Latest Odisha News

ପୁସ୍ତକ ପରିଚୟ : ଯୁଦ୍ଧର ଆକାଶ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା 

କବି ହରିହର ମିଶ୍ରଙ୍କ ‘ଯୁଦ୍ଧର ଆକାଶ’ ଏକ ଅସମ୍ପୂର୍ଣ୍ଣ ଅନୁଭବ

କବିତା ସଙ୍କଳନ : ଯୁଦ୍ଧର ଆକାଶ
କବି ହରିହର ମିଶ୍ର, ପୁରୀ
ପ୍ରକାଶକ ‐ ସୁଲଭ ପ୍ରକାଶନୀ, ବଳଗଣ୍ଡି, ପୁରୀ
ଯୋଗାଯୋଗ ‐ ୯୮୬୧୧୫୩୯୯୧
ମୂଲ୍ୟ ‐ ଟ୧୫୦/- ମାତ୍ର

ବିଗତ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ କବିତାକୁ ଏକ ନୂତନ ଚେତନାରେ ଆପ୍ଲୁତ କରି ରଖିଥିବା କବି ହରିହର ମିଶ୍ର ଗଢିଛନ୍ତି କବିତାର ବିଶାଳ କୋଣାର୍କ । ତାଙ୍କର ସେ ଅନନ୍ୟ କାବ୍ୟ ବିଭୁତି ଯେପରି ବର୍ଣ୍ଣିଳ ସେପରି ବିବିଧତାପୂର୍ଣ୍ଣ । ନିଜ ହୃଦୟର ଉଚ୍ଛ୍ବାସକୁ ସେ ଯେପରି ଭାବ ଓ ଭାଷାରେ ବ୍ୟକ୍ତ କରନ୍ତି ତାହା ଯେତିକି ସୁସ୍ପଷ୍ଟ ସେତିକି ମନୋହର । ଶ୍ଳେଷାତ୍ମକ ଦୃଷ୍ଟିଭଙ୍ଗୀ ମାଧ୍ୟମରେ ଜୀବନାନୁଭୂତିର ତୀବ୍ରତାକୁ କବି ଯେଉଁଭଳି ଭାବେ ପରିପ୍ରକାଶ କରନ୍ତି ସେ ଶୈଳୀରେ ଥାଏ ଏକ ନିଆରା ଭାବ । ତାଙ୍କ କବିତା ଏକା ସମୟରେ ଐତିହ୍ୟ ଓ ସଂସ୍କୃତି, ପରମ୍ପରା ଓ ପୁରୋଦୃଷ୍ଟି, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ଏକ ସଂଯୋଗ ସେତୁ । ମିଥ୍ ଓ ଚିତ୍ରକଳ୍ପର ସଫଳ ତଥା ବଳିଷ୍ଠ ପ୍ରୟୋଗ, ଅନେକ ସମୟରେ ବହୁ ପ୍ରାଚୀନ କାବ୍ୟକବିତାରୁ ଉଦ୍ଧୃତ ଶବ୍ଦପୁଞ୍ଜର ବ୍ୟବହାର ତାଙ୍କ କବିତାକୁ ଆହୁରି ରସାଣିତ କରିଥାଏ । ରହସ୍ୟବାଦୀତା, ଆଧ୍ୟାତ୍ମଶ୍ରାୟୀ ତାଙ୍କ କବିତାର ମୂଳ ସ୍ବର ହେଲେ କବି କିନ୍ତୁ ରୋମାଣ୍ଟିକ୍ ଓ ବିରୋଧାଭାସର ମିଶ୍ରିତ କାନଭାସରେ ଜୀବନକୁ ବିଶ୍ଳେଷଣ କରିଛନ୍ତି । ତାଙ୍କ କବିତା ଯେତିକି ବୌଦ୍ଧିକ ସେତିକି ସାଧାରଣ, ପୁଣି ପ୍ରାଚୀନ ଓ ଆଧୁନିକର ସମ୍ମିଶ୍ରଣ ଏବଂ ଆଞ୍ଚଳିକତା ସହିତ ଅନ୍ତର୍ଜାତୀୟତାର ଦର୍ଶନୀୟ ସଂଯୋଜନ । ତାଙ୍କର ଅନେକ କବିତାରୁ ପୁରୀ ତଥା ପୁରୀର ପରମ୍ପରା, ସଂସ୍କୃତି, ଐତିହ୍ୟ ଓ ଜଗନ୍ନାଥି ଚେତନାର ସୁଗନ୍ଧକୁ ଅନୁଭବ କରିହୁଏ ।

