ପୁରୀ : ୧୨ ବର୍ଷ ପରେ ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ କରିବ ରାଜ୍ୟ । ତେଣୁ ଓଡ଼ିଶାର ଉନ୍ନତି କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ବିଜୁ ଜନତା ଦଳରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । କ୍ରୀଡ଼ାବିତ, ଚାକିରିଆ, କଳାକାର, ଚାଷୀ କିମ୍ୱା ଯେକୌଣସି କ୍ଷେତ୍ରର ବ୍ୟକ୍ତି ବିଶେଷ ସେମାନେ ବିଜେଡିରେ ସାମିଲ ହୁଅନ୍ତୁ । ବିଶେଷ କରି ନୂଆ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ଯୁବପିଢିଙ୍କୁ ଆହ୍ୱାନ ଦେଇ ନବୀନ ଦଳକୁ ଆମନ୍ତ୍ରଣ କରିଛନ୍ତି ଓ କହିଛନ୍ତି ମାଆ ମାନେ ଆଗକୁ ଆସି ଦାୟିତ୍ୱ ନେଲେ, ସେମାନଙ୍କ ଆଶୀର୍ବାଦ କଲେ ବିଜେଡି ୧୦୦ ବର୍ଷ ରାଜ୍ୟର ସେବା କରିବ ।
ନବୀନ କହିଛନ୍ତି, ୨୦ ବର୍ଷ ତଳେ ଓଡ଼ିଶା କେଉଁଠି ଥିଲା, ଏବେ କେଉଁଠି ଅଛି ତାହା ସାରା ବିଶ୍ୱ ଜାଣିଛି । ୨୦୦୦ପରେ ଓଡ଼ିଶାର ନାନାବିଧ ଉନ୍ନତି ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୌପ୍ୟ ଜୟନ୍ତୀ ପାଳନ ମଞ୍ଚରୁ ନିଜ ବାର୍ତ୍ତାରେ ନିଜର ୨୨ ଶାସନକାଳରେ ରାଜ୍ୟର ଉନ୍ନତି ଗାଥା କହିଛନ୍ତି ।
ଦଳ ସବୁ ସମସ୍ୟାକୁ ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, କୋଭିଡ୍ ବେଳେ ଟେଷ୍ଟିଂରୁ ଟ୍ରିଟମେଣ୍ଟ, ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ, ବିଜୁ ସ୍ୱାସ୍ଥ୍ୟ ବୀମା କ୍ରାନ୍ତିକାରୀ ସ୍କିମ ଲାଗୁ ଆଦି କ୍ଷେତ୍ରରେ ବିଜେଡିକୁ ସାରା ବିଶ୍ୱରେ ପ୍ରଶଂସା ମିଳୁଛି । ମୋ ସରକାର, ନାଗରିକ ମତାମତ ଜରିଆରେ ଲୋକଙ୍କ ପାଖକୁ ସରକାରଙ୍କ ନୀତିକୁ ପହଞ୍ଚାଉଛି ବିଜେଡି ପରିବାରର ସଦସ୍ୟ । ତୃଣମୂଳ ସ୍ତରରେ ଲୋକଙ୍କୁ ବିଭିନ୍ନ ଯୋଜନା ପହଞ୍ଚାଇ ବିଜେଡି ବିଶ୍ୱାସର ପାତ୍ର ହୋଇଛି । ବିଜେଡି ସାମାଜିକ ଆନ୍ଦୋଳନ ଜାରି ରଖିଛି । ଓଡ଼ିଶାର ଆଶା ବିଶ୍ୱାସକୁ ଆଗେଇ ନେବାର ଆନ୍ଦୋଳନ । ଏହି ଆନ୍ଦୋଳନକୁ ଆଗେଇବା ନେବାରେ ସହାୟକ ହେବେ ପ୍ରତ୍ୟେକ ରାଜ୍ୟବାସୀ । ଶଙ୍ଖ ସବୁବେଳେ ଓଡ଼ିଆ ନାଦ କରିଚାଲିବ ବୋଲି କହି ବାର୍ତ୍ତା ଶେଷ କରିଥିଲେ ନବୀନ ପଟ୍ଟନାୟକ ।
Comments are closed.