ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପ୍ରଭୁ ତ ନିରବ ଭାବନା
ବୁଝଂତି, ଯେଣୁ ମୋତେ ଜଣା
କରିବିନାହିଁ ମୁଁ ଚିତ୍କାର
ପ୍ରାର୍ଥନା ଗାଇ ବାରଂବାର
କରିଛିଁ ସମୂହ ପ୍ରାର୍ଥନା
ପ୍ରଭୁଂକୁ ସବୁ କିଛି ଜଣା
ତେଣୁ କରିଲେ ଆଡ଼ଶୁଣା
ଏବେ ପଡ଼ୁଛି ମୋତେ ଜଣା
ଅନାବଶ୍ୟକ କୋଳାହଳ
ଦିଏନି କେବେ କିଛି ଫଳ
ଏବେ ମୁଁ ପାରିଲିଣି ବୁଝି
ଚୁପ୍ ରହିବା ପାଇଁ ରାଜି
ଭକ୍ତିକୁ କଲେ ପ୍ରଦର୍ଶନ
ଦେଖଂତିନାହିଁ ଭଗବାନ
ଖୋଜଂତି ଶୁଦ୍ଧ, ସ୍ବଚ୍ଛ ମନ
ତାହା ହିଁ ତାଂକର ଆସ୍ଥାନ
ଯଦି ମନରେ ନାହିଁ ଆସ୍ଥା
କରିଲେ ଅର୍ଚନା ବ୍ୟବସ୍ଥା
ତା ହୁଏ ବୃଥା ଆଡ଼ଂବର
ତାହା ନ ଦେଖଂତି ଈଶ୍ବର
ଅନ୍ୟ କାହାର ଭକ୍ତିଗୀତ
ମୁଁ କିଆଁ ଗାଇବି, କହ ତ
ଯାହା ଚିଂତିବ ମୋର ମନ
ତାହା ହିଁ ମୋ ଶୁଦ୍ଧ ଜଣାଣ
ଅନ୍ୟର ଜୀବନ ଚରିତ
ମୋ ନାମେ ହେଲେ ପ୍ରକାଶିତ
ବୋଲାଇବି ମୁଁ ଶବ୍ଦଚୋର
ଏ ନୁହେଁ ଅଭ୍ୟାସ ମୋହର
ସ୍ରଷ୍ଟାଂକ ସହିତ ସଂପର୍କ
ବ୍ୟକ୍ତିଗତ ଓ ଆଂତରିକ
ପାରସ୍ପରିକ ବୁଝାମଣା
ଏତିକି ଅଛି ମୋତେ ଜଣା
କହି ତାହାଂକୁ ‘ଭାବଗ୍ରାହୀ’
ଦେଇ ପରଂପରାର ଦ୍ବାହି
ମୁଁ ଯଦି ହେବି ସତ୍ୟଚ୍ୟୁତ
କିପରି ହେବ କାହା ହିତ ?
Comments are closed.