ଭୁବନେଶ୍ବର : ମେ’ ୮ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏପ୍ରିଲ ୨୦ରୁ ପରୀକ୍ଷାର୍ଥୀଙ୍କ ଲାଗି ଓଜେଇଇ ୱେବସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍ସିଏ, ଏମ୍.ଏସ୍ସି(କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି.କାର୍ଟ, ଏମ୍.ଟେକ୍, ଏମ୍.ଟେକ୍(ପାର୍ଟ-ଟାଇମ୍), ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍ ଓ ଲାଟେରାଲ୍ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୮, ୯, ୧୦, ୧୧ ଓ ୧୨ ତାରିଖରେ ପ୍ରବେଶିକା ପରୀକ୍ଷା କରାଯିବ। ମେ’ ୧୫ ତାରିଖକୁ ରିଜର୍ଭ ଡେ’ ଭାବେ ରଖାଯାଇଛି। କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ପରୀକ୍ଷା ଲାଗି ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍ www.ojee.nic.in ରେ ଫର୍ମ ପୂରଣ କରିପାରିବେ। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ।
ସେହିପରି ଏଥର ପରୀକ୍ଷାରେ ପାଖାପାଖି ୬୫ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ନେଇ ଓଜେଇଇ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଜୁଲାଇ ମାସରେ ସ୍ବତନ୍ତ୍ର ତଥା ଦ୍ବିତୀୟ ଓଜେଇଇ କରାଯିବ। ଯେଉଁଥିରେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗନେବାର ସମ୍ଭାବନା ରହିଛି। ତେଣୁ ପରୀକ୍ଷା ଲାଗି ଆଇଟି ଫାର୍ମଙ୍କଠାରୁ ଓଜେଇଇ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଆଗ୍ରହୀ ସଂସ୍ଥାମାନେ ମାର୍ଚ୍ଚ ୧୬ ସୁଦ୍ଧା ଟେଣ୍ଡର ଆବେଦନ କରିପାରିବେ। ଅନ୍ଲାଇନ୍ ଆବେଦନ କରିବା ପୂର୍ବରୁ ଛାତ୍ରଛାତ୍ରୀ ୱେବସାଇଟ୍ରେ ଥିବା ସୂଚନା ପତ୍ରିକାକୁ ଭଲ ଭାବେ ପଢ଼ିବାକୁ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ପରାମର୍ଶ ଦେଇଛନ୍ତି।
Comments are closed.