Latest Odisha News

BREAKING NEWS

ଶ୍ରୀମନ୍ଦିରର ଜଗମୋହନ ବା ମୁଖଶାଳା (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ରେଖ ଦେଉଳ ଶୈଳୀରେ ନିର୍ମିତ ବିମାନର ପୂର୍ବ ଦିଗରେ ସଂଯୁକ୍ତ ପୀଢ଼ ଦେଉଳ ଜଗମୋହନ ନାମରେ ଖ୍ୟାତ । ବିମାନ ସହିତ ଏହା ଶ୍ରୀବତ୍ସଖଣ୍ଡଶାଳର ମୁଖ୍ୟ ଅଂଶ ଭାବରେ ବିଦିତ । କାବ୍ୟ କଳ୍ପନାରେ ଏହାକୁ ମହାଲକ୍ଷ୍ମୀ, ନାରାୟଣଙ୍କ କୋଳମଣ୍ଡନ କରିବାର ଉପମା ଦିଆଯାଇଛି । ପୀଢ଼ ଶୈଳୀର ଦେଉଳ ଭାବରେ ଏହାର ସ୍ଥାପତ୍ୟ ତଥା ବାଡ଼ରେ ଉତ୍କୀର୍ଣ୍ଣ ଭାସ୍କର୍ଯ୍ୟ ସମୁହ ଅତ୍ୟନ୍ତ ଆକର୍ଷଣୀୟ ଏବଂ ପାରମ୍ପରିକତାର ପ୍ରମୁଖ ଉଦାହରଣ । କଳିଙ୍ଗ ଶୈଳୀର ପୀଢ଼ ମନ୍ଦିର ନିୟମ ଅନୁସାରେ ଏହାର ଚତୁଃପାଶ୍ୱର୍ରେ ପ୍ରବେଶ ପଥ ରହିଥାଏ । ଶ୍ରୀମନ୍ଦିର ନିର୍ମାଣ ବେଳେ ବିମାନ ସହିତ ଜଗମୋହନର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲା । ପରବର୍ତ୍ତୀ କାଳରେ ଏହାର ପୂର୍ବଦିଗରେ ସଳଖ ଭାବରେ ନାଟ୍ୟମନ୍ଦିର ଏବଂ ପରେ ଭୋଗମଣ୍ଡପ ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯାଇଛି ।

ବାହ୍ୟ ବର୍ଣ୍ଣନା:

