Latest Odisha News

BREAKING NEWS

ଦିନକରେ ଚୀନରେ କରୋନା ସଂକ୍ରମିତ ହେଲେ ୩.୭ କୋଟି ଲୋକ

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଭୟାବହ ରୂପ ନେଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି । ଏନଡିଟିଭିର ରିପୋର୍ଟ ଅନୁସାରେ, ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଯାହାକି କେବଳ ଚୀନ ନୁହେଁ ଦୁନିଆର ଅନ୍ୟ ଦେଶରେ ଚିହ୍ନଟ ଦୈନିକ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ।

ଡିସେମ୍ବର ମାସର ପ୍ରଥମ ୨୦ ଦିନରେ ଚୀନର ପ୍ରାୟ ୨୪୮ ମିଲିୟନ୍ ଅର୍ଥାତ୍ ଲୋକସଂଖ୍ୟାର ୧୮ ପ୍ରତିଶତ କୋଭିଡରେ ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି । କୋଭିଡ୍ ସଂକ୍ରମଣ ଯୋଗୁଁ ବେଜିଂରେ କଡ଼ା କଟକଣା ଲାଗିଛି । ସିଚୁଆନ୍ ପ୍ରାନ୍ତରେ ରହୁଥିବା ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ କୋଭିଡରେ ସଂକ୍ରମିତ ହୋଇଛନ୍ତି ।

ଚୀନରେ କୋଭିଡ୍ ସଂକ୍ରମିତଙ୍କୁ ଚିହ୍ନଟ ଲାଗି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ତେବେ ଦୈନିକ କେତେ ସଂଖ୍ୟାରେ ଲକ୍ଷଣ ନଥିବା ଲୋକ କୋଭିଡ୍ ସଂକ୍ରମିତ ହେଉଛନ୍ତି ସେନେଇ ଚୀନ ସରକାର ଆଉ ତଥ୍ୟ ଦେଉ ନାହାଁନ୍ତି । ଏପରିକି କୋଭିଡରେ ଏବେ କେତେ ମୃତ୍ୟୁ ହେଉଛି ସେ ତଥ୍ୟ ବି ସରକାର ଲୁଚାଉଛନ୍ତି ।

ବୁଧବାର ବସିଥିବା ଆଭ୍ୟନ୍ତରୀଣ ବୈଠକରେ ଅଧିକାରୀ ଡିସେମ୍ବର ୨୦ରେ ୩୭ ମିଲିୟନ୍ ଅର୍ଥାତ୍ ୩.୭ କୋଟି ଲୋକ କୋଭିଡ ଆକ୍ରାନ୍ତ ହୋଇଥିବା କୁହାଯାଇଥିଲା । ହେଲେ ସରକାର ଦେଇଥିବା ତଥ୍ୟ ଅନୁସାରେ, ସେଦିନ ମାତ୍ର ୩ ହଜାର ୪୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହାକି ବୈଠକର ତଥ୍ୟ ଓ ସରକାର ଦେଇଥିବା ସଂଖ୍ୟା ଠାରୁ ବହୁଗୁଣ ଅଧିକ ।

ତେବେ ଆଗରୁ ମଧ୍ୟ ଚୀନ, କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଥିଲା । ଏବେ ପୁଣି ସେହି ସମାନ ଅଭିଯୋଗ ଆସିଛି । ଚୀନର ଉହାନ ଲ୍ୟାବରୁ କରୋନା ସମଗ୍ର ବିଶ୍ୱରେ ବ୍ୟାପିଥିବା ଅଭିଯୋଗ ହେଉଥିଲେ ବି ଚୀନ ମାନୁନି ।

Leave A Reply

Your email address will not be published.