ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’
ମାୟାଧର ନାୟକଯେଉଁଠି ଭୋକ ଆଉ ରୋଗ ନଥିବ, ସେଇଭଳି ପୃଥିବୀ ଆବଶ୍ୟକ । ଭୋକ, ରୋଗ ଏ ଧରଣୀବକ୍ଷରୁ ପୋଛିଦେବାକୁ ହେବ । ଆମ ପ୍ରିୟ ବିଶ୍ୱର ବିଜ୍ଞାନ ଏଯାବତ୍ ସେଭଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ ସାଂଘାତିକ ଶବ୍ଧ ଭୋକ ଓ ରୋଗକୁ ମଣିଷଜାତିର ଅଭିଧାନରୁ ମୂଳପୋଛ କରିଦେବେ । ଯୁଦ୍ଧଠାରୁ ଅଧିକ ଭୟଙ୍କର ଘଟଣା ଏ ପୃଥିବୀରେ ହୋଇନଥାଏ।
ଯୁଦ୍ଧାସ୍ତ୍ର ମଣିଷକୁ ବୁଦ୍ଧିହୀନ ଶିଶୁ କରିଦିଏ । ହାତରେ ପଡିଲେ ସେ ଖେଳିବାକୁ ବ୍ୟଗ୍ର ହୁଏ । ଏଇ ପୃଥିବୀର ଆଦ୍ୟକାଳରୁ ଆଦିମ ସାମ୍ୟବାଦ ଥିଲା । ପରେ ପରେ ସାମନ୍ତବାଦ, ସାମ୍ରାଜ୍ୟବାଦ, ପୁଞ୍ଜିବାଦ, ସମାଜବାଦ, ସଂଶୋଧନବାଦ । ପୁନଶ୍ଚ ପଚମାନ ପୂତି ଗନ୍ଧମୟ ଶୋଷଣମୂଳକ ସମାଜ ବ୍ୟବସ୍ଥାରେ ପୁଞ୍ଜିବାଦର କାୟା ବିସ୍ତାର । ବିଶ୍ୱ ସାମ୍ୟବାଦ ବହୁ ଦୂରରେ । ଆଜି ସମଗ୍ର ବିଶ୍ୱର ୮୦୦ କୋଟି ଜନଗଣ ଜଘନ୍ୟ ଶୋଷଣମୂଳକ ପୁଞ୍ଜିବାଦର କରାଳକରାଘାତରେ ଆକ୍ରାନ୍ତ । ପ୍ରତ୍ୟେକ ବାଦ୍ରୁ ଉତ୍ତୀର୍ଣ୍ଣ ହେବାପାଇଁ ମଣିଷକୁ ଯୁଗ ଯୁଗ ଲାଗିଯାଇଛି । କେତେ ଯେ ମଣିଷ ଶୋଷଣ, ଅନ୍ୟାୟ, ଅତ୍ୟାଚାରରେ ଶିକାର ହୋଇ ଜୀବନ ତ୍ୟାଗ କରିଛନ୍ତି ତାହାର ହିସାବ ନାହିଁ । ପୃଥିବୀରେ ବହୁ ମହାମନୂଷୀ ବିଶ୍ୱର ପରିବର୍ତ୍ତନ ପାଇଁ ଦିଗ୍ଦର୍ଶନ ଦେଇଯାଇଛନ୍ତି ।