ଜଗମୋହନର ଢ଼ାଞ୍ଚା ପ୍ରାୟ ୮୦ଫୁଟରେ ୮୦ଫୁଟ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ବିମାନ ଓ ଜଗମୋହନର ପୀଠ ର ଉଚ୍ଚତା ସମାନ । ଏଇ ପ୍ରଶସ୍ତ ଭିତ୍ତି ଉପରେ ପଞ୍ଚରଥ ଶୈଳୀରେ ନିର୍ମିତ ଢାଞ୍ଚା ପାରମ୍ପରିକ ଭାବରେ ନିମ୍ନରୁ ଉର୍ଦ୍ଧ୍ୱକୁ ପୀଠ, ବାଡ଼, ଗଣ୍ଡି ଓ ମସ୍ତକ, ଏହି ଚାରି ଅଂଶରେ ସମାହିତ ହୋଇଅଛି । ବାଡ଼ରେ ଉତ୍କୀର୍ଣ୍ଣ ସ୍ଥାପତ୍ୟ ବିମାନର ସମକକ୍ଷ ନହେଲେ ମଧ୍ୟ ସୂକ୍ଷ୍ମତାରେ ପରିପୂର୍ଣ୍ଣ । ବାଡ଼ର ନିମ୍ନଦେଶରେ ପ୍ରାୟ ଚାରିଫୁଟ ଉଚ୍ଚତା ବିଶିଷ୍ଟ ଖାଖରା ମୁଣ୍ଡିମାନ ଖୋଦିତ ହୋଇଅଛି । ବିମାନ ଭଳି ବାଡ଼ର ପଗମାନଙ୍କରେ ଅପେକ୍ଷାକୃତ କ୍ଷୁଦ୍ର ପୀଢ଼ମୁଣ୍ଡି ଓ ଖାଖରାମୁଣ୍ଡିମାନ ଶୋଭା ପାଉଅଛି । ଉକ୍ତ ମୁଣ୍ଡିମାନଙ୍କରେ କେନ୍ଦ୍ରୀୟ ଖୋପରେ ଦଶଦିଗପାଳ ତଥା କେତୋଟିରେ ରଜାଙ୍କ ଶାସନ କାର୍ଯ୍ୟ ଅଥବା ସାଧୁସନ୍ଥଙ୍କର ପ୍ରବଚନର ଚିତ୍ର ଉତ୍କୀର୍ଣ୍ଣ ହୋଇଅଛି । ପ୍ରତ୍ୟେକ ମୁଣ୍ଡିର ଉଭୟ ପାଶ୍ୱର୍ରେ ଥିବା ସ୍ଥାନରେ ଉଲମ୍ବ ଭାବରେ ପ୍ରାୟ ଦେଢ଼ଫୁଟ ଉଚ୍ଚର ଦୁଇଗୋଟି ଲେଖାଁଏ ଦେବଦାସୀ ମୂର୍ତ୍ତି ରହି ଶୋଭାବର୍ଦ୍ଧନ କରୁଛନ୍ତି । ଉକ୍ତ ଦେବାଦାସୀ ମୂର୍ତ୍ତିଗୁଡ଼ିକ ପ୍ରାୟତଃ ଭିନ୍ନ ଭିନ୍ନ ଶୈଳୀରେ ଉପସ୍ଥାପିତ । ଦୁଇ ପୀଢ଼଼ ମଝିରେ ଆନୁଭୂମିକ ଭାବରେ ବନ୍ଧନା ଏବଂ ଉପରେ ପ୍ରାୟ ଦଶଗୋଟି ସ୍ତରର କାର୍ନିସଯୁକ୍ତ ବରଣ୍ଡ ରହିଅଛି । ବାଡ଼ର ଶୀର୍ଷରେ ଗଣ୍ଡିର ପ୍ରଥମ ପୀଢ଼ ଯଥେଷ୍ଟ ଉଦ୍‌ଗତ ଅବସ୍ଥାରେ ରହିଥିବାରୁ ଏହାକୁ ଲୌହ ସ୍ତମ୍ଭମାନଙ୍କ ଦ୍ୱାରା ଆଶ୍ରା ଦେଇ ସୁରକ୍ଷିତ ରଖାଯାଇଛି ।
