Latest Odisha News

BREAKING NEWS

ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସୁଛି ସୁବର୍ଣ୍ଣ ଲୋକ ମହୋତ୍ସବ

ସୁବର୍ଣ୍ଣପୁର : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହୋଇଯାଇଛି ସୁବର୍ଣ୍ଣ ଲୋକ ମହୋତ୍ସବ । ନାଚ ଗୀତରେ ପୂରି ଉଠୁଛି ସୁବର୍ଣ୍ଣପୁର । ଏହି ମହୋତ୍ସବ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଶୁଭ ଉଦ୍‌ଘାଟନ କରିଥିଲେ । କରୋନା କଟକଣା ଯୋଗୁଁ ଦୀର୍ଘ ତିନି ବର୍ଷ ହେଲା ଲୋକ ମହୋତ୍ସବ ହୋଇ ନ ଥିବା ବେଳେ ଚଳିତ ବର୍ଷ ଧୁମ ଧାମରେ ଆୟୋଜିତ ହୋଇଛି ସୁବର୍ଣ୍ଣ ଲୋକ ମହୋତ୍ସବ ।

ପ୍ରଥମ ଦିନ ସନ୍ଧ୍ୟାରେ ଓଲିଉଡର କଳାକାରମାନଙ୍କ  ନୃତ୍ୟ ଗୀତରେ ଦୁଲୁକିଥିଲା ମଞ୍ଚ । ନାମିଦାମୀ କଳାକାରମାନେ ବିଭିନ୍ନ ପ୍ରକାରର ନୃତ୍ୟଗୀତ ପରିବେଷଣ କରିଥିଲେ । ନୃତ୍ୟାଙ୍ଗନା ଓଡିଶୀ ନୃତ୍ୟ ଶୈଳିରେ ଜଗନ୍ନାଥଙ୍କ ବନ୍ଦନା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।ପରେ ଓଲିଉଡ କଳାକାର ଅଭିଜିତ ମଜୁମଦାର, ଅର୍ପିତା ଚୌଧୁରୀ ଓ ସଂଜୁ ମହାନ୍ତିଙ୍କ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ I

୨୯ତମ ସୁବର୍ଣ୍ଣ ଲୋକ ମହୋତ୍ସବ ସହିତ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇଥିବା ବେଳେ ଏହା ପାଞ୍ଚ ଦିନ ଧରି ଚାଲିବାର କାର୍ଯ଼୍ୟକ୍ରମ ରହିଛି I ତେବେ ଏହି ଉତ୍ସବରେ  ଅର୍ଥ  ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୁଜାରୀ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇ ଜିଲ୍ଲାର କଳା ସଂସ୍କୃତି ଓ କଳାକାର ମାନଙ୍କ ଉନ୍ନତି କାମନା କରିଥିଲେ I ସେହିପରି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲାକୁ ଆହୁରି ଉନ୍ନତିପଥରେ ଆଗେଇ ନେବା ପାଇଁ କହିଥିଲେ I

Comments are closed.