ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ନିକଟ ତୃପ୍ତିନଗର ତୃତୀୟ ଲେନ୍ରେ ଗୁରୁବାର ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ରଞ୍ଜିତ ପାତ୍ର। ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ବଡବଜାର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବୁରୁକୁଦି ଗ୍ରାମର ରଞ୍ଜିତଙ୍କ ତୃପ୍ତିନଗରରେ ରହୁଥିବା ଜଣେ ସମ୍ପର୍କୀୟ ଭାଉଜଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ଏହାକୁ ନେଇ ରଞ୍ଜିତଙ୍କ ଘରେ ଅସନ୍ତୋଷ ଲାଗି ରହିଥିଲା। ହେଲେ ରଞ୍ଜିତ ସମ୍ପର୍କୀୟ ଭାଉଜ ସହ ସଂପର୍କ ଭାଙ୍ଗି ପାରୁନଥିଲେ। ଦୁଇ ଦିନ ପୂର୍ବେ ରଞ୍ଜିତ ବିଶାଖାପାଟଣା ଓ ସୀମାଞ୍ଚଳ ଯାଇଥିଲେ। ସେଠାରୁ ଫେରିବା ପରେ ଘରକୁ ଯାଇ ପରିବାର ବର୍ଗଙ୍କ ସହ କଥାବାର୍ତ୍ତା ପରେ ସମ୍ପର୍କୀୟ ଭାଉଜଙ୍କ ଘରକୁ ଯାଇଥିଲେ। ସେଠାରେ ବିଭିନ୍ନ କାରଣକୁ ନେଇ ରଞ୍ଜିତ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଝଗଡା ହୋଇଥିଲା। କିଛି ସମୟ ପରେ ସେହି ଘରେ ହିଁ ରଞ୍ଜିତଙ୍କ ଶବ ଏକ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା।
ଭାଉଜ ନିଜ ପରିବାର ଲୋକଙ୍କ ସହାୟତାରେ ଏମକେସିଜି ମେଡ଼ିକାଲକୁ ଆଣିଥିଲେ। ଡାକ୍ତର ସେଠାରେ ରଞ୍ଜିତଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଖବରପାଇ ବଡବଜାର ଥାନା ପୁଲିସ ବଡ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ସନ୍ଧ୍ୟା ହୋଇଯାଇଥିବାରୁ ଶବଗୃହରେ ସଂରକ୍ଷିତ କରି ରଖିଥିଲା। ଶୁକ୍ରବାର ସକାଳୁ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।
ଘଟଣାକୁ ନେଇ ରଞ୍ଜିତଙ୍କ ପତ୍ନୀ ବଡବଜାର ଥାନାରେ ଏତଲା ଦେବା ସହ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପରେ ଫାଶିରେ ଝୁଲାଇ ଦିଆଯାଇଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ପ୍ରକାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରଞ୍ଜିତଙ୍କ ମୃତ୍ୟୁର ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
Comments are closed.