Latest Odisha News

ନାଟକ, ସମାଜର ବାସ୍ତବ ଚିତ୍ର ବହନ କରେ : ଦ୍ଵାରିକାନାଥ ନାୟକ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି, ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ ସ୍ରଷ୍ଟା ଭାବରେ ପ୍ରୟାସ ଜାରି ରଖିଛନ୍ତି ନାଟ୍ୟକାର ଦ୍ୱାରିକାନାଥ ନାୟକ । ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ଖୁବ ପରିଚିତ। ଏକାଧାରରେ ସେ ଜଣେ ନାଟ୍ୟକାର, ସଂଳାପ ଲେଖକ, ନିର୍ଦ୍ଦେଶକ ଏବଂ ଅଭିନେତା । ତାଙ୍କ ରଚିତ ନାଟକ ରାଜ୍ୟ ତଥା ଦେଶ ଏବଂ ବିଦେଶରେ ମଞ୍ଚସ୍ଥ ହୋଇ ବିପୁଳ ଭାବରେ ସାଉଁଟିଛି ଲୋକପ୍ରିୟତା । ଓଡ଼ିଆ ନାଟକର ଜଣେ ସଶ୍ରଦ୍ଧ ଅମଳିନ ପ୍ରତିଭା ଭାବରେ ଶ୍ରୀ ନାୟକ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ ।

ଓଡ଼ିଆ ସାହିତ୍ୟ ଜଗତର ବରେଣ୍ୟ ସ୍ରଷ୍ଟା ନାଟ୍ୟକାର ଦ୍ୱାରିକାନାଥ ନାୟକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

 

ଆପଣ ନାଟକ ପ୍ରତି ଆକର୍ଷିତ ହେବାର ମୁଖ୍ୟ କାରଣ କ’ଣ ଥିଲା ?

ଭବାନୀପାଟଣାର ବ୍ରଜମୋହନ ହାଇସ୍କୁଲର ଛାତ୍ର ଥିଲି। ଚଉଷଠିରୁ ଅଣସ୍ତରୀ ସାଲ ଯାଏଁ ମୋ ବାପା ସେଠାରେ ପ୍ରଧାନ ଶିକ୍ଷକ ଥିଲେ। ହାଇସ୍କୁଲ ପାଖରେ ଥିବାରୁ ବାର୍ଷିକ ନାଟକ ଉତ୍ସବମାନ ଦେଖିବାର ସୁଯୋଗ ମିଳୁଥିଲା। ସମାଧି, ଭୁଲିହୁଏନା, ପିଲିସଜ ଆଦି ନାଟକମାନ ଦେଖି କଳକାରମାନଙ୍କ ଅଭିନୟ ଦ୍ଵାରା ଅନୁପ୍ରେରିତ ହୋଇଥିଲି। ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ କାହାର ଛାର ଚାରିଛକ ଆଦି ନାଟକମାନ ମଧ୍ଯ ସିନେମା ହଲ୍ ଛକରେ ମଞ୍ଚସ୍ଥ ହେବାର ଦେଖିଲି। ଏଭଲି ପରିବେଶ ମତେ ନାଟ୍ୟକଳା ପ୍ରତି ଆକର୍ଷିତ କରିଥିଲା । କାବ୍ୟାବୃତ୍ତି , ବକ୍ତୃତା ପ୍ରତିଯୋଗୀତା ଆଦିର ଅଂଶ ଗ୍ରହଣ କରି ମହାବୀର ସାଂସ୍କୃତିକ ଅନୁଷ୍ଠାନରୁ ପୁରସ୍କୃତ ହେବା ମୋର ଉତ୍ସାହକୁ ଦ୍ଵିଗୁଣିତ କରିଥିଲା।

ସାହିତ୍ୟରେ ଅନେକ ବିଭାଗ ଥାଉ ଥାଉ ନାଟକ ଲେଖିବା ପାଇଁ ଆପଣ କାହିଁକି ଆଗ୍ରହୀ ହେଲେ ?

