉଁଠି ତରଳ ଅମ୍ଳଜାନ ଏବଂ ଉଜଦାନ ଇନ୍ଧନ ବ୍ୟବହାର କରାଯାଏ । ମାଇନସ୍ ୨୫୩ଡିଗ୍ରୀ ତାପମାତ୍ରାରେ ତରଳ ଅମ୍ଳଜାନ ଏବଂ ଉଦଜାନକୁ ନିୟନ୍ତ୍ରଣ କରି ରକେଟରେ ଭରିବା ବେଶ ମୁସ୍କିଲ । କାରଣ ଏହି ଦୁଇ ଇନ୍ଧନ ଅତ୍ୟନ୍ତ ଦହନଶୀଳ । ଉତକ୍ଷେପଣ ଆଗରୁ ଏହି ଇନ୍ଧନ ଭରାଯାଇଥାଏ ।

ତେବେ ତ୍ରୁଟି ଦେଖାଯିବା ପରେ ତରଳ ଅମ୍ଳଜାନ ଏବଂ ଉଦଜାନକୁ ସଫଳତାର ସହ ରକେଟକୁ ବାହାର କରି ଦିଆଯାଇଛି । ଇତିହାସ ରଚିବା ଚକ୍କରରେ ଇସ୍ରୋ ବୈଜ୍ଞାନିକମାନେ କୌଣସି ତରବରିଆ ପଦକ୍ଷେପ ନେବା ବଦଳରେ ମିଶନ ସ୍ଥଗିତ କରିବା ଦ୍ୱାରା ବଡ ଅଘଟଣକୁ ସଫଳତାର ସହ ଏଡାଇ ଦେଇଛନ୍ତି ।

ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁ ଅଂଚଳରେ ଓହ୍ଲାଇବ । ଏହି ଅଂଚଳରେ ଆଗରୁ କୌଣସି ଦେଶ ଯାନ ପଠାଇନଥିବା ବେଳେ ଭାରତର ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ସାହସ କରିଛି । କେବଳ ସେତିକି ନୁହେଁ ଚନ୍ଦ୍ରରେ ପାଣି, ଖଣିଜର ସନ୍ଧାନ କରିବା ସହ ଆମ ସୌରଜଗତ ସୃଷ୍ଟିର ରହସ୍ୟ ଭେଦ କରିବ ଚନ୍ଦ୍ରଯାନ-୨ ।

କହିବାକୁ ଗଲେ, ସାରା ବିଶ୍ୱ ପାଇଁ ଚନ୍ଦ୍ରଯାନ-୨ ମିଶନ ଏକ ନୂଆ ଆଶାର ସନ୍ଧାନ କରିବ । ତେଣୁ ଏତେ ମହତ୍ୱାକାଂକ୍ଷୀ ଯୋଜନାର ଶହେ ପ୍ରତିଶତ ସଫଳତା ପାଇଁ ଇସ୍ରୋ ଲାଗି ପଡିଛି । ଖୁବଶୀଘ୍ର ରକେଟରେ ଥିବା ତ୍ରୁଟିକୁ ସୁଧାରି ଜୁଲାଇ ଶେଷ ଆଡକୁ ପୁଣିଥରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ନେଇ ଇସ୍ରୋ ବୈଜ୍ଞାନିକମାନେ ଉଦ୍ୟମ କରିପାରନ୍ତି ।

Leave A Reply

Your email address will not be published.