ଗଣ୍ଡିରେ ଥିବା ପୀଢ଼ଗୁଡ଼ିକ ମଧ୍ୟରେ କାର୍ନିସଯୁକ୍ତ ସାତଟି ସ୍ତର ଉପରେ ଏକ କାଣ୍ଟିଘର ରହିଅଛି । ତା’ର ଉପର ଭାଗରେ ଆହୁରି ଛ’ଗୋଟି ସ୍ତର ରହିବା ପରେ ବୃତ୍ତାକାର ଘଣ୍ଟି ସଦୃଶ୍ୟ ଦୁଇସ୍ତରୀୟ ମସ୍ତକ ଏବଂ ତଦୁର୍ଦ୍ଧ୍ୱରେ କଳସ ସ୍ଥାପନା କରାଯାଇଛି । ଗଣ୍ଡିର ଚାରିପାଶ୍ୱର୍ ରାହାପଗର ନିମ୍ନ ସ୍ତରରେ ଏକ କ୍ଷୁଦ୍ର ମନ୍ଦିରର ଗଣ୍ଡି ଓ ମସ୍ତକର ଅର୍ଦ୍ଧଭାଗ ଅର୍ଥାତ୍ ଫାଳିକିଆ ଢ଼ାଞ୍ଚା ସଂଯୁକ୍ତ ହୋଇଅଛି । ଏହାର ତାତ୍ପର୍ଯ୍ୟ ନିମ୍ନଦେଶରେ ଚାରିଦିଗରେ ଥିବା ପ୍ରବେଶ ପଥର ଉପରିଭାଗରେ ରହି ସ୍ଥାପତ୍ୟର ଉତ୍କର୍ଷତା ପ୍ରଦିପାଦିତ କରୁଅଛି । କାଣ୍ଟିଘର ସ୍ତରରେ ଏହି ଫାଳିକିଆ ମନ୍ଦିରର କଳସ ପଛକୁ ପ୍ରାୟ ସାତ ଫୁଟ ଉଚ୍ଚର ଉଦ୍‌ଗତ ସିଂହ ମୂର୍ତ୍ତି ଚାରିଦିଗରେ ରହିଛନ୍ତି । ଏଇ ସ୍ତରରେ ନିମ୍ନ ଓ ଉର୍ଦ୍ଧ୍ୱ ପୀଢ଼ଗୁଡ଼ିକର ବ୍ୟବଧାନକୁ କେତେଗୋଟି
କ୍ଷୁଦ୍ର ମନ୍ଦିରାକୃତି ଖମ୍ବ ସହିତ ସଂଯୁକ୍ତ କରାଯାଇ ଦୃଢ଼ ରଖାଯାଇଛି । ସେଇପରି ଉପର ସ୍ତର ପଟଳର ଚତୁପାଶ୍ୱର୍ରେ ରାହାପଗରେ ଅନୁରୂପ ଫାଳିକିଆ ମନ୍ଦିର ଉପରେ ବେକୀ
ରହିଅଛି । ତଦୁର୍ଦ୍ଧ୍ୱରେ ଘଣ୍ଟି ଓ କଳସ ବିଦ୍ୟମାନ । ମସ୍ତକର ନିମ୍ନଭାଗରେ ବେକିସ୍ତରରେ ଚାରିଦିଗରେ ଗରୁଡ଼ ମୂର୍ତ୍ତି ତଥା ଚାରିକୋଣରେ ମନ୍ଦିରଚାରିଣୀ ଶୋଭା ପାଉଛନ୍ତି ।

