Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ହଠାତ୍ ସାମନାପଟୁ କେହି ଜଣେ ଆସୁଥିବା ଦେଖି ଉମା ଗୋଟିଏ ଲତା ଅନ୍ତରାଳରେ ଲୁଚିଗଲା । ପଥିକ ଜଣକ ଚନ୍ଦ୍ରଭାନୁଙ୍କୁ ଦେଖି ପଚାରିଲା- ଆଜ୍ଞା, କହି ପାରିବେ ଭବାନୀ ପଟ୍ଟନାୟକଙ୍କ ଘରକୁ ରାସ୍ତା କେଉଁଟା ?

ଚନ୍ଦ୍ରଭାନୁ ସାମାନ୍ୟ ବିଚଳିତ ହୋଇଉଠିଲେ- ତାଙ୍କ ପାଖରେ କିଛି କାମ ଅଛି ?

– ତାଙ୍କ ଶାଶୁଘର ଗାଁରୁ ମୁଁ ଆସିଛି । ତାଙ୍କ ସାନ ଶଳାର ଝିଅ ମଧୁ ଗଲାରାତି ମରିଗଲା, ସାପ କାମୁଡ଼ାରେ । ମୁଁ ତାଙ୍କ ଜଗୁଆଳୀ କିନା, ଏହି ଅଶୁଭ ବାର୍ତ୍ତା ଦେବାକୁ ଆସିଛି ।

ଲୋକଟି ଉଦ୍‌ବିଗ୍ନ ଦୃଷ୍ଟିରେ ତାଙ୍କୁ ଚାହିଁଲା । ଡାହାଣ ହାତର ତର୍ଜନୀ ନିର୍ଦ୍ଦେଶ କରି ସେ ଲୋକଟିକୁ ତା’ର ଗନ୍ତବ୍ୟ ସ୍ଥାନ ରାସ୍ତା ବତାଇ ଦେଲେ ।

ଲୋକଟି ପଛେଇ ଯିବାରୁ ଉଭୟ ପୁଣି ଆଗକୁ ଚାଲିଲେ । ରାସ୍ତାରେ ଚନ୍ଦ୍ରଭାନୁଙ୍କ ମୁହଁରୁ ହଠାତ୍ ବାହାରି ଆସିଲା- ଓଃ, ଗୋଟାଏ ଗ୍ରହ ଗଲା ।

ପଚାରିଲା ଆଖି ନେଇ ଉମା ତାଙ୍କୁ ଚାହିଁଲା । ସେସବୁ କଥା ବୁଝାଇ କହିଲା ପରେ ଆଶ୍ୱସ୍ଥିର ଏକ ଦୀର୍ଘଶ୍ୱାସ ତାଙ୍କ ଘ୍ରାଣେନ୍ଦ୍ରିୟରୁ ଉତୁରି ଆସିଲା । କଳିଙ୍ଗା ଘାଟିର ନିମ୍ନ ଦେଶରେ ଥିବା ଅସୁମାରୀ ଲତା ମଧ୍ୟରୁ ଗୋଟିଏ ଦିଗକୁ ଚନ୍ଦ୍ରଭାନୁ ଦ୍ରୁତଗତି ନେଇ ଯାଉଥିବା ଦେଖି, ଉମା ଥକି ରହି ଗଲା । ସେ ଆଖିରେ ତାକୁ ଇସାରା ଦେଲେ । ଭୟ ପାଇଗଲା ଉମା । ଯାହାକୁ ଭରସା କରି ଦମ୍ଭର ସହ ସେ ଗାଁର ଶେଷ ମୁଣ୍ଡରୁ ଏ ପର୍ଯ୍ୟନ୍ତ ଚାଲିଆସିଥିଲା, ବର୍ତ୍ତମାନ ତାଙ୍କ ମୁହଁର ଭଙ୍ଗୀ ଓ ଗତିବିଧିର ପରିବର୍ତ୍ତନ ଦେଖି, ତାଙ୍କର ଦୁଷ୍ଟ ଉଦ୍ଦେଶ୍ୟକୁ ବୁଝିବାକୁ ତା’ର ବାକି ରହିଲା ନାହିଁ ।

ଅନୂଢ଼ା କୁମାରୀ ଉମାର ଛାତିରେ ଛନକା ପଶିଲା । ଗାଁର ଏହି ସୁନ୍ଦର, ଶିକ୍ଷିତ, ମାର୍ଜିତ କଥାବାର୍ତ୍ତାର ଯୁବକ ଜଣକ ଯେ ତାକୁ ଆଣି ଏମିତି ଏକ ପରିବେଶ ଓ ପରିସ୍ଥିତିରେ ଉପନୀତ କରାଇବ, ଏ ଧାରଣା ତା’ର ନଥିଲା । କ୍ରମଶଃ ଦୁର୍ବାର ହୋଇ ଉଠୁଥିଲା ଚନ୍ଦ୍ରଭାନୁଙ୍କ ତାରୁଣ୍ୟ । ଅନବଦ୍ୟାଙ୍ଗୀ ଉମାର ନିରାଭରଣ ତନୁଶ୍ରୀ ତାଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରୁଥିଲା । ନିରିହ କୃଷ୍ଣସାରର ଦୃଷ୍ଟି ନେଇ ଅଦୂରରେ ଛିଡ଼ା ହୋଇଥିବା ଉମାକୁ ସେ ଦୁଇବାହୁରେ ଉଠାଇ ନେଇ ଆସିଲେ । ଘାଟୀର ନିମ୍ନ ଭାଗରେ ଥିବା ଅସଂଖ୍ୟ ଲତା-ବୁଦା ମଧ୍ୟରୁ ଗୋଟିଏ ଶିଆଳୀ ଲତା ତଳେ ଉମାର ଅକ୍ଷତ ଯୌବନ ସହ ଖେଳି ସାରିବା ପରେ ତାଙ୍କ ମନରୁ ସନ୍ଦେହ ଭାବ ଦୂର ହେଲା ।

Leave A Reply

Your email address will not be published.