ଆମେ ସେମାନଙ୍କର ପଦାଙ୍କ ଅନୁସରଣ କରିପାରୁନାହୁଁ । ଆଜି ସମଗ୍ର ବିଶ୍ୱରେ ସେଭଳି ଏକ ମହାନ୍ ଦାର୍ଶନିକ ଦୁର୍ଲଭ – ଯାହାଫଳରେ ସାରା ବିଶ୍ୱ ଏବେ ଅନାଥ । ଏକ ପରିବର୍ତ୍ତିତ ପରିସ୍ଥିତିରେ ଆଜି ବଦଳିଯାଇଛି ସଂଗ୍ରାମର ସଂସ୍କୃତି, ଚଲାପଥର ଚିତ୍ରପଟ । ଆଜି ଆମ ସାମ୍ନାରେ ହସ ହସ ମୁହଁରେ ଛଦ୍ମବେଶୀ ଶତ୍ରୁ… ବନ୍ଧୁତ୍ୱର ବେଶଭୂଷାରେ ବିପଜ୍ଜନକ ବୈରୀ । ଅତୀତର ଯେଉଁ ପୁଞ୍ଜିବାଦକୁ ଆମେ ଭେଟୁଥିଲୁ ବନ୍ଧୁକର ମୂନରେ, ସୁରକ୍ଷାବଳୟର ବ୍ୟୁହ ମଧ୍ୟରେ – ସେ ପୁଞ୍ଜିବାଦ ତା’ର nପୁରୁଣା ଚରିତ୍ର ବଦଳାଇ ସାରି, ବସିସାରିଲାଣି ଆମ ବୈଠକଖାନାର ଟେବୁଲଆରପଟେ । ସେ ଆମକୁ ଖତମ କରିବାକୁ ଚାହୁଁଛି ଖେଳେଇ ଖେଳେଇ, ଜଖମ କରିବାକୁ ଚାହଁଛି ଜବରଦସ୍ତ ! ମାତ୍ର ତା’ର ଏ ବୈରଭାବକୁ ସେ ପିନ୍ଧାଇସାରିଛି
ବନ୍ଧୁତ୍ୱର ମାଖନ-ମଖା ମଖମଲ୍ଲୀ ମୁଖା । ବର୍ତ୍ତମାନ ପୁଞ୍ଜିବାଦ ତା’ ମୁହଁରେ ପ୍ରଚାର କରୁଛି ପ୍ରଗତିବାଦର ପ୍ରଳାପ… ଧନତନ୍ତ୍ରର ଧ୍ୱଜାରେ ତାରକିତ କରାଯାଉଛି କେତେ ସ୍ମାରକିତ ସ୍ୱପ୍ନ !
କୁବେରମାନେ ଦଖଲ କରିସାରିଛନ୍ତି କୁର୍ସି । ସେମାନଙ୍କ ହାତରେ, ପ୍ରଶାସନ । ସେମାନଙ୍କ ଆଖିର ଇସାରାରେ ନାଚୁଛନ୍ତି ନାଗରୀ-ନମ୍ବରୀ ଫେସନ୍ ସୋ’ର ଫୁଙ୍ଗୁଳୀ ଅପ୍ସରା । ସେମାନଙ୍କ କମ୍ପାନୀର କଳାଧୂଆଁ ଆଜି ଗୋଟାପଣେ ଗିଳିଦେବାକୁ ବସିଛି ଆମ ନୀଳ ଆକାଶ ତଳର ଧୂସର ପର୍ବତ, ସବୁଜ ପ୍ରାନ୍ତର, ହଳଦିଆ ହିଡମାଟି । ଖାଲି କ’ଣ ମାଟି ଆଉ ଘାଟୀ – ପରିବର୍ତ୍ତିତ ପୁଞ୍ଜିବାଦ ଆଜି ତା’ର ଆସୁରିକ ଆମିଷ ଆଁ’ ମେଲାଇ ଚଳୁ କରିଦେବାକୁ ବସିଛି ଆମର ଜଳ, ଜମି, ଜଙ୍ଗଲ – ଖଣି – ଖାଦାନ୍ – ବାଗାନ… ସବୁକିଛି !
