Latest Odisha News

BREAKING NEWS

ଉଠ ମା’… ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..

ମା’ ଉଠିଯା..ଏମିତି ରାସ୍ତା ଉପରେ କାହିିଁକି ଶୋଇଛୁ ? ଆଉ କେତେ ସମୟ ଶୋଇବୁ ମା’ ? ଉଠ ମା’… ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..ବୁଝି ନ ହେଲେ ବି ତାର ଭାବଭଙ୍ଗୀ ଠିକ ଏହା ହିଁ କହୁଥିଲା ଅନେକ ଲୋକ ତା ପାଖରେ ଛିଡା ହୋଇ ଦେଖୁଥିଲେ । ସମସ୍ତଙ୍କ ଆଖି ଓଦା ହୋଇ ଯାଉଥିଲା । ହେଲେ ଏ ୨ ମାସର ଏ ନୀରିହ ଶିଶୁକୁ କ’ଣ କହି ବା ପ୍ରବୋଧନ ଦେବେ ? ଏଥିପାଇଁ ଭାଷା କାହିଁ ?

ସୋସିଆଲ ମିଡିଆରେ ଏମିତି ଏକ ଭାଇରାଲ ଭିଡିଓ ସମସ୍ତଙ୍କ ମନକୁ ଭିଜେଇ ଦେଇଥିଲା । କୁହାଯାଉଛି ଭିଡିଓଟି ଆସାମର । ଭିିଡିଓରେ ଦୁଇ ମାସର ସୁନହର ମାଙ୍କଡ ଛୁଆଟିଏ ମା’ ପାଖରେ ବସିଛି । ମା’ଟି ଶୋଇପଡିଛି ରାସ୍ତା ଉପରେ । ଛୋଟ ଛୁଆଟି ମା’କୁ ତାର ଉଠାଇବାକୁ ଚେଷ୍ଟା କରୁଛି । ହେଲେ ସେ ଜାଣିନି ତା ମା’ ଆଉ କେବେ ଉଠିବନି ବୋଲି । ତା ଚାରିପାଖରେ ଲୋକ ରୁଣ୍ଡ ହୋଇଗଲେଣି । ହେଲେ ତାର ସେଥିକି ଖାତିର ନାହିଁ । କାରଣ ସେ ବୋଧହୁଏ ଭାବି ନେଇଛି,  ତା ପାଖେ ତ ମା’ ତାର ଶୋଇଛି । ଏମାନେ ମୋର କ’ଣ କରିବେ ? ଲୋକଙ୍କ ମୁହଁକୁ ଚାହିଁ ଦେଇ କୁନି ମାଙ୍କଡଟି ଟିକିଏ ଦାନ୍ତ ଦେଖାଇ ଦେଉଛି । ପୁଣି ମା’ କୋଳରେ ନିଜ ମୁହଁ ଲୁଚାଇ ଦେଉଛି । ବିକଳ ଭାଷାରେ ମା’କୁ ତାର କିଛି କହୁଛି ।

ମା’ ମାଙ୍କଡଟି ଏକ ଗାଡି ଧକ୍କାରେ ରାସ୍ତା ଉପରେ ପଡି ଯାଇଛି । ସେ ସବୁଦିନ ପାଇଁ ସେଠାରେ ଶୋଇ ଯାଇଛି । ହେଲେ କୁନି ଛୁଆଟି ସେକଥା ଜାଣେନି ।  ମା’-ଛୁଆର ସମ୍ପର୍କ ସବୁବେଳେ ଏମିତି । ସେ ମଣିଷ ହେଉ ବା ହେଉ ପଶୁ । ମା’ ଛୁଆ ପାଇଁ ଗୋଟେ ବଳ, ଗୋଟେ ଆଶ୍‌:ାସନା । ମା’ ନ ଥିବା କଥା କେବେ ଭାବି ହୁଏନି । କୁନି ମାଙ୍କଡ ଛୁଆଟି ବି ଠିକ ସେମିତି ଭାବୁଛି । ମୃତ ମା’କୁ ସେ ଛାଡିବାକୁ ନାରାଜ । ମା’ ତାର ମରିଯାଇଛି ବୋଲି ଗ୍ରହଣ କରିବାକୁ ବି ସେ ଅମଙ୍ଗ ।  ସେ କାନ୍ଦୁଛି..ଆଉ ମା’କୁ ତାର ଉଠାଇବାକୁ ଚେଷ୍ଟା କରୁଛି ।

ଏଇ ସୁନହର ପ୍ରଜାତି ମାଙ୍କଡ ଏବେ ଲୁପ୍ତପ୍ରାୟ । ପଶ୍ଚିମ ଆସାମର ଏକ ଛୋଟ କ୍ଷେତ ଏବଂ ପଡୋଶୀ ଭୁଟାନର ସୀମାନ୍ତରେ ଏହି ମାଙ୍କଡଙ୍କୁ ଦେଖିବାକୁ ମିଳିଥାନ୍ତି । ଏଦୁଇ ମାଙ୍କଡ ଶୁକ୍ରବାର ଖାଦ୍ୟ ସନ୍ଧାନରେ ଗଛରୁ ଓହ୍ଲାଇ ଆସୁଥିଲେ । ସେତିକିବେଳେ ଦ୍ରୁତ ଗତରେ ଆସୁଥିବା ଏକ ଗାଡି ମା’ ମାଙ୍କଡକୁ ଧକ୍କା ଦେଇ ପଳାଇ ଯାଇଥିଲା । ରାସ୍ତା ଉପରେ ପ୍ରାୟ ଏକ ଘଣ୍ଟା ଧରି ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ସେଠାରୁ ହଟାଇ ଦେଇଥିଲେ ।

Leave A Reply

Your email address will not be published.