Latest Odisha News

BREAKING NEWS

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଆୟୁଷ ଡାକ୍ତର

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବକୁ ବିରୋଧ କରି ଶତାଧିକ ଆୟୁଷ (ଆୟୁର୍ବେଦ) ଡାକ୍ତରମାନେ ସୋମବାର ଭୁବନେଶ୍ୱର ଲୋୟର ପିଏମଜି ଛକରେ ଧାରଣା ଦେଇଛନ୍ତି। ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର ସଙ୍ଘ ବ୍ୟାନରରେ ଏକ ରାଲି କରିଥିଲେ।

ଶୋଭାଯାତ୍ରା କରି ଲୋୟର ପିଏମଜିରେ ପହଞ୍ଚିବା ପରେ ଆନ୍ଦୋଳନକାରୀ ଡାକ୍ତରମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।  ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ୧୨୦୦ରୁ ଅଧିକ ଆୟୁଷ ଡାକ୍ତର ଏବେ ବି ଠିକା ଭିତ୍ତିରେ ଓ ତୁଳନାତ୍ମକ ଭାବେ କମ୍ ଦରମାରେ କାମ କରୁଛନ୍ତି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

ଏମବିବିଏସ୍ ଡାକ୍ତରମାନେ ଯେଉଁ ସେବା ପ୍ରଦାନ କରୁଛନ୍ତି, ସେମାନଙ୍କ ଚାକିରୀ କୌଣସି ଦୃଷ୍ଟିରୁ ନିମ୍ନମାନର ନୁହେଁ ବୋଲି ଦର୍ଶାଇ ସେମାନେ ନିୟମିତ ଚାକିରୀ ଦାବି କରିଛନ୍ତି। ବହୁ ଆଲୋଚନା ପରେ ମଧ୍ୟ ସରକାର କୌଣସି ନିଷ୍ପତି ନେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଆଗାମୀ ଦିନରେ ଦାବି ପୂରଣ ଦିଗରେ ଦୃଷ୍ଟି ନଦେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ରାଜ୍ୟ ଆୟୁଷ ଡାକ୍ତର ସଂଘର ସାଧାରଣ ସମ୍ପାଦକ ଡାକ୍ତର ରବୀନ୍ଦ୍ର ସେଠୀ କହିଛନ୍ତି, ରାଜ୍ୟରେ ୧୨୭୨ଟି ଆର.ବି.ଏସ୍.କେ ଆୟୁଷ ଡାକ୍ତର ପଦ ମଧ୍ୟରୁ ଏବେ ୧୦୪୫ ଡାକ୍ତର କାର୍ଯ୍ୟ କରୁଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଦାନରେ ନିଯୁକ୍ତିପ୍ରାପ୍ତ ଚୁକ୍ତିଭିତ୍ତିକ ଏମ୍.ବି.ବି.ଏସ୍ ଡାକ୍ତରଙ୍କୁ ମାସିକ ୬୧,୨୬୧ ଟଙ୍କା ବେତନ ପ୍ରଦାନ କରାଯାଉଥିବା ବେଳେ ଆର.ବି.ଏସ୍.କେ ଆୟୁଷ ଡାକ୍ତରଙ୍କୁ ୨୪,୧୭୧ ଟଙ୍କା ଦିଆଯାଉଛି।

ଆନ୍ଦୋଳନରେ ବସିଥିବା ଜଣେ ଆୟୁଷ ଡାକ୍ତର କହିଛନ୍ତି, ଏକ ମହତ ବୃତ୍ତିରେ ଥାଇ ମଧ୍ୟ ଆମେ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛୁ। ତୃତୀୟ ଥର ପାଇଁ ଆମେ ବିକ୍ଷୋଭ ପ୍ରଦର୍ଶନ କରୁଛୁ। ୨୦୧୩ ମସିହା ନଭେମ୍ବର ମାସରେ ଆମର ପୋଷ୍ଟିଂ ହୋଇଥିଲା। କିନ୍ତୁ ଆମେ ଏଯାଏ ନିୟମିତ ହୋଇନାହୁଁ ବୋଲି ରାଜ୍ୟ ଆୟୁଷ ଡାକ୍ତର ସଙ୍ଘର କାର୍ଯ୍ୟକାରୀ ସଭାପତି ଡାକ୍ତର ହିମାଂଶୁ ମିଶ୍ର କହିଛନ୍ତି।

 

 

Comments are closed.