ତାଙ୍କ ପ୍ରକାଶିତ କବିତା ଗ୍ରନ୍ଥରାଜି ଠିକ୍ ଏଇଭଳି ।
କବି ହରିହର ମିଶ୍ର “ଶଙ୍ଖନାଭି”ରେ ପ୍ରବେଶ ପୂର୍ବକ ରଚିଛନ୍ତି “ସୂକ୍ତ ଶତକ” ଆଉ ଆବାହନ କରିଛନ୍ତି ସେଇ “ଅକ୍ଷମ ଦେବତା”ଙ୍କୁ । ପୁଣି “ଲାଲଢ଼ର ତପସ୍ୟା” ମାଧ୍ୟମରେ ମହାଜୀବନର ସତ୍ୟକୁ ଅନ୍ବେଷଣ କରି ଗଢିଛନ୍ତି “ଚନ୍ଦ୍ରବିମ୍ବ” ଆଉ “ଚାହାଣି ମଣ୍ତପ”ରୁ ଥାଇ ଅଗଣିତ “ସ୍ବପ୍ନ ବିନିମୟ” କରିଛନ୍ତି । ଆଉ କେବେ ଅସରନ୍ତି ଭାବନାକୁ, ଆଧ୍ୟାତ୍ମିକ ଚେତନାକୁ “ଭିତିରି ଚନ୍ଦନ”ରେ “ଶବ୍ଦ ଏକା ଏକା ଏକତ୍ର” ଙ୍କୁ “ଦର୍ପଣ ଶିଳା” ମାଧ୍ୟମରେ “ସନ୍ଧ୍ୟା ଦର୍ଶନ” କରାଇଛନ୍ତି । ଶୁଣେଇଛନ୍ତି “ଅଣ ଅକ୍ଷର” ମନ୍ତ୍ର, ତାକୁ ଶୁଣି କବିତାର “ଅର୍ଦ୍ଧ ମାନବୀ” ପାଇଛି ଜୀବନ୍ୟାସ ଆଉ “ପାହାଡ଼ର ଡେଣା’ ଧରି ଉଡିଯାଇଛି । ତା’ ହୃଦୟର “ଶୟନ ପ୍ରତିମା” ଆଉ ଥରେ ହୋଇଛି ଜାଗ୍ରତ, ଆଖିରେ “ଅନେକ ଆଶ୍ଚର୍ଯ୍ୟ” କଣ୍ଠରେ ଅପୂର୍ବ “ସ୍ବରବର୍ଣ୍ଣ” ଓ ହୃଦୟରେ “ଦିବ୍ୟ ଅସନ୍ତୋଷ”କୁ ନେଇ ସେ ଖୋଜିଛନ୍ତି “ଧୂଳିମାଟିର ସ୍ବର୍ଗ”କୁ । ସେଇ ଅପୂର୍ବ ଦୃଷ୍ଟି ଓ “ଦିଷ୍ଟି”କୁ ଦିବ୍ୟାସ୍ତ୍ର କରି “କୋଇଲି ତୁ ଚୁପ୍ ରହ” ବୋଲି କହି “ନିଃଶବ୍ଦ ପାଦଶବ୍ଦ”ରେ ପ୍ରବେଶିଛନ୍ତି “ଇନ୍ଦ୍ରାଣୀ” ନଗରରେ ଜଣେ “ଅକିଞ୍ଚନ” ଆଗନ୍ତୁକ ଭାବେ । ଲେଖି ଦେଇଛନ୍ତି “ଭୁଜବର୍ଣ୍ଣ” ପତ୍ରରେ ସେଇ “ଗୂଢପଦ”, ସେଇ ପଦାବଳୀର ଝଙ୍କାରରେ ବଦଳି ଯାଇଛି “ପରାଗ ସଂଗମ” ବଦଳିଛି “ଆସକ୍ତ ଭଗ୍ନାଂଶ” । ଅବଶ୍ୟ ଖୁବ୍ କଠିନ ଥିଲା “ଏ ଦୁଇ ମାସ” କାରଣ ପୃଥିବୀ ଆଉ ସେ ପୃଥିବୀ ହୋଇ ନାହିଁ ଆଉ ଆକାଶ ହୋଇଛି “ଯୁଦ୍ଧର ଆକାଶ” ।

ହଁ….”ଯୁଦ୍ଧର ଆକାଶ” କବିଙ୍କର ୩୧ତମ କବିତା ଗ୍ରନ୍ଥ । ‘ମିଶନ ଗଙ୍ଗା’ ଓ ‘ଯୁଦ୍ଧର ଆକାଶ’ ଭଳି ଦୁଇଟି ଦୀର୍ଘ କବିତା ସହ ଅନ୍ୟ ୧୮ଟି କବିତାକୁ ନେଇ ସମଗ୍ର ଗ୍ରନ୍ଥଟିର ପରିକଳ୍ପନା । ମନେ ରଖିବାକୁ ହେବ କବି ହୁଅନ୍ତୁ ବା ଲେଖକ ସାଂପ୍ରତିକ ପରିସ୍ଥିତିରୁ ପଳାୟନ ନୁହେଁ ବରଂ ନିରପେକ୍ଷ ଭାବେ ଘଟଣା ଓ ପରିସ୍ଥିତିର ଅନୁଶୀଳନ କରି ତାକୁ ସାହିତ୍ୟ ମାଧ୍ୟମରେ ବିଶ୍ବ ସଂପ୍ରଦାୟ ସମ୍ମୁଖରେ ଉପସ୍ଥାପନ କରିବା ହିଁ ଏକ ଗୁରୁ ଦାୟିତ୍ବ । ଦୁଇ ଦୁଇଟି ବିଶ୍ବଯୁଦ୍ଧରେ ସମଗ୍ର ବିଶ୍ବ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆକ୍ରାନ୍ତ ହେଲା ପରେ ଯୁଦ୍ଧୋତ୍ତର ପୃଥିବୀର ମଣିଷଗଣ ତଥାପି ଯୁଦ୍ଧର ଭୟାବହତାକୁ ହେୟଜ୍ଞାନ କରି ଚାଲିଛନ୍ତି । କିଛି ମୂଢମତି ଜିଦଖୋର ଜନନାୟକଙ୍କ ଅପରିଣାମଦର୍ଶିତା, କ୍ଷମତାଲୋଭ ଆଜି ବିଶ୍ବର ପ୍ରାୟ ପ୍ରତ୍ୟକ ଜନପଦରେ ଆସନ୍ନ ଯୁଦ୍ଧର ସଂକଟ ସୃଷ୍ଟି କରିଛି । ତନ୍ମଧ୍ୟରୁ ସଂପ୍ରତି ଋଷ୍ ଓ ୟୁକ୍ରେନ ଯୁଦ୍ଧର ଧ୍ବଂସଲୀଳା ଓ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଯେଉଁ ଯୋଜନାଟି କାର୍ଯ୍ୟକାରୀ କରାଯାଇଥିଲା, ତାକୁଇ କେନ୍ଦ୍ର କରି ସଙ୍କଳନର ପ୍ରଥମ କବିତା ‘ମିଶନ ଗଙ୍ଗା’ କ୍ରିୟାଶୀଳ ।