ବିମାନ ସହିତ ଜଗମୋହନର ବାଡ଼ରେ ଥିବା କାରୁକାର୍ଯ୍ୟ ମଧ୍ୟ ଚୂନ ପଲସ୍ତରା ତଳେ ଲୁଚି ରହିଥିଲା । ଚୂନର ଆସ୍ତରଣ ଛଡ଼ାଯିବାରୁ ପରେ ବାଡ଼ରେ ଥିବା ଭାସ୍କର୍ଯ୍ୟ ଲୋକଲୋଚନକୁ ଆସିପାରିଛି । ତେବେ ବାଡ଼ରେ ଥିବା ସୂକ୍ଷ୍ମ ଭାସ୍କର୍ଯ୍ୟ ସମୁହ ଚୂନ ଆସ୍ତରଣ ତଳେ ରହିଥିବା ବେଳେ କେବଳ ବାଡ଼ର ଉପର ଜଙ୍ଘାରେ ରହିଥିବା ନିଟୋଳ ମିଥୁନ ମୂର୍ତ୍ତିଗୁଡ଼ିକ ତଥା ତଳଜଙ୍ଘାର ବିଡ଼ାଳ ମୂର୍ତ୍ତିଗୁଡ଼ିକ ଦୃଶୀଭୂତ ହେଉଥିଲା । ଆଦିରସର ପ୍ରାମାଣିକ ଉଦାହରଣ ଭାବରେ ଜଗମୋହନର ବାହ୍ୟ ଅଂଶରେ ଏହି ମୂର୍ତ୍ତିଗୁଡ଼ିକ ସର୍ବକାଳୀନ ଆକର୍ଷଣ ଭାବେ ବିଦ୍ୟମାନ । ଚୂନ ଛଡ଼ାଯିବା ପରେ ଦକ୍ଷିଣ ପାଶ୍ୱର୍ କାନ୍ଥରେ ଥିବା ଚାରିଗୋଟି ମିଥୁନ ମୂର୍ତ୍ତି ମଧ୍ୟରୁ କେତେଗୋଟି ଆଶିଂକ ବିଦୀର୍ଣ୍ଣ ହୋଇଥିବାର ଜଣାଗଲା । ନିକଟରେ ଏଗୁଡ଼ିକ ଅଧିକ
କ୍ଷତିଗ୍ରସ୍ତ ହେଲା ଭଳି ମନେହୁଏ । ଶାସ୍ତ୍ରୀୟ ନିୟମ ଅନୁସାରେ ବିମାନର ପଗଗୁଡ଼ିକର ସନ୍ଧିସ୍ଥଳରେ ରହିଥିବା ସୁରସୁନ୍ଦରୀ ମୂର୍ତ୍ତି ଭଳି ଜଗମୋହନର ଅନୁରୂପ ସ୍ଥାନରେ ପ୍ରୋକ୍ତ ମିଥୁନ ମୂର୍ତ୍ତିମାନ ରହିଅଛି । ଜଗମୋହନର ପଶ୍ଚିମପାଶ୍ୱର୍ରେ ବିମାନ ସହିତ ସଂଯୋଗସ୍ଥଳ ଏବଂ ପୂର୍ବରେ ନାଟ୍ୟ ମଣ୍ଡପ ସହିତ ସଂଯୋଗସ୍ଥଳର ଦୁଇ ପାଶ୍ୱର୍ରେ କେବଳ ଗୋଟିଏ ଲେଖାଁଏ ମିଥୁନ ମୂର୍ତ୍ତି ରହିଥିବା ବେଳେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ପାଶ୍ୱର୍ ବାଡ଼ର ପଗମାନଙ୍କର ସନ୍ଧିସ୍ଥଳରେ ପ୍ରତିପାଶ୍ୱର୍ରେ ଚାରିଗୋଟି କରି ସମୁଦାୟ ଷୋହଳଗୋଟି ମିଥୁନ ମୂର୍ତ୍ତି ଦେଖିବାକୁ ମିଳେ । ପ୍ରାୟ ଛ’ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିଗୁଡ଼ିକ ଭିନ୍ନ ଭିନ୍ନ ଭଙ୍ଗୀରେ ସଂଯୋଜିତ ହୋଇଅଛି । ମୂର୍ତ୍ତିଗୁଡ଼ିକରେ ଦୃଶୀଭୂତ ପୁରୁଷ ଓ ନାରୀ ରୂପର ଗଠନ ପ୍ରାଞ୍ଜଳ ଏବଂ ଭଙ୍ଗୀ
ଚିତାକର୍ଷକ । ଏଗୁଡ଼ିକର ସନ୍ଦର୍ଶନରେ ଦର୍ଶକ ମନରେ ଯେତିକି ଯୌନବାସନା ଜାଗ୍ରତ କରାଏ । ପବିତ୍ର ସ୍ଥାନରେ ଏଭଳି ପ୍ରଦର୍ଶନ ବିସ୍ମୟ ସୃଷ୍ଟି କରେ । ଆରାଧ୍ୟ ଦେବତାଙ୍କ ପ୍ରତି ଭକ୍ତ ମନରେ ପ୍ରକୃତ ଭକ୍ତିଭାବ ରହିଥିଲେ ଏହି ମୂର୍ତ୍ତି ସମୁହ କେବଳ କଳାକୃତି ଭାବରେ ପରିଗଣିତ ହୋଇଥାଏ । ସର୍ବାଙ୍ଗ କାରୁକାର୍ଯ୍ୟ ମଣ୍ଡିତ ଜଗମୋହନର ବାଡ଼ରେ ଉତ୍କୀର୍ଣ୍ଣ କାରୁକାର୍ଯ୍ୟ ସମୁହ ପରବର୍ତ୍ତୀ କାଳରେ କୋଣାର୍କ ମନ୍ଦିର ନିର୍ମାଣରେ ଶିଳ୍ପୀମାନଙ୍କ ପାଇଁ ପ୍ରେରଣା ଯୋଗାଇଥିବାର ଅନୁମାନ କରାଯାଏ । ଖୋଦେଇର ଗଭୀରତା ସ୍ଥାପତ୍ୟର ବ୍ୟାକରଣ ଭାବରେ ଗୃହୀତ । ଜଗମୋହନ ବାଡ଼ କାମର ସନ୍ତୁଳିତ ନକ୍ସା ଓ ଭାସ୍କର୍ଯ୍ୟ ସମୁହର ସୂକ୍ଷ୍ମତା ସକାଶେ ଏହାର ପରିପାଟୀ ଆକର୍ଷଣୀୟ ହୋଇପାରିଛି ।

କ୍ରମଶଃ…

କୁଣ୍ଢେଇବେଣ୍ଟ ସାହି, ପୁରୀ

Comments are closed.