Latest Odisha News

ପୁଣିଥରେ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କଲେ ଉପରାଷ୍ଟ୍ରପତି

ଜୟପୁର: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ପୁଣିଥରେ ସୁପ୍ରିମକୋର୍ଟକୁ ସମାଲୋଚନା କରିଛନ୍ତି। ସଂସଦ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଇନକୁ କୈଣସି ଅନୁଷ୍ଠାନ ଖାରଜ କରିପାରିବ ନାହିଁ। ଏହା ଗଣତନ୍ତ୍ର ପାଇଁ ଭଲ ନୁହେଁ ବୋଲି ସେ କହିଛନ୍ତି।

ରାଜସ୍ଥାନ ବିଧାନସଭାରେ ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର୍ସ କନଫରେନ୍ସର ଉଦଘାଟନୀ ଅଧିବେଶନରେ ସେ ସମ୍ବୋଧିନ କରିବା ବେଳେ ସୁପ୍ରିମକୋର୍ଟ 2015ରେ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (NJAC) ଅଧିନିୟମକୁ ଖଣ୍ଡନ କରିବା କଥା ସେ କହିଥିଲେ। ଏପରି କେବେ ବିଶ୍ୱର ଅନ୍ୟ ଦେଶରେ ହୋଇନି ବୋଲି ସେ କହିଥିଲେ।

ନିଜ ନିଜ ସୀମା ମଧ୍ୟରେ ସାମ୍ବିଧାନିକ ଅନୁଷ୍ଠାନଗୁଡିକର କାର୍ଯ୍ୟ କରିବା ଉଚିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସମ୍ବିଧାନ ସଂଶୋଧନ କରିବାର ଶକ୍ତି ସଂସଦରେ ରହିଛି। ଅନ୍ୟ କୌଣସି ଅନୁଷ୍ଠାନ ଉପରେ ଏହା ନାହିଁ ବୋଲି ସେ କହିଛନ୍ତି।

1973ରେ ଏକ ଭୁଲ୍ ନଜିର ସୃଷ୍ଟି ହୋଇଥିଲା। କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟ ମୌଳିକ ଢାଞ୍ଚାର ବିଚାର ପ୍ରଦାନ କରି କହିଥିଲେ ଯେ ସଂସଦ ସମ୍ବିଧାନରେ ସଂଶୋଧନ କରିପାରିବ କିନ୍ତୁ ଏହାର ମୌଳିକ ଢାଞ୍ଚାରେ ନୁହେଁ। ସୁପ୍ରିମକୋର୍ଟର ପୂର୍ବତନ ଓକିଲ ଧନଖଡ ଏହା କହିଛନ୍ତି। ନ୍ୟାୟପାଳିକା ପ୍ରତି ସମ୍ମାନ ରଖି ସେ ଏହାକୁ ଗ୍ରହଣ କରିପାରିବେ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, କ’ଣ ସଂସଦକୁ ଅନୁମତି ଦିଆଯାଇ ପାରିବ ଯେ ଏହାର ରାୟ କୌଣସି କର୍ତ୍ତୃପକ୍ଷଙ୍କ ଅଧୀନରେ ରହିବ। କାର୍ଯ୍ୟନିର୍ବାହୀକୁ ଆଇନକୁ ଅନୁସରଣ କରିବାକୁ ପଡିବ ଏବଂ ନ୍ୟାୟପାଳିକା ଆଇନ ନିର୍ମାଣରେ ହସ୍ତକ୍ଷେପ କରିପାରିବ ନାହିଁ। ଯଦି କୌଣସି ସଂସ୍ଥା କୌଣସି ଆଧାରରେ ସଂସଦରେ ପାରିତ ଆଇନକୁ ଭାଙ୍ଗିଦିଏ ତେବେ ଏହା ଗଣତନ୍ତ୍ର ପାଇଁ ଭଲ ହେବ ନାହିଁ ଏବଂ ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କହିବା କଷ୍ଟକର ହେବ ବୋଲି ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି।

ଉପରାଷ୍ଟ୍ରପତି କହିଛନ୍ତି ଯେ ଗଣତନ୍ତ୍ରର ବଞ୍ଚିବା ପାଇଁ ସଂସଦୀୟ ସାର୍ବଭୌମତ୍ୱ ଓ ସ୍ୱାଧୀନତା ଏକାନ୍ତ ଆବଶ୍ୟକ ଏବଂ ଏହା କାର୍ଯ୍ୟପାଳିକା କିମ୍ବା ନ୍ୟାୟପାଳିକା ଦ୍ୱାରା ସାଲିସ କରାଯାଇପାରିବ ନାହିଁ। ସେ ଯୁକ୍ତି ବାଢ଼ିଥିଲେ ଯେ ନ୍ୟାୟପାଳିକା ଆଇନ ପ୍ରଣୟନରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ଏବଂ ସଂସଦ ଦ୍ୱାରା ଗୃହୀତ ଆଇନକୁ ରଦ୍ଦ କରୁଥିବା ଯେକୌଣସି ଅନୁଷ୍ଠାନ ଗଣତନ୍ତ୍ର ପାଇଁ କ୍ଷତିକାରକ ହେବ।

ସୂଚନାଯୋଗ୍ୟ ଯେ ଡିସେମ୍ବର 8 ରେ ଜଷ୍ଟିସ ଏସ.କୌଲଙ୍କ ନେତୃତ୍ୱରେ ଏକ ବେଞ୍ଚ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣିଙ୍କୁ ସରକାରଙ୍କୁ ଏ ସମ୍ପର୍କରେ ପରାମର୍ଶ ଦେବାକୁ କହିଥିଲେ। ଗୋଟିଏ ଦିନ ପୂର୍ବରୁ, ରାଜ୍ୟସଭା ସଭାପତି ଭାବରେ ତାଙ୍କର ପ୍ରଥମ ଅଭିଭାଷଣରେ ଧନଖଡ NJAC ଆଇନକୁ ରଦ୍ଦ କରିଥିବାରୁ ନ୍ୟାୟପାଳିକାକୁ ସମାଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ମଧ୍ୟ ଏନଜେଏସିକୁ ନେଇ ମଧ୍ୟ ସୁୁପ୍ରିମକୋର୍ଟଙ୍କୁ ସମାଲୋଚନା କରି ଆସୁଛନ୍ତି। ରଦ୍ଦ ହୋଇଥିବା ଏହି ଆଇନ ଜରିଆରେ କେନ୍ଦ୍ର ସରକାର କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ଉଦ୍ଦେଶ୍ୟ ରଖିଥିଲେ। କଲେଜିୟମ ହେଉଛି ସୁୁପ୍ରିମକୋର୍ଟର ଏକ ବ୍ୟବସ୍ଥା। କଲେଜିୟମରେ ଥିବା ବିଚାରପତି ବିଭିନ୍ନ ରାଜ୍ୟର ହାଇକୋର୍ଟର ବିଚାରପତି ନିଯୁକ୍ତ କରନ୍ତି। କେନ୍ଦ୍ର ସରକାର କହୁଛନ୍ତି, ଏହି ବ୍ୟବସ୍ଥା ଦ୍ୱାରା ବିଚାରପତି ବିଚାରପତିଙ୍କୁ ନିଯୁକ୍ତ କରୁଛନ୍ତି। ଚିହ୍ନା ପରିଚୟରେ ଏହି ନିଯୁକ୍ତି ହେଉଛି।

Comments are closed.