ଆଜିର ଏ ପୁଞ୍ଜିବାଦର ହିସାବଜୋରସ୍ତ ହସ କାଲି ଡାକିଆଣିବ ସର୍ବହରାର ହାହାକାର ! ବିସ୍ଥାପିତ ହେବେ ଆମ ବଂଶଧର ବର୍ଗ । ଅଧିବାସୀର ଅଧିତ୍ୟକାରେ ଆସନ୍ତାକାଲି ଗଢିଉଠିବ କେତେ କଂକ୍ରିଟ୍ର କୁତବ୍ମିନାର । ମୁନାଫା ପାଇଁ ସେମାନେ – ସେଇ ସଇତାନୀ ସଇସମାନେ ଆମ କବର ଉପରେ ଠିଆ କରାଇବେ ସେମାନଙ୍କ ଷ୍ଟିଲଘୋଡାର ଷ୍ଟାଚ୍ୟୁ ! ଏଇ ଦେଖନ୍ତୁ, ପରିବର୍ତ୍ତିତ ପୁଞ୍ଜିବାଦ କେମିତି ଅଇଁଠାପତ୍ରର ଅବଶିଷ୍ଟାଂଶ ପରି ମୁଠାମୁଠା ବୋନସ୍ ଫିଙ୍ଗି ଚାଲିଚି ଆଜିର ଶ୍ରମିକ ଶ୍ରେଣୀ ଆଡକୁ । ଯେଉଁ ସୁନ୍ଦରଜୀବନର ପ୍ରତିଶ୍ରୁତି ଏ ପୁଞ୍ଜିବାଦ
ଶୁଣାଇଚାଲିଛି, ଜାଣନ୍ତି କି ସେ ପୁଞ୍ଜିର ପାହାଡ ତଳେ ଦିନେ ଆମର ଉତ୍ତରଦାୟାଦ ଚାପିହୋଇ ଆର୍ତ୍ତନାଦ କରିବାକୁ ବାଧ୍ୟ ହେବେ ? ପ୍ରଚୁର ପୁଞ୍ଜି ତଳେ ପୁଞ୍ଜି ହୋଇରହିଚି ସଇତାନର କ୍ଷୁଧା । ସେ କ୍ଷୁଧାର ଅଜଗର ଦିନେ ବନ୍ଦୀ କରିନେବ ଆମର ବିବେକ, ବିଶ୍ୱାସ, ବିଚାର ଓ ବିଧାନ – ସବୁକିଛି । ମଣିଷର ହୃଦୟକୁ ସେ ପରିଣତ କରିଦେବ ଯନ୍ତ୍ରରେ କେବଳ । ତା’ ମନ୍ତ୍ର ମଣିଷକୁ ମଇଁଷି, ଭେଣ୍ଡାକୁ ମେଣ୍ଢା, ପୁରୁଷକୁ ପଶୁ ଏବଂ ନାରୀକୁ ନାରକୀୟ ମୋଲାୟମ୍ କରିବାର ମାରାତ୍ମକ ମୋଲାୟମ୍ ମନ୍ତ୍ର । ମୁହଁରେ ହସ ସିନା, ଭିତରେ ଭୟଙ୍କର ବିଷର ଭଉଁରି । ହୁସିଆର ! ଏ ପୁଞ୍ଜିବାଦ ଆସୁଚି ପରିବର୍ତ୍ତିତ ପର୍ଯ୍ୟାୟରେ ଆତଙ୍କବାଦୀ ଆକ୍ରମଣକାରୀର ଅତୃପ୍ତି ନେଇ । ଏହା ସହିତ ସଂଗ୍ରାମ ତେଣୁ ସୁରୁହେବ ସ୍ୱତନ୍ତ୍ର ଶୈଳୀର ରଣନୀତିରେ ।
