ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପୂର୍ବକାଳରେ ଆମ ଲୋକ
ପାଇଥିଲେ କି ଜ୍ଞାନାଲୋକ ?
ନ ହେଲେ ଅପୂର୍ବ ସାହିତ୍ୟ
କେମିତି ହୋଇଲା ରଚିତ ?
ପୁର୍ବକାଳର ବହୁ କବି
ଥିଲେ ଜ୍ଞାନୀ ଓ ଅନୁଭବୀ
ତେଣୁ ତ ତାଂକ କୃତିମାନ
ପାଆଂତି ଆଦର, ସମ୍ମାନ
ଏବେ ବଦଳିଗଲା କାଳ
ଦିଶଂତି କବି ଦଳ ଦଳ
ନାହିଁ ସାଧନା, ନାହିଁ ନିଷ୍ଠା
ତେବେ ବି ମିଳୁଛି ପ୍ରତିଷ୍ଠା
ସହଜଲଭ୍ୟ ହେଲେ ଯଶ
ଅବସ୍ଥା ପ୍ରତି ଉପହାସ
କରଂତି ଜନସାଧାରଣ
ରହଂତି ବିଚ୍ଛିନ୍ନ ହୋଇଣ
ନିଜ ଲୋକଂକୁ କଲେ ହେଳା
ଅବଶ୍ଯ ବୁଡ଼େ ଭାଷା ଭେଳା
ଏସବୁ ଜଣା ଥିଲେ ସୁଦ୍ଧା
କେହି ଦିଅଂତିନାହିଁ ବାଧା
ଭାଷା ତ ନୁହେ ଜୀବ, ପ୍ରାଣୀ
ତେଣୁ ପାରେନି ଆପେ ଜାଣି
କିପରି ବଂଚି ଥିବ ରହି
କାହାକୁ ପାରେନାହିଁ କହି
ପ୍ରତ୍ୟେକ ଭାଷା ଲୋକାଶ୍ରିତ
କେବେ ବି ନ ହୁଏ ସ୍ବାୟତ୍ତ
ଏବେ ଆମେ ଏତିକି ବୁଝି
ସେବକ ହେବା ପାଇଁ ରାଜି
ହୋଇ କରିଲେ ଭାଷା ସେବା
ସତେ ସ୍ବଭାଷୀ ବୋଲାଇବା
ନ ହେଲେ ଆମେମାନେ ଥିବା
ସ୍ବଭାଷା ଖୋଜି ନ ପାଇବା
ଆମେ ସୁକୀର୍ତି ଅଧିକାରୀ
ଏତିକି ପାରିବାନି କରି ?
ଦିନକୁ ଘଂଟେ ଅଧ ଘଂଟା
କରିବା ଟିକେ ଟିକେ ଚେଷ୍ଟା
ନିଜର ଭାଷା ପଢ଼ି, ଲେଖି
ପାରିବା ସ୍ବଭାଷାକୁ ଟେକି
କେବଳ ଭାବି, ଭାବି, ଭାବି
କାହିଁକି ଯିବା ଏତେ ଦବି ?
Comments are closed.