Latest Odisha News

ଆଇଏଏସ ମନୋଜ ମିଶ୍ରଙ୍କୁ ଠିକା ନିଯୁକ୍ତି, ନଜର ପକାନ୍ତୁ ବିଜେଡି-ବିଜେପିର ଆଭିମୁଖ୍ୟ ଉପରେ

ଭୁବନେଶ୍ୱର: ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ଦୁଇ ଦିନ ତଳେ ମନୋଜ ମିଶ୍ର ଭାରତୀୟ ରେଳ ଟ୍ରାଫିକ୍ ସେବା (ଆଇଆରଟିଏସ୍)ରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ଗ୍ରହଣ କରାଯିବାର ତୁରନ୍ତ ପରେ ୨୦୨୨ ଡିସେମ୍ବର ୨୯ରେ ତାଙ୍କୁ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିୟୁକ୍ତି ଦିଆଯାଇଛି। ରେଳବାଇ ବୋର୍ଡ ପକ୍ଷରୁ ବୁଧବାର ମନୋଜ ମିଶ୍ରଙ୍କ ସର୍ବଭାରତୀୟ ଚାକିରିରୁ ଇସ୍ତଫା ଗ୍ରହଣ କରାଯିବା ପରେ ରାଜ୍ୟ ସରକାର ତାଙ୍କୁ ଠିକା ଭିତ୍ତିରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହିତ ସେ ବାଣିଜ୍ୟ ଓ ପରିବହନ ବିଭାଗରେ ସରକାରଙ୍କ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ।

୨୦୦୦ ବ୍ୟାଚର ମନୋଜ ମିଶ୍ର ୭ ବର୍ଷ ପୂର୍ବେ ରାଜ୍ୟକୁ କେନ୍ଦ୍ରୀୟ ଡେପୁଟେସନରେ ଆସିଥିଲେ। ତିନି ବର୍ଷ ପୂର୍ବେ ସେ ଏହି ବିଭାଗର ସଚିବ ଭାବେ କାମ କରିଥିଲେ। ତେବେ ମନୋଜ ମିଶ୍ରଙ୍କ ନିଯୁକ୍ତି ରାଜ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବିଜେପି କହିଛି ।

ରାଜ୍ୟ ସରକାର ସର୍ବଦା ଅସାମ୍ବିଧାନିକ କାର୍ଯ୍ୟ କରିବାରେ ସିଦ୍ଧହସ୍ତ । ଓଡ଼ିଶା ସରକାର ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସବୁବେଳେ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରିଥାଏ ଏବଂ ଆଜି ବି ସେମିତି ଏକ କାର୍ଯ୍ୟ ସାମ୍ନାକୁ ଆସିଛି । ରାଜ୍ୟ ସରକାର ବିନା ବିଜ୍ଞାପନରେ କିଭଳି ମନୋଜ ମିଶ୍ରଙ୍କୁ ଶାସନ ସଚିବ ନିଯୁକ୍ତି ଦେଲେ ତାହାର ଜବାବ ଦିଅନ୍ତୁ ବୋଲି ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବୃଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ସୁଦର୍ଶନ ନାୟକ କହିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ, ମନୋଜ ମିଶ୍ର ପୂର୍ବରୁ ଭାରତୀୟ ରେଲୱେ ଟ୍ରାଫିକ ସର୍ଭିସରେ ଜଣେ ଅଧିକାରୀ ଥିଲେ । ତାଙ୍କର ଡେପୁଟେସନ ଅବଧି ସରିବା ପରେ ସେ ଇଣ୍ଡିଆନ ରେଲୱେରେ ଜଏନ ନକରି ତାଙ୍କର ଇସ୍ତଫା ଦେଇଥିଲେ । ଭାରତ ସରକାର ତାଙ୍କର ଇସ୍ତଫା ଗ୍ରହଣ କରିବାର ପରଦିନ ଅର୍ଥାତ୍ ୨୯ ଡିସେମ୍ବର ୨୦୨୨ରେ ବେଆଇନ ଓ ଇଛାଧୀନଭାବେ ତାଙ୍କୁ ପ୍ରମୁଖ ଶାସନ ସଚିବ ପଦବୀରେ ଯୁକ୍ତି ଭିତିକ ନିଯୁକ୍ତି ଦେଇଛନ୍ତି, ଯାହା ଭାରତୀୟ ପ୍ରଶାସନିକ ଇତିହାସରେ ବିରଳ ଅଟେ । ଶ୍ରୀ ମିଶ୍ରଙ୍କୁ ଶାସନ ସଚିବ ପଦବୀରେ ଅଳଙ୍କୃତ କରି ରାଜ୍ୟ ସରକାର ସମ୍ବିଧାନର ଧାରା ୧୪ ଓ ୧୬କୁ ବିରୋଧ କରିବା ସହ ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।