ସବୁ ଏକ ହେବ ଆସନ୍ନ ମୁକାବିଲାର ମଇଦାନରେ । ଆମର ପହିଲା ନମ୍ବର ଦୂଷ୍ମନ୍ ଏଇ ସ୍ଫୀତିକୃତ ପୁଞ୍ଜିବାଦ ସହିତ ଲଢିବା ପୂର୍ବରୁ ଆମକୁ ପ୍ରଥମେ କିନ୍ତୁ ଲଢିବାକୁ ପଡିବ ଆମ ନିଜ ଭିତରର ଦ୍ୱନ୍ଦ, ଦ୍ୱିଧା ଓ ଦ୍ୱିଖଣ୍ଡିତ ଦର୍ଶନ ସହିତ । କାରଣ ଭବିଷ୍ୟତର ମହାସଂଗ୍ରାମ ପୂର୍ବରୁ ଆମର ପୂର୍ବପ୍ରସ୍ତୁତି ଆରମ୍ଭ ହେବ ଆମ ନିଜର ଅଟଳ ନିଷ୍ଠା ଓ ଅସଲ ଅଙ୍ଗୀକାରକୁ ସମ୍ବଳ କରି । ଆମକୁ ସଂକଳ୍ପ ନେବାକୁ ପଡିବ ନିଜ ରକ୍ତାକ୍ଷରରେ ।
ଆମ ଭିତରର ଭୟକୁ ଜୟ କଲେ ହିଁ ବିଜୟ ଆମର ହାତପାଆନ୍ତରେ । ଜାତି-ଧର୍ମ- ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ଆମେ ସମସ୍ତେ ହେବା କାୟୋମନୋବାକ୍ୟରେ କ୍ରାନ୍ତିକାମୀ- ଅଗ୍ରଗାମୀ । ଆମ ଅଗ୍ରଗତିର ପଥ ଯେତେ ଦୁର୍ଗମ ହେଉପଛେ, ସେ ପଥ ହେଉ ବଜ୍ରଶପଥର ବନପଥ । ଆମ ମହାସଂଗ୍ରାମର ପାନିପଥ । ଆନ୍ଦୋଳନର ଆବର୍ତ୍ତ ପରେ ଆମେ ବିପ୍ଲବର ବିଜୟ ପତାକା ଉଡାଇବା ଦଳିତ-ଶୋଷିତ-ନିଷ୍ପସିତର ନବନିର୍ମିତ ରାଜଧାନୀରେ । ଏଇଥିପାଇଁ ଆଜି ପ୍ରୟୋଜନ ସେଇ ପ୍ରଲୋଭନମୁକ୍ତ ଲୌହକଠିନ ଚରିତ୍ରବତ୍ତା – ଅଙ୍ଗୀକାରବଦ୍ଧ ଆଗ୍ନେୟ ଆଦର୍ଶ ଏବଂ ନିଷ୍ଠାପର ନେତୃତ୍ୱର ଉଦାତ୍ତ ଆହ୍ୱାନ । ଏକ ଆଦର୍ଶ ଚରିତ୍ରସଂପନ୍ନ ଅଗ୍ନିଗର୍ଭ ନେତୃତ୍ୱରେ ଡାକରାରେ ହିଁ ସଂଗଠନ ଡାକିଆଣିବ ସଂକଳ୍ପର ସଂସ୍କୃତି – ସଂଗ୍ରାମର ମଇଦାନ୍ରେ । ଆମେ ମୁକ୍ତ କରିପାରିବା ବନ୍ଦୀ ବିଶ୍ୱ – ପୁଞ୍ଜିବାଦର ମାଲିକାନା ସ୍ୱତ୍ତ୍ୱ କବଳରୁ । ଆଜିର ଏ ଜୋକ-ଜରଦ୍ଗବ ଗଣତନ୍ତ୍ର ଜନତାକୁ ଜୋକର ବନାଇ କ୍ଷମତାର ସୁନାସୁଡଙ୍ଗରେ ଧନତନ୍ତ୍ରର ଗୋଲାମ ସାଜିଛି । ନିଜକୁ ନିଲାମ କରି ଶସ୍ତାରେ ବିକିଦେବାକୁ ବସିଛି – ବିଚରା ମଜଦୂରର ମାଟି, ଅସହାୟ ଆଦିବାସୀର ଘାଟୀ – ଉପାସୀ ଚାଷୀର ଫୁଲଉଡା ଫସଲବାଟି । ଆମେ ସଂଗ୍ରାମୀ ! ଆମେ ଜନସମଗ୍ରର ସୀମାନ୍ତ ସିପାହୀ ! ଆମେ ବିପ୍ଲବୀ ହୋଇଛେ – ଆଗାମୀ ବିପ୍ଲବର ପାନିପଥରେ ଲାସ୍ ହବାପାଇଁ ନୁହେଁ – ଶହୀଦ୍ ହେବାପାଇଁ ! ଫୁଲଉଡା ଆସନ୍ନ ବିଦ୍ରୋହର ରକ୍ତାକ୍ତ