ନାଟକ ଏକ ପ୍ରଦର୍ଶନ ମୂଳକ କଳା ହୋଇଥିବାରୁ କବିତା ରଚନା, ଗଳ୍ପ, ଉପନ୍ୟାସ ପଠନ ଅପେକ୍ଷା ନାଟକ ଲେଖିବା, ଅଭିନୟ କରିବା ଓ ନିର୍ଦ୍ଦେଶନା ଦେବା ଭଳି କଳା ଗୁନ୍ଥି ହୋଇ ରହିଥିବାରୁ ସେଥିପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ। ଏହାଛଡ଼ା ସଙ୍ଗୀତ ପ୍ରତି ମୋର ଶୈଶବବସ୍ଥାରୁ ସ୍ଵତନ୍ତ୍ର ଆଗ୍ରହ ଥିଲା। ନାଟ୍ୟ ପ୍ରଦର୍ଶନ ସହ ସଙ୍ଗୀତ ଜଡ଼ିତ ଥିବାରୁ ନାଟକ ମୁହାଁ ହେବାକୁ ଗୋଟିଏ ପ୍ରକାର ବାଧ୍ୟ ହେଲି। କହିବାକୁ ଗଲେ ସେସମୟର ଭବାନୀପାଟଣା ପରିବେଶ ମତେ ନାଟ୍ଯ ପୃଥିବୀ ଆଡ଼କୁ ଆପେ ଆପେ ଟାଣି ନେଇଥିଲା।

ଆପଣ ଜଣେ ଅଧ୍ୟାପକ, ମଞ୍ଚଶିଳ୍ପୀ , ମଞ୍ଚ ନିର୍ଦ୍ଦେଶକ ଏବଂ ନାଟ୍ୟକାର । ତେବେ କେଉଁ ଭୂମିକାଟି ଆପଣଙ୍କର ପ୍ରିୟ ଓ କାହିଁକି ?

ମଞ୍ଚ ନିର୍ଦ୍ଦେଶକ ଭାବରେ ଅଧିକ ଆତ୍ମତୃପ୍ତି ପାଇଛି। କାରଣ ଗୋଟିଏ ନାଟକକୁ ମଞ୍ଚରେ ପରିବେଷଣ କରିବା ପାଇଁ ନିର୍ଦ୍ଦେଶକର ଯେଉଁ ସ୍ଵାଧୀନତା ଥାଏ ତାହା ନାଟକକୁ ସଫଳ କରିଥାଏ। ନାଟ୍ଯ ନିର୍ଦ୍ଦେଶନା ପାଇଁ ଅଭିନୟ, ନାଟ୍ଯ ରଚନା, ସଙ୍ଗୀତ ସଂଯୋଜନା ଆଦିର ଅନୁଭୂତି ମତେ ନିର୍ଦ୍ଦେଶନା ଦେବା ପାଇଁ ଖୁବ୍ ସହାୟକ ହୋଇଛି। ମଞ୍ଚ ନାଟକର ପ୍ରକୃତ ଲଗାମ ନିର୍ଦ୍ଦେଶକ ହାତରେ ଥାଏ। ମୋ ନାଟ୍ୟ ଜୀବନର ନିର୍ଦ୍ଦେଶନା ମୁହୂର୍ତ୍ତ ସବୁ ମୁଁ ମନଭରି ଉପଭୋଗ କରିଛି।

ଆପଣଙ୍କ ପ୍ରଥମ ନାଟକ କ’ଣ ଥିଲା ଏବଂ ଏହି ନାଟକର ରଚନାକାଳୀନ ପୃଷ୍ଠଭୂମି କ’ଣ ଥିଲା ?