ଶ୍ରୀ ମିଶ୍ର ସୋସିଆଲ ମିଡିଆରେ ଏପରିକି ତାଙ୍କ ନିଜ ବ୍ୟକ୍ତିଗତ ହ୍ୱାଟ୍ସଆପ୍‌ରେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅହଂକାରୀଭାବେ ଦର୍ଶାଇ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସଦାଚାରୀଭାବେ ଦର୍ଶାଇ ଫଟୋକୁ ପ୍ରସାରଣ କରୁଛନ୍ତି । ଯଦି ମନୋଜ ବାବୁଙ୍କର ରାଜନୀତିରେ ଏତେ ରୁଚି ଅଛି ତାହାଲେ ସେ ନିଜେ ବିଜୁ ଜନତା ଦଳରେ ସାମିଲ ହୋଇଯାଆନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି ।

ଓଡ଼ିଶା ଆଇଏଏସ୍ କ୍ୟାଡରରେ ୯ଟି ପ୍ରମୁଖ ଶାସନ ସଚିବ ପଦବୀ ରହିଛି । ପ୍ରଶାସନର ଆବଶ୍ୟକତାକୁ ନେଇ ରାଜ୍ୟ ସରକାର ଚାହିଁଲେ ଆଉ ୯ଟି ଏକ୍ସ କ୍ୟାଡର ପଦବୀରେ ଏଭଳି ନିଯୁକ୍ତି ଦେଇପାରନ୍ତି । କିନ୍ତୁ ଓଡ଼ିଶାରେ ଏସବୁ କ୍ୟାଡର ଓ ଏକ୍ସ କ୍ୟାଡର ପଦବୀ ପୂରଣ ହୋଇସାରିଥିଲା । କୌଣସି ପଦବୀ ନଥାଇ ଶ୍ରୀ ମନୋଜ ମିଶ୍ରଙ୍କୁ କିଭଳି ପ୍ରମୁଖ ଶାସନ ସଚିବ ପଦବୀରେ ନିଯୁକ୍ତି ଦିଆଗଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ଇଛାଧୀନଭାବେ ଅମଣଲାତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରିବାର ପ୍ରୟାସ ଆରମ୍ଭ କରିସାରିଛନ୍ତି । ଓଡ଼ିଶା ଗଭର୍ଣ୍ଣମେଂଟ ରୁଲ୍ସ ଅଫ ବିଜନେସ୍ ଅନୁସାରେ ଜଣେ ଶାସନ ସଚିବ ବିଭିନ୍ନ ଷ୍ଟାଚ୍ୟୁଟାରୀ ଦାୟୀତ୍ୱ ନିର୍ବାହ କରିଥାନ୍ତି । ଏପରିକି ବିଭିନ୍ନ ଆର୍୍ନଥକ କ୍ଷମତାର ଅଧିକାରୀ ହୋଇଥାନ୍ତି । ଜଣେ ଚୁକ୍ତିଭିତିକ ଶାସନ ସଚିବ ଏଭଳି କ୍ଷମତାର ଅଧିକାରୀ ହୋଇ କିଭଳି ନିରପେକ୍ଷତା ଅବଲମ୍ବନ କରିବେ, ତାହା ସାଧାରଣରେ ଅନୁମେୟ । ଶ୍ରୀ ମିଶ୍ର ଆଇଟି କିମ୍ବା ଇଲୋଟ୍ରୋନିକ୍ସର ବିଶେଷଜ୍ଞ ନୁହଁନ୍ତି । ତାଙ୍କୁ ଏଭଳି ବେଆଇନ ନିଯୁକ୍ତି ଦେବାରେ କି ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।

ଶ୍ରୀ ମିଶ୍ରଙ୍କୁ ମୁଖ୍ୟ ଶାସନ ସଚିବ କିମ୍ବା ସ୍ୱତନ୍ତ୍ର ଶାସନ ସଚିବଭାବେ ଚୁକ୍ତିଭିତିରେ ସରକାର ନିଯୁକ୍ତି ଦେଇ ଅମଲାତନ୍ତ୍ରକୁ ବିଜେଡିର ସ୍ୱାର୍ଥସାଧନ ନିମନ୍ତେ ବ୍ୟବହାର କରିବା ଗଣତନ୍ତ୍ର ପ୍ରତି ବିପଦ । ବେଆଇନ ଓ ଅଣସାମ୍ବିଧାନିକ ନିଯୁକ୍ତିକୁ ତୁରନ୍ତ ବାତିଲ କରାଯାଉ ଏବଂ ଅମଲାତନ୍ତ୍ରକୁ ସ୍ୱାଧୀନ ଓ ନିରପେକ୍ଷଭାବେ ଲୋକଙ୍କର ସେବା କରିବା ପାଇଁ ପ୍ରେରିତ କରାଯାଉ ଶ୍ରୀ ନାୟକ ଦାବି କରିଛନ୍ତି ।