ରାଜପଥରେ ପ୍ରତିମୂର୍ତ୍ତି ହେବାପାଇଁ ନୁହେଁ – ପ୍ରତିବାଦର ମହାନାୟକ ହେବାପାଇଁ… ଆମେ ବିପ୍ଲବୀ ହୋଇଚେ – ଜୁଲମ ମୁହଁରେ ଜବାବ ଦେବାପାଇଁ – କରପ୍ସନ୍ର କଙ୍କାଳକୁ ପଦାଘାତ କରିବାପାଇଁ । ଜମି ଜଳ ଜଙ୍ଗଲ – ଖଣିଖାଦାନ ବାଗାନ୍ – ରୁଟି- କପଡା ଆଉ ମକାନ୍ ପାଇଁ ରାତିଦିନ ଜାଗତିଆର ରହିବାପାଇଁ । ଆଜି ସମୟର ଆହ୍ୱାନ – ଆମେ ମଣିଷ ମାନବସମାଜର ମୁକ୍ତି ପାଇଁ ଏକ ନବମାନବ ସମାଜର ସମ୍ବିଧାନ ଘୋଷଣା ଜରିଆରେ ଶାନ୍ତି, ମୈତ୍ରୀ, ସାମ୍ୟ ପ୍ରତିଷ୍ଠା ଆମର ଲକ୍ଷ୍ୟ । ସମଗ୍ର ବିଶ୍ୱରେ ପେଟକୁ ଦାନା, ଦେହକୁ କନା, ମୁଣ୍ଡ ଗୁଞ୍ଜିବାକୁ
ଅନ୍ତତଃ ବଖୁରିଏ ବସାଘର ପାଇବା – ଏ ମଣିଷଜାତିର ଜନ୍ମଗତ ଅଧିକାର । ଏ ବିଶ୍ୱ ଉପରେ ସମସ୍ତଙ୍କର ଅଧିକାର । ଆକାଶ, ପାତାଳ, ମର୍ତ୍ତ୍ୟ, ଜଳ, ଜଙ୍ଗଲ, ମାଟି, ମା ସବୁ ଆମର ।
ମଣିଷ, ଜୀବଜନ୍ତୁ, ପଶୁପକ୍ଷୀ ସମସ୍ତଙ୍କର ଏ ମହାଜଗତ୍ ଉପରେ ଅଧିକାର ଅଛି । ମାତ୍ର ଆମ ଅଧିକାର ଆମେ କ’ଣ ସାବ୍ୟସ୍ତ କରିପାରୁଛେ ? ଆଜି ଆଉ ମୁଣ୍ଡରେ ହାତଦେଇ ବସିବାର ବେଳ ନାହିଁ – ନିଜ ଅଧିକାର ନିଜେ ଛିଣ୍ଡାଇ ଆଣିବା ।
ଶତଶତାବ୍ଦୀର ଉପେକ୍ଷିତ, ଅଭୁକ୍ତ ଭାରତଭୂଇଁ ହିଁ ହେଉଛି ଆମ ସମସ୍ତଙ୍କର କର୍ମଭୂମି, ମର୍ମଭୂମି, ଯୁଦ୍ଧଭୂମି ତଥା ବିଜୟଭୂମି । ଶଠ ରାଜନେତାଙ୍କ ଦୌରାତ୍ମ୍ୟରୁ ଶୋଷକ, ଶାସକଗୋଷ୍ଠୀଙ୍କ କୂଟଚକ୍ରାନ୍ତରୁ ମୁକ୍ତ କରିବାକୁ ହେବ କୋଟିକୋଟି ଅବହେଳିତ, ଦୀନଦରିଦ୍ର ଜନଗଣଙ୍କୁ । ପ୍ରଥମେ ଗାଁର, ମା’ର ସେବା କରିବା । ଧୀରେଧୀରେ ରାଜ୍ୟ, ପ୍ରଦେଶ ଦେଶବିଦେଶକୁ ସଜାଡିବାକୁ ଯୁଦ୍ଧଯାତ୍ରା ଆରମ୍ଭ କରିବା ।