ମୁଁ ଯେତେବେଳେ ସପ୍ତମ ଶ୍ରେଣୀର ଛାତ୍ର ଥିଲି ୧୯୭୫ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧକୁ ଆଧାର କରି ଏକ ଓଡ଼ିଆ ନାଟକ ରଚନା କରିଥିଲି।ଯାହା ୧୯୭୯ ରେ କେତେକ ବନ୍ଧୁମାନଙ୍କ ସହ ମିଶି ମଞ୍ଚସ୍ଥ କରିଥିଲୁ। ସେତେବେଳେ ଭବାନୀପାଟଣାରୁ ବାପାଙ୍କୁ ସମ୍ବଲପୁର-ସୁନ୍ଦରଗଡ଼ ମଣ୍ଡଳର ଶିକ୍ଷା ମଣ୍ଡଳାଧୀଶ ଭାବରେ ବଦଳି ହେଲା। ଅଫିସ ସୁନ୍ଦରଗଡ଼ରେ ଥିଲା। ବାପା ଆମକୁ ଧନୁପାଲି ଘରେ ଛାଡ଼ି ଏକୁଟିଆ ସୁନ୍ଦରଗଡ଼ ଗଲେ। ସମ୍ବଲପୁର ଜିଲ୍ଲା ସ୍କୁଲରେ ନବମ ଶ୍ରେଣୀରେ ମୁଁ ନାମ ଲେଖାଇଲି। ଜିଲ୍ଲା ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରବନ୍ଧୁମାନଙ୍କୁ ଏକଜୁଟ କରି ସେଇ ନାଟକ ମଞ୍ଚସ୍ଥ ହେଲା। ନାଟକର ନାଆଁ ଦିଆ ହୋଇ ନଥିଲା। ବନ୍ଧୁ ପ୍ରମୋଦ ତ୍ରିପାଠୀ ତାର ନାମକରଣ କଲେ ‘ବିଜୟ ଟୀକା’। ପରେ ପ୍ରମୋଦ ଓଡ଼ିଶାର ଜଣେ ପ୍ରଥିତଯଶା ନାଟ୍ଯକାର ଭାବରେ ପରିଚିତ ହେଲେ। ନାଟକର ନାୟକ ଭୂମିକାରେ ଅଭିନୟ କରିଥିବା ବନ୍ଧୁ ଯୁଗଳ କିଶୋର ମହାପାତ୍ର ପରେ ଓଡ଼ିଶାର ମୁଖ୍ୟ ସଚିବ ଭାବରେ ନିଯୁକ୍ତ ହୋଇଥିଲେ।

ନାଟକ ସାହିତ୍ୟର ଏକ ଅଂଶ ।ତେବେ ସମୟର ପରିବର୍ତ୍ତନ ସହ ସାହିତ୍ୟର ଅଂଶ ଭାବରେ ନାଟକ ଅବହେଳିତ ହୋଇ ଯାଉଛିକି ?

ନାଟକ ହିଁ ସାହିତ୍ୟର ଏମିତି ଏକ ଅଂଶ ; ଯାହା ଚଳନ୍ତି ସମାଜର ବାସ୍ତବ ଚିତ୍ର ବହନ କରେ। ସାହିତ୍ୟ ଦୃଷ୍ଟିରେ ନାଟକ ଚିରକାଳ ଅବହେଳିତ। ତେବେ ନାଟକରେ ଉପନ୍ୟାସର ବିନ୍ୟାସ କଳା ଥାଏ, କ୍ଷୁଦ୍ରଗଳ୍ପର ମାଧୁର୍ଯ୍ୟ ଥାଏ। ସେଥିପାଇଁ ତ ସାହିତ୍ୟର ଅନ୍ୟ ବିଭାଗ ମଧ୍ୟରେ ନାଟକ ସମ୍ରାଟ ଭାବରେ ପରିଚିତ ହୋଇଥାଏ ।

ଆପଣଙ୍କ ନାଟକଗୁଡିକର ଧାରା ପୂର୍ବବର୍ତ୍ତୀ ସମୟର ନାଟ୍ୟଧାରାଠାରୁ ଅଲଗା କି ? ଯଦି ଅଲଗା, ତେବେ ତାହା କେଉଁଭଳି ?

ସମୟ, ଆତତାୟୀ, ନାଟକ ହେବ, ଉଲଗୁଲାନ, ମନ ଖୋଜୁଥାଏ ଆଦି ମୋ ରଚିତ ଓଡ଼ିଆ ନାଟକ। ଏହି ନାଟକଗୁଡ଼ିକର ବିଷୟବସ୍ତୁ ସମକାଳୀନ ସମାଜର ଅବିକଳ ଚିତ୍ରାଧାରିତ । ସେହିଭଲି ସମ୍ବଲପୁରୀ ନାଟକ ଭିତରେ ତମେ ଅଛ ବୋଲି, ସୂର୍ଯ୍ୟର ଆରପାର ନଦୀଟେ, ମନ ଜାନି ମନୁଷ୍ ନାଟକଗୁଡ଼ିକ ମଧ୍ଯ ମାନବୀୟ ସମ୍ପର୍କର, ଅନ୍ଧାର ଓ ଆଲୋକ ଦିଗର ସ୍ପଷ୍ଟ ଚିତ୍ର ବୋଲି ମୁଁ ଅନୁଭବ କରେ। ନାଟକର ବିଷୟବସ୍ତୁ ଚୟନ ବେଳେ ମୁଁ ସବୁବେଳେ ନୂତନ ସ୍ୱାଦ, ନୂତନ ଧାରା ଖୋଜେ। ତେଣୁ ସ୍ୱାଭାବିକ ଭାବରେ ସେଗୁଡ଼ିକ ପୂର୍ବ ଧାରାଠାରୁ ଭିନ୍ନ।

 ଉତ୍ତର ଅଶୀ ନାଟ୍ୟ ସାହିତ୍ୟକୁ ଆପଣଙ୍କ ଅବଦାନ କ’ଣ ?

