Latest Odisha News

BREAKING NEWS

ରେସଲର ଆନ୍ଦୋଳନ ମାମଲା: WFI ଅତିରିକ୍ତ ସଚିବ ବିନୋଦ ତୋମାର ନିଲମ୍ବିତ

ନୂଆଦିଲ୍ଲୀ: ରେସଲର ଆନ୍ଦୋଳନ ମାମଲାରେ କ୍ରୀଡ଼ା ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ଭାରତୀୟ କୁସ୍ତି ସଂଘ(WFI)ର ଅତିରିକ୍ତ ସଚିବ ବିନୋଦ ତୋମାର। ଜାନୁଆରୀ ୧୮ ତାରିଖରୁ WFI ଓ ଏହାର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଭାରତର ଷ୍ଟାର ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରେ ଧାରଣା ଦେଇଥିଲେ।

ଗତ ୨୦ ତାରିଖରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଖେଳାଳିମାନଙ୍କୁ ଭେଟି ଆଶ୍ୱାସନା ଦେବା ପରେ ଗତକାଲି ଖେଳାଳିମାନଙ୍କର ଧାରଣା ବନ୍ଦ ହୋଇଥିଲା। ଆଉ ଆଜି କାର୍ଯ୍ୟାନୁଷ୍ଠାନ ହୋଇଛି।

ତେବେ ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି WFI ଅତିରିକ୍ତ ସଚିବ ବିନୋଦ ତୋମାର। ନିଲମ୍ବନ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି ସେ କହିଛନ୍ତି। ତେବେ ଏଏନ୍‌ଆଇ ଠାରୁ ଫୋନ୍ କଲ୍‌ ପାଇବା ପରେ ମୋତେ ନିଲମ୍ବିତ କରାଯାଇଥିବା ଜାଣିବାକୁ ପାଇଲି। ହେଲେ ଏହା ପୂର୍ବରୁ ମୋତେ ନିଲମ୍ବନ ସମ୍ପର୍କିତ କୌଣସି ସୂଚନା ଦିଆଯାଇ ନଥିଲା। ମୁଁ କିଛି ବି ଭୁଲ୍ କରି ନାହିଁ ବୋଲି ବିନୋଦ ଶନିବାର ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ତା ସହିତ ରେସଲର ଆଣିଥିବା ଅଭିଯୋଗକୁ ଭିତ୍ତିହୀନ। ୩-୪ ଦିନ ହେବା ସେମାନେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଇ ନାହାନ୍ତି। ମୁଁ ସେମାନଙ୍କ ସହ ଗତ ୧୨ ବର୍ଷ ହେଲା କାମ କରିଆସୁଛି। ମୁଁ ଏଭଳି କୌଣସି ଘଟଣା କେବେ ଦେଖି ନାହିଁ ବୋଲି ତୋମାର କହିଛନ୍ତି।

ସୂଚନା ଥାଉକି, ତୋମାର WFI ଅଧ୍ୟକ୍ଷଙ୍କ ସହ ଅତି ନିକଟତର ଭାବେ କାମ କରୁଥିଲେ। ଏବଂ ସଂଘର ଦୈନିକ କାର୍ଯ୍ୟର ତଦାରଖ କରୁଥିଲେ ବୋଲି କୁହାଯାଉଛି।

କେବଳ ସେତିକି ନୁହେଁ ଦେଶର ରେସଲିଂ ସମ୍ପର୍କିତ ଚାଲିଥିବା ସମସ୍ତ କାର୍ଯ୍ୟକୁ ରଦ୍ଦ କରାଯାଇଛି। ଉତ୍ତର ପ୍ରଦେଶ ଗୋଣ୍ଡାରେ ଆୟୋଜିତ ରାଙ୍କିଂ ଟୁର୍ଣ୍ଣାମେଣ୍ଟକୁ ରଦ୍ଦ କରିବା ସହ ପ୍ରତିଯୋଗୀଙ୍କ ଠାରୁ ନିଆଯାଇଥିବା ଏଣ୍ଟ୍ରି ଫି ଫେରାଇବାକୁ କ୍ରୀଡ଼ା ମନ୍ତ୍ରାଳୟ WFI ନିର୍ଦ୍ଦେଶ ଦେଇଛି। ଯେପର୍ଯ୍ୟନ୍ତ ଔପଚାରିକ ଭାବେ ଏକ ନିରୀକ୍ଷଣ କମିଟି ଗଠନ କରା ନଯାଇ ଦୈନିକ କାମକୁ ତଦାରଖ ନ କରିଛନ୍ତି ସେ ପର୍ଯ୍ୟନ୍ତ ରେସଲିଂ ସମ୍ପର୍କିତ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି।

ସୂଚନା ଥାଉକି,ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ଶାକ୍ଷୀ ମଲ୍ଲିକଙ୍କ ଭଳି ଷ୍ଟାର୍ ରେସଲରମାନେ WFI ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଆଣି ଜାନୁଆରୀ ୧୮ ତାରିଖରୁ ଆନ୍ଦୋଳନ କରିଥିଲେ। ଅଧ୍ୟକ୍ଷଙ୍କ ବହିସ୍କାର ସହ ସଂଘର ପରିବର୍ତ୍ତନ ଦାବି ସହ କମିଟି ଗଠନ କରି ମାମଲାର ତଦନ୍ତ କରିବାକୁ ଖେଳାଳିମାନେ ଦାବି କରିଥିଲେ। କ୍ରୀଡ଼ାମନ୍ତ୍ରାଳୟ ଓ ମନ୍ତ୍ରୀ ନିଜେ ଖେଳାଳିମାନଙ୍କୁ ଭେଟିବା ପରେ ଗତକାଲି ସେମାନଙ୍କର ଆନ୍ଦୋଳନ ବନ୍ଦ ହୋଇଥିଲା।

ଅନ୍ୟପଟେ ଶନିବାର WFI ପକ୍ଷରୁ ରେସଲରମାନଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ଅଭିଯୋଗ ଭିତ୍ତିହୀନ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି WFI କହିଛି।

 

Comments are closed.