Latest Odisha News

BREAKING NEWS

ଏଠି ଯୌତୁକ ଦିଆଯାଏ ଲକ୍ଷ ଲକ୍ଷ ଟଙ୍କା; ହେଲେ ପୁଅ ଘର ଦିଅନ୍ତି ଝିଅ ଘରକୁ

ବେଜିଂ: ଝିଅଟିଏ ହେଲେ ପରିବାରରେ ଚିନ୍ତା ପଡିଯାଏ । ବାହାଘର ପାଇଁ କେତେ ଯୌତୁକ ରଖିବେ ଏବଂ କେମିତି ରଖିବେ ସେ ଚିନ୍ତା ଝିଅଟିର ଜନ୍ମ ବେଳରୁ ହିଁ ବାପା-ମା’ କରିଥାନ୍ତି ।  କାରଣ ଯୌତୁକ ଆମ ସମାଜର ଏକ ପ୍ରଥା ଯାହା ସମୟକ୍ରମେ କଳଙ୍କରେ ପରିଣତ ହୋଇଯାଇଛି । ଖାଲି  ଭାରତରେ ନୁହେଁ, ଅନେକ ଦେଶରେ ଏହି  ଯୌତୁକ ଅଛି । କିନ୍ତୁ ଶୈଳୀ ଭିନ୍ନ । ଏମିତି ଏକ ଦେଶ କଥା ଆମେ ଆପଣଙ୍କୁ କହିବୁ ଯେଉଁଠି  ଯୌତୁକ ଝିଅ ଘର ନୁହେଁ ପୁଅ ଘର ଦେବେ । ଏଠି ଯୌତୁକର ନିଲାମ ଡକା ହୁଏ । କିଏ କେତେ ଅଧିକ ଦେଇ ପାରିବ ।  ଏ ପରମ୍ପରା  ପଡୋଶୀ ଚୀନର  ।

ଏ ଦେଶରେ ବରପକ୍ଷର ଲୋକଙ୍କୁ ବଧୂମୂଲ୍ୟ ଦେବାକୁ ପଡିଥାଏ । ଅତୀତରେ ଏ ପରମ୍ପରା ଏକ ସୁସ୍ଥ ପରମ୍ପରା ଥିଲା । ହେଲେ ଏହା ଏବେ ଏତେ ବଦଳି ଯାଇଛି ଯେ,କନ୍ୟାପକ୍ଷ ଏକ ପ୍ରକାର ଶୋଷଣ କରିବା ଆରମ୍ଭ କରି ଦେଇଛନ୍ତି । ଫଳରେ ପୁଅ ଘରକୁ ଆର୍ଥିକ ବୋଝ ତ ସହିବାକୁ ପଡୁଛି । ଅନେକ ପୁଅ ଯୌତୁକ ଦେଇ ନ ପାରି ଅବିବାହିତ ରହି ଯାଉଛନ୍ତି ।

ଚୀନର ଏ ପରମ୍ପରା ଆଜିର ନୁହେଁ । କାହିଁ କେଉଁ କାଳରୁ ଚଳି ଆସୁଛି । ବାହାଘର ସମୟରେ ଏଠାରେ ବରପକ୍ଷଙ୍କୁ ବ୍ରାଇଡ ପ୍ରାଇସ ବା ବଧୂମୂଲ୍ୟ ଦେବାକୁ ପଡିଥାଏ । ହେଲେ ଏହି ପରମ୍ପରା ଏବେ ଭାରତର ଯୌତୁକ ପରମ୍ପରା ପରି ବିକୃତ ହୋଇଗଲାଣି । ଏଠି ଝିଅ ଘର ପକ୍ଷ ବାହାଘର ପାଇଁ ମୋଟା ଅଙ୍କ ଦାବି କରୁଛନ୍ତି । ଆଜିକାଲି ଏହା ବୃଦ୍ଧି ପାଇଁ ଲକ୍ଷ-କୋଟିରେ ପହଞ୍ଚିଲାଣି । ପରିସ୍ଥିତି ଏତେ ଖରାପ ହେଲାଣି ଯେ ସରକାର ଏ ନେଇ ଆଇନ ଆଣିବାକୁ ଚିନ୍ତା କଲେଣି ।