ଉତ୍ତର ଅଶୀ ନାଟ୍ଯ ସାହିତ୍ୟକୁ ମୋର ଅବଦାନ ମୋର ପାଠକ ହିଁ କହିବେ। ତେବେ ମୁଁ ନାଟକ ରଚନା ମାଧ୍ୟମରେ ପାରିବାରିକ ଶୃଙ୍ଖଳା ସହ ଔଚିତ୍ୟ ବାବଦରେ ବାସ୍ତବ ଚିତ୍ର ପ୍ରଦାନ କରିବାକୁ ଚେଷ୍ଟା କରିଥିଲି। ତେବେ ମୋ ମତରେ ସମ୍ବଲପୁରୀ ନାଟକର ପ୍ରବାହ ହିଁ ମୋ ଦ୍ୱାରା ମୋ ଅଞ୍ଚଳର ନାଟ୍ୟ ପରମ୍ପରା ମାଧ୍ୟମରେ ଓଡ଼ିଶାକୁ ଶ୍ରେଷ୍ଠ ଅବଦାନ।

ମଞ୍ଚ ନାଟକ ପ୍ରତି ଲୋକଙ୍କର ଆଉ ବିଶେଷ ଆଗ୍ରହ ଦେଖାଯାଉ ନାହିଁ। ଆପଣ ଏକମତ କି ?

ମଞ୍ଚ ନାଟକ ପ୍ରତି ଲୋକଙ୍କର ବିଶେଷ ଆଗ୍ରହ ଥିଲା। ଆଜି ବି ଅଛି ଆଉ ଭବିଷ୍ୟତରେ ମଧ୍ଯ ରହିବ। ଅଶୀ ପରବର୍ତ୍ତୀ କାଳରେ ନାଟକ ପ୍ରତି ଦର୍ଶକଙ୍କ ଆଭିମୁଖ୍ୟ ବଦଳିଛି। ଅଧିକ ଆକର୍ଷଣୀୟ ହୋଇଛି।

ନାଟକ ଏକ ବିଶେଷ କଳା । ଆମ ରାଜ୍ୟରେ ଅନ୍ୟ କଳା ଅପେକ୍ଷା ନାଟ୍ୟକଳା ଅବହେଳିତ ହୋଇଯାଉଛି କି ?

ନାଟକ ମଞ୍ଚାୟନ ପାଇଁ ପ୍ରତ୍ୟେକ ଜିଲ୍ଲା ତଥା ସଦର ମହକୁମାରେ ସ୍ଵତନ୍ତ୍ର ପ୍ରେକ୍ଷ୍ୟାଳୟ ନିର୍ମାଣ କରାଯିବା ଆବଶ୍ୟକ। ଭୁବନେଶ୍ବର, ରାଉରକେଲା ଭଳି କେତେକ ସ୍ଥାନ ବ୍ୟତୀତ ଓଡ଼ିଶାର ଅନ୍ୟ କେଉଁଠି ନାଟକ ପାଇଁ ଉପଯୁକ୍ତ ପ୍ରେକ୍ଷାଳୟ ନାହିଁ। ଏଇଥିପାଇଁ ହିଁ ନାଟ୍ଯକଳା ଅବହେଳିତ ହେଉଛି। ତଥାପି ନାଟ୍ୟଶିଳ୍ପୀମାନେ ନାଟକର ବିକାଶ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଅଧୁନା ଗ୍ରାମାଞ୍ଚଳରେ ମଧ୍ଯ ପ୍ରୋସେନିୟମ ନାଟକର ଚାହିଦା ବଢୁଛି।

ଯଦିଓ ନାଟକ ସାହିତ୍ୟର ଏକ ବଡ଼ ଅଂଶ ଏବେ ଯୁବପୀଢ଼ି ନାଟକ ଲେଖିବା ପାଇଁ ଆଗ୍ରହୀ ହେଉ ନାହାଁନ୍ତି। ସେ ବିଷୟରେ କ’ଣ କହିବେ ?

