Latest Odisha News

ସୀମା ନିକଟରେ ୬୦ ହଜାର ମେଗାୱାଟ୍‌ କ୍ଷମତା ସମ୍ପନ୍ନ ଡ୍ୟାମ୍‌  ତିଆରି କରୁଛି ଚୀନ; ଭାରତ ପାଇଁ ଚିନ୍ତା ବଢ଼ିଲା

ବେଜିଂ: ଅରୁଣାଚଳ ଦେଇ ପ୍ରବାହିତ ୟାରଲଙ୍ଗ ସାଙ୍ଗପୋ ନଦୀ(ବ୍ରହ୍ମପୁତ୍ରର ଚୀନ ନାଁ) ଉପରେ ୬୦ ହଜାର ମେଗାୱାଟ୍‌ କ୍ଷମତା ସମ୍ପନ୍ନ ଡ୍ୟାମ୍‌  ତିଆରି କରୁଛି ଚୀନ। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିପାରେ। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅରୁଣାଚଳ ନିକଟସ୍ଥ ସୀମାରେ ଚୀନ ଏହି ଡ୍ୟାମ୍‌ ତିଆରି କରୁଛି।

ଚୀନରେ ଚାଲିଥିବା ଏହି ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଭାରତ ପାଇଁ ଚିନ୍ତାର କାରଣ  ପାଲଟିଛି। କାରଣ ଏହି ଡ୍ୟାମ୍ ନିର୍ମାଣ ପରେ ଚୀନ ବ୍ରହ୍ମପୂତ୍ର ନଦୀର ଜଳ ସ୍ରୋତକୁ ରୋକି ଦେଇପାରେ ନ ହେଲେ ଅନ୍ୟତ୍ର ବୁଲାଇ ଦେଇପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏମିତି ହେଲା ତେବେ ଭାରତର ବଡ଼ ଜଳାଭାବ ଦେଖାଦେବ।

କେବଳ ତାହା ନୁହେଁ, ଡ୍ୟାମ୍ ଦ୍ୱାରା ପାଇଁ ଅଟକାଇ ଭାରତର ତଳିଆ ଅଞ୍ଚଳଗୁଡ଼ିକରେ ଚୀନ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଜଳାଭାବ ଓ ବନ୍ୟା ଭଳି ସ୍ଥିତିରେ ଭାରତର ଆସାମ ଓ ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟ ପ୍ରଭାବିତ ହୋଇପାରନ୍ତି। ତେବେ ଏହା କେବଳ ଯେ ଭାରତକୁ ପ୍ରଭାବିତ କରିବ ତାହା ନୁହେଁ, ଚୀନର ଏହି ଡ୍ୟାମ୍‌ ଦ୍ୱାରା ବାଂଲାଦେଶ ବି ପ୍ରଭାବିତ ହୋଇପାରେ ବୋଲି ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏକ ବିଶେଷ ସୂତ୍ରରୁ ଖବର ମିଳିଛି।

ଅନ୍ୟପଟେ ଚୀନ ଦ୍ୱାରା ଆଶଙ୍କାୟିତ ସମସ୍ୟାକୁ ରୋକିବା ପାଇଁ ଭାରତ ଯଥାସାଧ୍ୟ ଚେଷ୍ଟା ଆରମ୍ଭ କରିଦେଇଛି। ଜଳକୁ ଷ୍ଟକ୍‌ କରି ରଖିବାକୁ ଭାରତ ମଧ୍ୟ ଅରୁଣାଚଳ ପ୍ରଦେଶରେ ଅନେକ ଡ୍ୟାମ୍ ତିଆରିକରିଛି ବୋଳି ମନ୍ତ୍ରାଳୟ ସୂତ୍ରରୁ ମିଳିଛି।

ସୂଚନା ଥାଉକି ତିବ୍ବତର ବୁରାଙ୍ଗ କାଉଣ୍ଟିରେ ଥିବା ହିମାଳୟର ଉତ୍ତରପାର୍ଶ୍ୱରେ ମାନସରୋବର ହ୍ରଦରୁ ବ୍ରମପୁତ୍ର ନଦୀ ବାହାରିଛି। ଅଙ୍ଗସ୍ ଗ୍ଲେସିୟରରୁ ଏହାର ଉତ୍‌ପତ୍ତି ସ୍ଥଳ ହୋଇଥିବା ବେଳେ ଏହା ଅରୁଣାଚଳ ପ୍ରଦେଶ ଦେଇ ଭାରତ ଭିତରେ ପ୍ରବେଶ କରିଛି। ଆସାମ ଓ ବାଂଲାଦେଶ ଦେଇ ଏହା ବଙ୍ଗୋପସାଗରରେ ମିଶିଛି। ତେଣୁ ଚୀନ ଭବିଷ୍ୟତରେ ଭାରତ ଓ ବାଂଲାଦେଶକୁ ହଇରାଣ କରିପାରି ବୋଲି କୁହାଯାଉଛି।

 

Comments are closed.