Latest Odisha News

BREAKING NEWS

ତୁମ ହାତେ କେଉଁ ଦେଇହେଲା

ତୁମ ହାତେ କେଉଁ ଦେଇହେଲା

ଧନଞ୍ଜୟ ସ୍ୱାଇଁ

ହାତଲେଖା ମୋ ଚିଠି
ଯା’ ତଳେ ଲେଖିନି ଇତି
ତୁମ ହାତେ କେଉଁ ଦେଇହେଲା!

ତୁମରି ମୁଗୁନି ମୁହଁ
ତୁମ ମୋତିଝରା ଲୁହ
କାଗଜରେ ଆଙ୍କିବାର ଥିଲା,
କାଲିକି ଆଙ୍କିବି ବୋଲି
ଜମାକଲି ରଂଗ ତୂଳୀ
ପବନରେ ସବୁ ଉଡ଼ିଗଲା…
ତୁମ ହାତେ କେଉଁ ଦେଇହେଲା!

ତୁମ ମନକଥା ନେଇ
ଜହ୍ନ ଯେବେ ଆସେ ଉଇଁ
ଫୁଲପକା ରୁମାଲ୍‍ଟେ ବୁଣିବାର ଥିଲା,
କହିବି କହିବି ବୋଲି
ଟିକେ ଡେରି କରିଦେଲି
ରାତିର କି ରାଣ ଖାଇହେଲା…
ତୁମ ହାତେ କେଉଁ ଦେଇହେଲା!

(ଯେବେ) ସକାଳ ସୂରୁଜ ଉଠେ
ଫୁଲଙ୍କର ଆଖି ଫିଟେ
(ସେବେ) ତୁମକୁ ମୋ ଭେଟିବାର ଥିଲା,
ସକାଳୁ ଉଠିବି ବୋଲି
ନିଦକୁ ନେହୁରା ହେଲି
ସକାଳୁ ମୋ କେଉଁ ଉଠିହେଲା…
ତୁମ ହାତେ କେଉଁ ଦେଇହେଲା!

…………………………
ଅତିରିକ୍ତ ଶାସନସଚିବ,
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ରାଜ୍ୟ ସଚିବାଳୟ
ଭୁବନେଶ୍ୱର-୭୫୧୦୦୧
ମୋବାଇଲ୍‍: ୯୪୩୭୦ ୦୦୬୩୬

Comments are closed.