ମାତୃଭୂମିର ଶୋଷିତ, ଲାଂଛିତ, ନିର୍ଯାତିତ, ଅନାହାରକ୍ଳିଷ୍ଟ, ଉତ୍ପୀଡିତଙ୍କ ମୁହଁରେ ହସ ଫୁଟାଇବା ପାଇଁ କ୍ଷୁଧା, ଦାରିଦ୍ର୍ୟ, ବେକାରି, ଅଶିକ୍ଷା, ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର, ଶୋଷଣ, କଷଣ, ଅପସଂସ୍କୃତି, ବିକୃତ ବ୍ୟବସ୍ଥା, ସର୍ବୋପରି ମୃତ୍ୟୁଭୀରୁ ସମାଜବ୍ୟବସ୍ଥାର ମୂଳୋତ୍ପାଟନ ପାଇଁ ସଂଗ୍ରାମର ମଇଦାନ୍ରେ ନିଜକୁ ନିଃସ୍ୱାର୍ଥ ଭାବରେ ସାମିଲ କରିବାକୁ ହେବ ା ପ୍ରଥମେ ନିଜକୁ ପରିବର୍ତ୍ତନ କରିବା, ନିଜ ବିରୁଦ୍ଧରେ ଲଢିବ । ନିଜ ଭିତରେ ଥିବା ଚରମ ଶତ୍ରୁ ବ୍ୟକ୍ତିବାଦ, ଅହମିକା, ଆତ୍ମକୈନ୍ଦ୍ରିକତା, କାମନା, ବାସନା, ହିଂସା, କ୍ରୋଧ, ଲୋଭ- ପ୍ରଲୋଭନ, ମୋହ, ଅନ୍ଧବିଶ୍ୱାସ, କୁସଂସ୍କାର, ଅପସଂସ୍କୃତି, ହତାଶାକୁ ହତ୍ୟା କରିବା ପ୍ରତି ମୁହୂର୍ତ୍ତରେ- ‘ଅସମ୍ଭବ’କୁ ସମ୍ଭବ କରିବା ପାଇଁ ପଣ କରିବା । ନୂତନ ଚିନ୍ତା, ସତ୍ୟାନୁସନ୍ଧାନ, ପରୋପକାର ତଥା ଆତ୍ମବଳିଦାନର ବିରଳ ମାର୍ଗରେ ନିର୍ଭୀକ ଅଭିଯାତ୍ରୀଟିଏ ହେବା ପାଇଁ ଅଙ୍ଗୀକାରବଦ୍ଧ ହେବା । ସଂଯତ ଚାଳିଚଳନ, ବେଶପୋଷାକ, କଥାବାର୍ତ୍ତା, ଆଚାରବ୍ୟବହାର ଓ ଢଙ୍ଗଢାଙ୍ଗରେ ଜନଗଣଙ୍କର ନିକଟବର୍ତ୍ତୀ ହେବା ।
ଆଖି ଆଗରେ ଘଟିଯାଉଥିବା ଦାରୁଣ ଘଟଣା, ମାଆ ଭଉଣୀ, ଶିଶୁ ଓ ନିରୀହ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତତ୍କ୍ଷଣାତ୍ ମୁକାବିଲା ନିଶ୍ଚୟ କରିବା ା ଆମର ମିତ୍ରମାନଙ୍କୁ କଷ୍ଟ ନଦେଇ ନିଜେ ସମସ୍ତ କ୍ଳେଶ ବରଣ କରି ଦେଶ ପାଇଁ ଯାବତୀୟ ଆହ୍ୱାନର ଚାପ ସହିବାକୁ ପଶ୍ଚାତ୍ପଦ ହେବାନାହିଁ । ଘରକାମ, ନିଜ କାମ, ସର୍ବୋପରି ଦେଶକାମ ସୁଚାରୁରୂପେ ତୁଲାଇବା ସାଙ୍ଗକୁ ଆମ ବାସସ୍ଥାନରେ ଅନ୍ୟୂନ ଗୋଟିଏ ଫଳନ୍ତି ଗଛ ଲଗେଇବା । ଆମ ଭିତରେ ଥିବା ଖରାପ ଅଭ୍ୟାସ, ନିଶା ସେବନ, ମନ୍ଦ ପ୍ରକୃତି, ଆମ ପାଇଁ ଓ ଅନ୍ୟମାନଙ୍କ ପାଇଁ କ୍ଷତିକାରକ, ତାକୁ ଯଥାଶୀଘ୍ର ପରିତ୍ୟାଗ କରିବା । ସାଧାରଣ ଲୋକ ଯେ କୌଣସି ବିପଦରେ ପଡ଼ିଥିଲେ ଯଥାଶକ୍ତି ଖଟାଇ ଯଥାସମ୍ଭବ ସାହାଯ୍ୟ କରିବା ା ଜ୍ଞାନାଭ୍ୟାସ ଓ କର୍ମପ୍ରକ୍ରିୟା ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ନିମନ୍ତେ ପ୍ରତ୍ୟେକ ସଜାଗ ମୁହୂର୍ତ୍ତରେ ପ୍ରସ୍ତୁତ ରହିବା । ସକାଳ ୫ଟା ବ୍ରହ୍ମମୁହୂର୍ତ୍ତରେ ନିଦ୍ରା ତ୍ୟାଗ କରିବା । ରାତି ୧୧ଟାରେ ଶୟନ କରିବା ।
ସମକାଳୀନ ସମାଜଜୀବନରେ ପରିଲକ୍ଷିତ ଜଡତା ଓ ନିଷ୍କ୍ରିୟତାର ଦୂରୀକରଣ କରି ସାମାଜିକ ସଂସ୍କାର ଓ ସୌହାର୍ଦ୍ଦ୍ୟର ଆନ୍ତରିକ ବାତାବରଣ ସୃଷ୍ଟି କରିବା ଦିଗରେ ସବୁମନ୍ତେ ଉଦ୍ୟମ କରିବା ା ଆଦର୍ଶ ପାଠାଗାର, ଶିକ୍ଷାଶିବିର, ସାଂସ୍କୃତିକ ତଥା ନାନାବିଧ କ୍ରୀଡ଼ାକେନ୍ଦ୍ର ପ୍ରତିଷ୍ଠା କରି ସ୍ଥାନୀୟ ବାତାବରଣକୁ ପ୍ରାଣବନ୍ତ କରିବା ପାଇଁ ପ୍ରଚେଷ୍ଟା କରିବା । ରୁଗ୍ଣ ରାଜନୀତିର ମାୟାଜାଲରେ ଛନ୍ଦିହେଉଥିବା ନିଜ ଭୂମିର ମଣିଷମାନଙ୍କ ସୁଖଦୁଃଖରେ ଭାଗୀଦାର ହୋଇ ସେମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ବଜ୍ରବାହୁ ପରି କାର୍ଯ୍ୟ କରିଯିବା । ‘ମୁକୁଟ ଠାରୁ ମୁଣ୍ଡ ମୁଲ୍ୟବାନ୍’ । ପଦପଦବୀ, ମୁକୁଟ ପଛରେ ନଗୋଡାଇ ବିଶ୍ୱ ପରିବର୍ତ୍ତନ ମହାସଂଗ୍ରାମରେ ମୁଣ୍ଡ ଖଟାଇବା । ପଛରେ ଅନ୍ଧାର, ଆଗରେ ଆଲୋକ – ଆଗେଇଚାଲ ଚିର ନିର୍ଭୀକ । କଷ୍ଟ କିମ୍ବା ମୃତ୍ୟୁକୁ ଭୟ କରିବା ନାହିଁ । ଆମେ ହେବା ଜଗତ୍ଜିତା ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.