Latest Odisha News

BREAKING NEWS

ପ୍ରଚାର ଛାଡି ୧୦ ବର୍ଷ ବାଳକର ଅପରେସନ ପାଇଁ ଓଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

ଅଗରତାଲା: କୁହାଯାଏ ଭଗବାନଙ୍କର ସାକ୍ଷାତ ଅବତାର ହେଉଛନ୍ତି ଡାକ୍ତର । ମରଣ ମୁହଁରୁ ଟାଣିଆଣି ନୂଆ ଜୀବନ ଦେଇଥାନ୍ତି । ସେଥିପାଇଁ ତ ରୋଗୀଟି ସବୁଠୁ ଅଧିକ ଭରସା ଡାକ୍ତରଙ୍କ ଉପରେ କରିଥାଏ । ଆଉ ଜଣେ ପ୍ରକୃତ ଡାକ୍ତରଙ୍କ ରକ୍ତରେ ହିଁ ଥାଏ ସେବା ମନୋବୃତ୍ତି ।  ପରିସ୍ଥିତି ଯାହା ବି ହେଉ ନା କାହିଁକି, ରୋଗୀଟିଏ ଦେଖିଲେ ସେ ଟାଣି ହୋଇ ଆସନ୍ତି । ଆମେ ଏଠି ସେମିତି ଜଣେ ଡାକ୍ତରଙ୍କ କଥା କହିବୁ ଯିଏ ଡାକ୍ତରୀ ପେଷା ଛାଡ଼ି ରାଜନୀତି କଲେ । କିନ୍ତୁ ନିର୍ବାଚନ ପ୍ରଚାରକୁ ଛାଡ଼ି ହସ୍ପିଟାଲକୁ ରୋଗୀଙ୍କ ଚିକିତ୍ସା ପାଇଁ ଧାଇଁଲେ ।  ସେ ହେଉଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା।

ଡକ୍ଟର ମାଣିକ ସାହା ମୁଖ୍ୟମନ୍ତ୍ରୀ ହେଲେ ବି ଜଣେ ଡାକ୍ତର ।  ସେ ଗତ କାଲି ନିଜର ରାଜନୈତିକ ଦାୟିତ୍ୱଠୁ ଦୂରେଇ ଏକ ଭିନ୍ନ ଭୂମିକା ଗ୍ରହଣ କରିଛନ୍ତି। ଡକ୍ଟର ସାହା ତ୍ରିପୁରା ମେଡିକାଲ କଲେଜ (ଟିଏମସି)ରେ ୧୦ ବର୍ଷର ବାଳକର   ଅସ୍ତ୍ରୋପଚାର କରିଥିଲେ। ପେସାରେ ଜଣେ ଡାକ୍ତର ହେବା ସହ ଦୀର୍ଘ ଦିନ ଧରି ଚିକିତ୍ସା କ୍ଷେତ୍ର ସହିତ ଜଡିତ ରହିଥିଲେ। ତେବେ ସେହି ଅସ୍ତ୍ରୋପଚାର ବେଳର ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପିଲାଟିର ମୁହଁର ଉପର ଭାଗରେ ସିଷ୍ଟ ବୃଦ୍ଧି ପାଉଥିଲା ।  ଏଥିଯୋଗୁ ଶିଶୁଟିର ସାଇନସ୍ ଅସ୍ଥି ପ୍ରଭାବିତ ହେଉଥିଲା। ଏପରି ପରିସ୍ଥିତିରେ ମେଡିକାଲ କଲେଜ ତରଫରୁ ଏହି ବିଭାଗର ପ୍ରଫେସର ଥିବା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କଠୁ ପରାମର୍ଶ ନିଆଯାଇଥିଲା। ସମସ୍ତ ଘଟଣା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ନିଜେ ଶିଶୁଟିର ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୭ ଜଣ ସଦସ୍ୟଙ୍କୁ ନେଇ ଏକ ଟିମ୍, ପ୍ରାୟ ଏକ ଘଣ୍ଟା ଧରି ଶିଶୁର ଅସ୍ତ୍ରୋପଚାର କରିଥିଲେ।

ଡକ୍ଟର ଅମିତ ଲାଲ ଗୋସ୍ୱାମୀ, ଡକ୍ଟର ପୂଜା ଦେବନାଥ, ଡକ୍ଟର ରୁଦ୍ର ପ୍ରସାଦ ଚକ୍ରବର୍ତ୍ତୀ, ଡକ୍ଟର ସ୍ମିତା ପାଲ, ଡକ୍ଟର କଞ୍ଚନ ଦାସ, ଡକ୍ଟର ଶର୍ମିଷ୍ଟା ବନିକ ସେନ୍ ଏବଂ ଡକ୍ଟର ବୈଶାଳୀ ସାହା ଏହି ଡାକ୍ତରୀ ଦଳର ଅଂଶ ଥିଲେ। ତେବେ ଅସ୍ତ୍ରୋପଚାର ପରେ ଶିଶୁଟିର ଅବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବା କୁହାଯାଉଛି।

ଡକ୍ଟର ସାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଭାର ଗ୍ରହଣ କରିବା ପୂର୍ବରୁ ତ୍ରିପୁରା ମେଡିକାଲ କଲେଜର ଓରାଲ୍ ଏବଂ ମ୍ୟାକ୍ସିଲୋଫ୍ୟାସିଆଲ୍ ବିଭାଗର ମୁଖ୍ୟ ଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ସାହା କହିଛନ୍ତି, “ମୁଁ ସ୍ଥିର କରିଥିଲି ଯେ ଆଜି ସକାଳେ ମୁଁ କୈାଣସି ପ୍ରଶାସନିକ କିମ୍ବା ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ରହିବି ନାହିଁ, ଏବଂ ଓଟି(OT)କୁ ଯାଇ ଅପରେସନ୍ କରିବି। ତେବେ ରୋଗୀଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜର ପୁରୁଣା ପେସାକୁ ଫେରିବା ମୋ ପାଇଁ ଅତ୍ୟନ୍ତ ଗର୍ବର କଥା ।’

 

Comments are closed.