କବିତା, ଗଳ୍ପ ଅବା ଉପନ୍ୟାସ ରଚନା ଅପେକ୍ଷା ନାଟକ ରଚନା କରିବା ଟିକିଏ କଷ୍ଟକର ବ୍ୟାପାର। କାରଣ ନାଟକ ଏକ ଯୌଥ କଳା। ମଞ୍ଚରେ ମଞ୍ଚାୟନ ହେଲା ପରେ ଯାଇ ନାଟକ ପୂର୍ଣ୍ଣତା ପାଇଥାଏ। ଅଭିନୟ ତଥା ପ୍ରଦର୍ଶନ କଳା ପ୍ରତି ଆକୃଷ୍ଟ ଲେଖକ ହିଁ ନାଟକ ରଚନା ପାଇଁ ଆଗ୍ରହୀ ହୁଅନ୍ତି। ଜଣେ ନାଟ୍ୟାଭିନେତା ଭାବରେ ନିର୍ଦ୍ଦେଶକଙ୍କ ପାଖରୁ ନିଜ ଚାହିଦା ମୁତାବକ ନାଟକ ପାଉନଥିବାରୁ , ନିଜେ ନାଟକ ରଚନା କରିବାର ଦୃଷ୍ଟାନ୍ତ ଅନେକ ସମୟରେ ଦେଖିବାକୁ ମିଳେ। ମୁଁ କହିବି ପୂର୍ବାପେକ୍ଷା ନାଟ୍ଯକାରମାନଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ନାଟ୍ୟକଳା ପାଇଁ ଏହା ଏକ ଶୁଭ ସୂଚନା।

ଜଣେ ନାଟ୍ୟକାରର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଆବଶ୍ୟକ କି ?

ସାମାଜ ପ୍ରତି କେବଳ ଅଙ୍ଗୀକାରବଦ୍ଧତା ରହିଲେ ନାଟକର ଗୋଟିଏ ଲକ୍ଷ୍ୟ ହାସଲ ହୋଇ ପାରିବ ଏବଂ ନିର୍ଦ୍ଦିଷ୍ଟ ସମୟ ଭିତରେ ବନ୍ଧା ପଡ଼ିଯିବାର ସମ୍ଭାବନା ଥାଏ। ତେଣୁ ସବୁ ଗୋଷ୍ଠୀର ଦର୍ଶକମାନଙ୍କ ପାଇଁ ନାଟକର ମୂଳଲକ୍ଷ୍ୟ ମନୋରଞ୍ଜନ ଓ ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ପୂରଣ ହେବ। ସାମାଜ ପାଇଁ ନାଟକ ସତର୍କ ଘଣ୍ଟି ସଦୃଶ। ଅବାଟରେ ଯାଉଥିବା ସମାଜକୁ ସଠିକ୍ ମାର୍ଗ ଦର୍ଶନ କରିବାରେ ନାଟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

 ଆମ ରାଜ୍ୟରେ ନାଟକ, ନାଟ୍ୟକାର, ମଞ୍ଚ ଅଭିନେତା ଯେତିକି ସମ୍ମାନ ଓ ସ୍ଵୀକୃତି ପାଇବା କଥା ପାଉନାହାନ୍ତି। ଆପଣ ଏକମତ କି?

ହଁ, ଯେତିକି ସମ୍ମାନ ମିଳିବା କଥା ସେତିକି ମିଳୁନାହିଁ। ତେବେ ସମ୍ମାନ ଓ ସ୍ୱୀକୃତି ପଛରେ ନ ଧାଇଁ ସମୟପୋଯୋଗୀ ନାଟକ କରିଚାଲିବା କଥା। ଭଲ ନାଟକ ପ୍ରଦର୍ଶିତ ହେଲେ ସମ୍ମାନ ଆପେ ଆପେ ଆସିବ। ସରକାରୀ ଓ ବେସରକାରୀ ସ୍ତରରେ ନାଟ୍ୟକାର, ନାଟ୍ଯ ନିର୍ଦ୍ଦେଶକ ତଥା ନାଟ୍ଯ ଅଭିନେତାମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିବା କଥା। ଏପରି ଦେଲେ ନାଟକର ସ୍ଵର, ସମାଜ ତଥା ସଭ୍ୟତାର ସ୍ଵରରେ ରୂପାୟିତ ହୋଇଯିବ।

Comments are closed.