ଆଧ୍ୟାତ୍ମିକତା ହେଉଛି ଭାରତୀୟ ସଂସ୍କୃତିର ପ୍ରଧାନ ଉତ୍ସ ଏବଂ ‘ଗଙ୍ଗା’ ନଦୀ ହେଉଛନ୍ତି ଆମ ମହାଭାରତୀୟତାର ପ୍ରତୀକ । ଗଙ୍ଗା ଓ ଯମୁନା ତା’ ମଧ୍ୟେ ଗୁପ୍ତରେ ବିଜେ ସରସ୍ବତୀ କାହିଁ କେଉଁ ଅନାଦି କାଳରୁ ଭାରତୀୟ ଜନମାନସର ଚିନ୍ତା ଚେତନାକୁ ଆବୋରି ବସିଛନ୍ତି । ମା’ ଗଙ୍ଗା ତ ଆହୁରି ସ୍ବତନ୍ତ୍ର । ସେ ମାତା, ସନ୍ତାନ ବତ୍ସଳା, ଉଗ୍ର ରୂପିଣୀ ପୁଣି ଭକ୍ତିମୁକ୍ତି ପ୍ରଦାୟିନୀ । ଶ୍ରେଷ୍ଠୀ ଭଗୀରଥ ଦେବାଶୀର୍ବାଦ ଲାଭ କରି ସ୍ବର୍ଗର ଗଙ୍ଗାଙ୍କୁ ପୃଥିବୀକୁ ଆଣିଥିଲେ ନିଜ ପିତୃପୁରୁଷଙ୍କୁ ଉଦ୍ଧାର କରିବା ପାଇଁ । ଆଜି ପୁନଶ୍ଚ ଭାରତୀୟ ରାଷ୍ଟ୍ରମୁଖ୍ୟ ଅଗଣିତ ଭାରତୀୟଙ୍କୁ ଉଦ୍ଧାର କରିବାକୁ ଯାଇ ସେଇ ମା’ ଗଙ୍ଗାଙ୍କୁ ଆଧାର କରିଛନ୍ତି । ତା’ ମାଧ୍ୟମରେ କବିଙ୍କ ଜାତୀୟପ୍ରୀତି, ଭାରତୀୟ ଅସ୍ମିତା ଓ ସଂହତି ପ୍ରତି ଗଭୀର ଆସ୍ଥା ଓ ବିଶ୍ବାସ ପ୍ରତିଫଳିତ । ତାଙ୍କୁ ଆବାହନ କରି ପୁନଶ୍ଚ ପ୍ରବେଶାୟିତ କରିଛନ୍ତି ବିସ୍ମୃତ ଜନମାନସରେ ଠିକ୍ ଏକ ଦିବ୍ୟ ଓ ଅଭୟ ଆଶ୍ବାସନା ସଦୃଶ….
‘ସେ ପୁଣ୍ୟତୋୟା ନଦୀର
ନାମରେ ଥିଲା ଅଭୟ ମନ୍ତ୍ରଶକ୍ତି
ଆକାଶରୁ ଖସି ପଡିଲା ସେ
ଦିବ୍ୟ ଆଶ୍ବାସନା’
ମନେହେଉଛି ମା’ ଗଙ୍ଗାଙ୍କର ସେ ପାବନ ପ୍ରବାହ ଜାଗ୍ରତ କରିଛି ଭାରତୀୟଙ୍କ ସୁପ୍ତ ଚେତନାକୁ, ସମଗ୍ର ଦେଶ ଆଜି ତାଙ୍କରି ସ୍ତୁତିରେ ମଗ୍ନ, ସମୃଦ୍ଧ ଐତିହ୍ୟରେ ବିଭୋର….
‘ଗଙ୍ଗା ଆଜି ସ୍ମରଣରେ ଆଣିଦେଲା
ତାର ପ୍ରବାହର ଇତିବୃତ୍ତି, ଚିରନ୍ତନ ଜାତିର ସମ୍ପତି,
ମନେହଲା,
ଏ ଜଳଦମାଳା ଅଗ୍ନି ସମ୍ଭୂତ
ଯାହା ଶାନ୍ତ କରେ ଶୀତଳ କରେ
ବନାଗ୍ନିକୁ ।
ଚରଣାମୃତ ସତେ କେଉଁ ତୃତୀୟ ପାଦର ସେ
ଶୂନ୍ୟ କିମ୍ବା ପୂର୍ଣ୍ଣବ୍ରହ୍ମଙ୍କର’
ସାଧାରଣ ମଣିଷ ବା କେତେ ବୁଝେ ଗଙ୍ଗାଙ୍କୁ ! ସେ ତ କବଳ ନଦୀ ନୁହନ୍ତି, ଏକ ଏପରି ଅମୃତଧାର ଯିଏ କୋଟିକଣ୍ଠର ତୃଷ୍ଣା ନିବାରଣ କରନ୍ତି ଓ ଧରଣୀକୁ ଜୀବନ୍ୟାସ ଦିଅନ୍ତି…..
‘ଜାଣି ବି ଜାଣେନା ତାକୁ ଏ ମଣିଷ
ବୁଝି ବି ବୁଝେନା
କଛି ନୁହେଁ ଭୟଙ୍କର
କିଛି ନୁହେଁ ଅମଙ୍ଗଳ
ସବୁ ସତ୍ୟ, ସବୁ ଶିବ, ସବୁ ଯେ ସୁନ୍ଦର’