ଚୀନରେ ବାହାଘର ପାଇଁ ପୁଅ ଘର ଝିଅର ଅଭିଭାବକ ପାଖକୁ ଯିବେ ଏବଂ ବିବାହ ପୂର୍ବରୁ ବଧୂମୂଲ୍ୟ ଧାର୍ଯ୍ୟ କରିବେ । ଦିନେ ଏହାକୁ ଚୀନରେ ଏକ ଶୁଭ ଉପହାର ଏବଂ ଭଲ ଚିନ୍ତାଧାରା ବୋଲି ବିଚାର କରାଯାଉଥିଲା । ହେଲେ ଏବେ ଏହା ଏବେ ବୋଝ ତ ହୋଇଗଲାଣି । ସବୁଠାରୁୁ ପରିତାପର କଥା ହେଉଛି ବିବାହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଥା ଏହା ହୋଇଗଲାଣି ।

ଭାରତରେ ଯେମିତି ପୁଅଟିଏ ଭଲ ରୋଜଗାର କରୁଥିଲେ,ଭଲ ଚାକିରି କରୁଥିଲେ ଯୌତୁକ ଅଧିକ ଦାବି କରୁଛନ୍ତି ଚୀନରେ ମଧ୍ୟ ଠିକ ସେମିତି ଅବସ୍ଥା । ତେବେ ଏପରି ପ୍ରଥାକୁ ନେଇ ଚୀନରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଗତବର୍ଷ ଚୀନ ସରକାର ଅଧିକ ବଧୂମୂଲ୍ୟକୁ ନେଇ ପଦକ୍ଷେପ ନେଇଥିଲେ । ସରକାରୀ ସ୍ତରରେ ଏବେ ଏହାର ମୂଲ୍ୟ ସ୍ଥିର କରାଯାଇଛି । ଏହାଦ୍ୱାରା ବଧୂମୂଲ୍ୟ ହଟି ନ ପାରେ ସତ କିନ୍ତୁ ଏହାର ମୂଲ୍ୟ ବୃଦ୍ଧି ହେବ ନାହିଁ ।

ଚୀନରେ ଆଞ୍ଚଳିକ ପ୍ରଶାସନ ବିନା ବଧୂମୂଲ୍ୟରେ ବିବାହମାନ ଆୟୋଜନ କରୁଛନ୍ତି । ତେବେ ସହରାଞ୍ଚଳରେ ଏହା ବହୁତ ବେଶି ଚାଲିଛି । ସହରାଞ୍ଚଳରେ ବଧୂମୂଲ୍ୟ ପାଖାପାଖି  ୧୨ ଲକ୍ଷ ଟଙ୍କାରୁ  ୧୮ ଲକ୍ଷ ଟଙ୍କା ରହିଛି । କେତେକ ସ୍ଥାନରେ ଏହା ବହୁତ ଅଧିକ । ବିଶେଷକରି ଚୀନର ଆର୍ଥିକ ଦୃଷ୍ଟିରୁ କମ ବିକଶିତ ଅଞ୍ଚଳରେ ଏହାର ମୂଲ ୨୧.୫ ଲକ୍ଷରୁ ୩୬ଲକ୍ଷ ମଧ୍ୟରେ ରହିଛି ।

ଯାହା ବି ହେଉ, ଏପରି ଏକ ବ୍ୟବସ୍ଥା ସମାଜରେ ରୋଗ ପରି ବ୍ୟାପି ଚାଲିଛି । ଏହାଦ୍ୱାରା ପୁରୁଷ-ସ୍ତ୍ରୀ ଅନୁପାତରେ ମଧ୍ୟ ଅସନ୍ତୁଳନ ରହୁଛି ।

Leave A Reply

Your email address will not be published.