Latest Odisha News

BREAKING NEWS

ମାତିଲା ବାର୍ଡ ଫ୍ଲୁ; ସଂକ୍ରମଣ ଯୋଗୁ ୧୮୦୦ କୁକୁଡ଼ାଙ୍କ ମୃତ୍ୟୁ

ଥିରୁଭନନ୍ତପୁରମ: ମାତିଲା ବାର୍ଡ ଫ୍ଲୁ। ସଂକ୍ରମଣ ଯୋଗୁ ୧୮୦୦ କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେରଳର କୋଝିକୋଡ଼େ ଜିଲ୍ଲାର ସରକାରୀ କୁକୁଡ଼ା ଫାର୍ମରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲା ପଞ୍ଚାୟତ ଦ୍ୱାରା ପରିଚାଳିତ କୁକୁଡ଼ା ଫାର୍ମଗୁଡ଼ିକରେ ବୁଧବାର H5N1 ଭୂତାଣୁ ଥିବା ଚିହ୍ନଟ ହୋଇଛି। ଏହି ଭୂତାଣୁ ଅଧିକ ସଂକ୍ରାମକ ଓ ଦ୍ରୁତ ପ୍ରଜନନକ୍ଷମତା ସମ୍ପନ୍ନ ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ କେରଳ ପଶୁପାଳନ ମନ୍ତ୍ରୀ ଜେ. ଚିନୁ ରାଣୀ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ପଦକ୍ଷେପ ନେବାକୁ ଚିନୁ ରାଣୀ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପ୍ରାରମ୍ଭିକ ପଦକ୍ଷେପ ଅନୁସାରେ, ଭୂତାଣୁ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ମଧ୍ୟପ୍ରଦେଶର ଭୋପାଳରେ ଥିବା ହାଇ ସିକ୍ୟୁରିଟି ଲାବ୍‌କୁ ଟେଷ୍ଟିଂ ସାମ୍ପଲ ପଠାଇଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି। ଏହି ସରକାରୀ କୁକୁଡ଼ା ଫାର୍ମରେ ୫ ହଜାର କୁକୁଡ଼ା ଥିବା ବେଳେ ବର୍ତ୍ତମାନ ସୁଧା ୧୮୦୦ କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ବିଭିନ୍ନ ବିଭାଗର ସହଯୋଗରେ କୁକୁଡ଼ାମରା ଅଭିଯାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାର କହିଛନ୍ତି।

Comments are closed.