କବିଙ୍କ ପାଇଁ ଯୁଦ୍ଧ ଏକ ଅସମ୍ପୂର୍ଣ୍ଣ ଅନୁଭବ କାରଣ ଯୁଦ୍ଧ କେବେ ବନ୍ଦ ହେବନାହିଁ । ସ୍ରଷ୍ଟାଙ୍କ ଶ୍ରେଷ୍ଠ ସୃଷ୍ଟି ମଣିଷ ନିଜ ମିଥ୍ୟା ଅହମିକାକୁ ନେଇ ସର୍ବଦା ଦ୍ବିଧାଗ୍ରସ୍ତ । ଜୀବନର ଚିରନ୍ତନ ସତ୍ୟଠାରୁ ସେ ଏବେ ବି ଦୂରରେ । ସୃଷ୍ଟିର ପ୍ରାଣପ୍ରାଚୁର୍ଯ୍ୟକୁ ସେ ଧ୍ବଂସ କରିବାରେ ଯେଉଁ ବ୍ୟଗ୍ରତା ପ୍ରଦର୍ଶନ କରୁଛି ତାହାର ନିଦର୍ଶନ ହେଉଛି ଏ ପ୍ରଳୟଙ୍କାରୀ ‘ଯୁଦ୍ଧ’ । ରାଷ୍ଟ୍ରବାଦ ଆଜି ଉଗ୍ର ସ୍ବେରବାଦରେ ରୂପାନ୍ତରିତ । ଭିଟାମାଟି ଛାଡି ଲକ୍ଷଲକ୍ଷ ଶରଣାର୍ଥୀଙ୍କ ପଳାୟନ, ରୋଗ ଶୋକ, ପ୍ରାକୃତିକ ଦୁର୍ବିପାକ, କ୍ଷମାତାନ୍ଧଙ୍କ ବ୍ୟଭିଚାର ଦେଖିଲେ ଅନ୍ତତଃ ସେୟା ମନେ ହୁଏ ସଭ୍ୟତାର ଅଗ୍ରଗତି ଆଜି କେଉଁଠି ପହଞ୍ଚିଛି !
‘ଏ ଯେଉଁ ଅଣନିଃଶ୍ବାସୀ ଦୌଡ ଚାଲେ
ପ୍ରଗତି ଓ ବିକାଶର
ପ୍ରତିଟି ମଣିଷ ମାଗେ ଖୋଲା ଆକାଶକୁ
ନିଃଶ୍ବାସ ନେବାକୁ ଟିକେ
ବଞ୍ଚିବାର ରାହା ନେଇ କୁର୍ଣ୍ଣିସ୍ କରେ
ଯୁଦ୍ଧଖୋର ଆତତାୟୀମାନଙ୍କୁ’
ହରିହରଙ୍କ କବିତାରେ ଏକ ମନ୍ମୟ ଅନ୍ତର୍ଛନ୍ଦ କବିତାର ଅନ୍ତରାଳରେ ଅବସ୍ଥାପିତ ଯାହା ତାଙ୍କ କବିତାକୁ ଆହୁରି ରସାଳ କରେ । ଅକୃତ୍ରିମ ପ୍ରକାଶ ଶୈଳୀ ଯାହାର ସାନ୍ଦ୍ରତା କେବଳ କଳ୍ପନାରେ ଚିତ୍ରିତ କରାଯାଇପାରେ ମାତ୍ର ଭାବନାରେ ଆଣି ଶବ୍ଦରେ ବୟାନ କରିବା ସାଧ୍ୟାତୀତ । ତାଙ୍କ କବିତାର ଶୁଦ୍ଧତାକୁ କେବଳ ମୁଗ୍ଧ ହୃଦୟରେ ଅନୁଭବ କରାଯାଇପାରେ । ଗୋଟିଏ ଗୋଟିଏ ପଂକ୍ତି ସମଗ୍ର କବିତାର ଆତ୍ମାକୁ ଧରି ରଖିଥାଏ । ସାମ୍ପ୍ରତିକତାକୁ ବୟାନ କରୁକରୁ ଆଧ୍ୟାତ୍ମିକତା ତାଙ୍କ ସମଗ୍ର କବିସତ୍ତାକୁ ଏପରି ଆବୋରି ବସେ ଯେ ଏକ ରହସ୍ୟମୟ ପରିବେଶ ସୃଷ୍ଟି କରେ । ଏ ପ୍ରକ୍ରିୟା ଯେ ନିତ୍ୟନୈମିତିକ ଯାହା ନିମ୍ନ ପଂକ୍ତିରୁ ଜଣାପଡେ…
‘କେବେ ଗଙ୍ଗା ଆଳତି ଚାଲେ ତ
ଆଳତୀ ମହୋଦଧିର
ସବୁକୁ ସୁଡଙ୍ଗ ଥାଏ
ହୃଦୟରୁ ହୃଦୟକୁ ଗୁପ୍ତ ପଥ
ଯାହାକୁ ମୁଁ ଜାଣେ ଓ ସେ
ଜାଣେନା ସ୍ବର୍ଗ ମର୍ତ୍ତ୍ୟର ସଂସାର’
ପୁଣି ଲକ୍ଷ୍ୟ କରନ୍ତୁ….
‘ମୁଁ ସେହି ମଧୁସନ୍ଧାନୀ ସ୍ବୟଂ ପରିପୂର୍ଣ୍ଣ
ବିଭକ୍ତ ଯେ କରେ ମତେ ଅପୂର୍ଣ୍ଣ ସେ କରେ
ଅପୂର୍ଣ୍ଣ ଏ ଜୀବନରେ ମୃତ୍ୟୁ ଆସେ
ପୂର୍ଣଛେଦ ମାରେ’
ଯେଉଁଠି ଟିକେ ସଂଶୟ ସୃଷ୍ଟି ହୋଇଛି ସେଇଠି ଏ ଭାବ ସଞ୍ଚରି ଯାଇଛି । ସେଥିପାଇଁ ତାଙ୍କ କବିତା ମସ୍ତିଷ୍କରୁ ହୃଦୟକୁ ସଂଚରି ଯିବାର ଅଦ୍ଭୁତ କ୍ଷମତା ରଖେ….
ମୁଁ ସେଠିକି ଫେରିଯିବି
ସ୍ବର୍ଗ, ନର୍କ ଚିନ୍ତା ଯହିଁ
ଆଦୌ ନ ଥିବ,
ରୂପ ଆ ନେବନାହିଁ
ଦର୍ପଣରେ ଝଲସିବ
ଅରୂପର ଝଲମଲ ଅନ୍ଧାରର ଦେହ
ରତ୍ନସିଂହାସନ ପରେ
ଗର୍ଭଗୃହଟିର
ଚାଲିଥିବ ଯୌବନର
ନିତ୍ୟଲୀଳା ଆନନ୍ଦର
ଚତୁର୍ଦ୍ଧା ସ୍ବରୂପ’

ହରିହରଙ୍କ କବିତାର ଏଇ ସ୍ବତନ୍ତ୍ର ଗଢଣଶୈଳୀ ଓ ମାର୍ମିକ ଆବେଦନ ହିଁ ତାଙ୍କୁ ସମକାଳୀନ କବିଙ୍କ ଭିତରେ ସ୍ବତନ୍ତ୍ର କରାଇଥାଏ । “ଯୁଦ୍ଧର ଆକାଶ” ଅସଂଖ୍ୟ କବିତାପ୍ରେମୀଙ୍କ କବିତା ତୃଷ୍ଣା ମେଣ୍ଟାଉ ଏହା ହିଁ କାମନା ।

 

Leave A Reply

Your email address will not be published.