ମନୋଜ ମିଶ୍ରଙ୍କୁ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିୟୁକ୍ତି ଦେବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହା ଭାରତୀୟ ଅମଲାତନ୍ତ୍ରର ଉଦ୍ଦେଶ୍ୟ ଓ ଲକ୍ଷ୍ୟର ସମ୍ପୂର୍ଣ୍ଣ ବିରୋଧୀ। ଏହି ନିୟୁକ୍ତିକୁ ରଦ୍ଦ କରିବା ପାଇଁ ଆମେ ଦାବି କରୁଛୁ ବୋଲି ବରିଷ୍ଠ ବିଜେପି ନେତା ସୁଦର୍ଶନ ନାୟକ କହିଛନ୍ତି।

ଅପରପକ୍ଷରେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି, ବିଜେପି ଏହାକୁ ନେଇ ରାଜନୀତି କରୁଛି। ଜଣେ ସରକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରୁ ବିଜେପି ନିଜକୁ ଦୂରେଇ ରଖିବା ଉଚିତ। ଓଡ଼ିଶାର ବିକାଶ ପ୍ରସଙ୍ଗକୁ ପ୍ରାଥମିକତା ଦେବାକୁ ଆମେ ସେମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ ବୋଲି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି। ଆଇଟି ସଚିବ ଭାବେ ମନୋଜ ମିଶ୍ର ଭଲ କାମ କରିଛନ୍ତି। ତାଙ୍କ ସମୟରେ ବହୁ ଶୀର୍ଷ ସ୍ତରର ଆଇଟି କମ୍ପାନୀ ଓଡିଶାକୁ ଆସିଛନ୍ତି। ଆଉ ରାଜ୍ୟରେ ସେମାନଙ୍କର ଶାଖା ଖୋଲିଛନ୍ତି। ଯାହା ଦ୍ୱାରା ଓଡିଶାରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି। ଏଭଳି ଜଣେ ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ବଜେପି କେବେ ପ୍ରଶଂସା କରି ନାହିଁ। ତାଙ୍କ ଭଲ କାମକୁ ସ୍ୱୀକୃତି ଦେଇ ରାଜ୍ୟ ସରକାର ପୁନଃ ନିଯୁକ୍ତି ଦେଉଛନ୍ତି। ସେତେବେଳେ ବିଜେପି କାହିଁକି ଏତେ ପ୍ରତିକ୍ରିୟାଶୀଳ ହୋଇ ପଡୁଛି? କେନ୍ଦ୍ର ଏଭଳି ଅନେକ ଅଧିକାରୀଙ୍କୁ ନିଯୁକ୍ତି ଦେଉଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ବିଭାଗରେ ନିଯୁକ୍ତି ହେଉଛି। ସେ ସମ୍ପର୍କରେ ବିଜେଡି ତ କେବେ ପ୍ରଶ୍ନ ଉଠାଇ ନାହିଁ। ଏହାକୁ ନେଇ ବିରୋଧରେ କିମ୍ବା ସପକ୍ଷରେ ବିଜେଡି କେବେ ମନ୍ତବ୍ୟ ଦେଇ ନାହିଁ। ଏହା ଏକ ପ୍ରଶାସନିକ ବ୍ୟାପାର। ରାଜନୈତିକ ଦଳ ଏଥିରେ ଅଂଶଗ୍ରହଣ କରିବା ଉଚିତ ନୁହେଁ।

ସେପଟେ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ବିକାଶକୁ ସମର୍ଥନ କରୁନାହାନ୍ତି। ସେମାନଙ୍କ ମତରେ ବିରୋଧୀ ଦଳ ଏହି ବେଆଇନ ନିଯୁକ୍ତି ବିରୋଧରେ ଆଇନର ଆଶ୍ରୟ ନେବା ଉଚିତ। ସେ କହିଛନ୍ତି, ଆଇଏଏସ୍ ଓ ଓଏଏସ୍ ନିଯୁକ୍ତି ପାଇଁ କେତେକ କ୍ୟାଡର ନିୟମ ରହିଛି। ସେହି ଆଇନ ଅନୁସାରେ ନିଯୁକ୍ତି ହେବା ଦରକାର। ନିଯୁକ୍ତି ପାଇଁ ସଂଖ୍ୟା ଗରିଷ୍ଠତାର କ୍ଷମତାର ଅପବ୍ୟବହାର କରାଯାଉଛି, କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ।

ବିଭିନ୍ନ ପେସାଦାରଙ୍କୁ ଯୁଗ୍ମ ସଚିବ ଭାବେ ନିୟୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଲାଟେରାଲ ଏଣ୍ଟ୍ରିର ନୂଆ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ଏଥିପାଇଁ ବିଜ୍ଞାପନ ଜାରି କରିବା ସହିତ ଉପଯୁକ୍ତ ନିଯୁକ୍ତି ପ୍ରକ୍ରିୟା ଅନୁସରଣ କରାଯାଉଛି। ନିକଟରେ ହୋଇଥିବା ନିୟୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

Comments are closed.