କଟକ: ନକଲି ଝାଡା ଔଷଧ (ଓ-୨) ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍ ଗଲେ ବ୍ୟବସାୟୀ ବିଜୟ ଅଗ୍ରଓ୍ୱାଲ। କଟକ ଚାଉଳିଆଗଞ୍ଜରେ ଓ-୨ ଔଷଧର ଡିଷ୍ଟ୍ରିବ୍ୟୁଟର ରହିଛନ୍ତି। କିନ୍ତୁ ଅଧିକ ଲାଭ ଆଶାରେ ସେ ରାଜ୍ୟ ବାହାରୁ ଯେମିତିକି ମଧ୍ୟପ୍ରଦେଶର ଭୋପାଳ, ଉତ୍ତର ପ୍ରଦେଶର ମିରଟ ଓ ଦିଲ୍ଲୀର ଏସବୁ ଔଷଧ ଆଣୁଥିଲେ ବୋଲି କହିଛନ୍ତି।
ଗତକାଲି ପୋଲିସ ଶ୍ରୀ ଡିଷ୍ଟ୍ରିବ୍ୟୁଟର ସଂସ୍ଥାର ମାଲିକ ବିଜୟ ଅଗ୍ରଓ୍ୱାଲଙ୍କୁ ଥାନାରେ ଅଟକ ରଖିବାପରେ ଗିରଫ କରିଥିଲା। ଏହାପରେ ପୋଲିସକୁ ଜେରା ବେଳେ ଏପରି ତଥ୍ୟ ପ୍ରଦାନ କରିଛନ୍ତି ସଂପୃକ୍ତ ବ୍ୟବସାୟୀ। ତଦନ୍ତ ବେଳେ ଜଣାପଡ଼ିଛି ଯେ ଗତବର୍ଷ ଜୁଲାଇରେ ପ୍ରାୟ ୫ ହଜାର ଫତା ନକଲି ଓ-୨ ଔଷଧ ସେ ଆଣିଥିଲେ। ଦିଲ୍ଲୀସ୍ଥିତ ସଂସ୍ଥାରୁ ୩ ହଜାର ଫତା ଓ ମିରଟରୁ ୨ ହଜାର ଫତା ଆଣିଥିଲେ। ପରେ ସେଗୁଡିକୁ କଟକ ଭୁବନେଶ୍ୱର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଔଷଧ ଦୋକାନକୁ ବିକ୍ରି କରିଥିଲେ।
ହେଲେ ଗତମାସ ସେପ୍ଟେମ୍ବରରେ ନକଲି ଔଷଧକୁ ନେଇ ଯେତେବେଳେ ଧରପଗଡ ହୋଇଥିଲା ସେତେବେଳେ ବିଜୟ ଅଗ୍ରଓ୍ୱାଲ ଭୟଭୀତ ହୋଇ କମ୍ ଲାଭରେ ଔଷଧ ଗୁଡିକୁ ବଜାରକୁ ବିକ୍ରି କରୁଥିଲେ। ହେଲେ ଏହାପରେ ୧୨ ଶହ ଫତା ଓ-୨ ଔଷଧ ବଜାରରୁ ଫେରାଇ ଆଣିଥିଲେ। କିନ୍ତୁ ବାକି ୩ ହଜରା ୮ ଶହ ଫତା ଔଷଧ ବଜାରରେ ରହିଥିଲା।
ତେବେ ଏହି ଔଷଧ ମଧ୍ୟରୁ କେତେ ବିକ୍ରି ରହିଛି କିଏ ନେଇଛି ତାର ହିସାବ ନଥିବା ଜଣାପଡ଼ିଛି। ଯାହାକି ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଅଡୁଆରେ ପକାଇଛି।
ପୂର୍ବରୁ ଉଚ୍ଚରକ୍ତ ଚାପର ନକଲି ଔଷଧ ବିକ୍ରି ହେଉଥିବା ବେଳେ ଏବେ ନକଲି ଝାଡା ଔଷଧ (ଓ-୨) ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ମେଡଲେ ହେଉଛି ଏହି ଔଷଧର ମୂଳ ନିର୍ମାତା। ଏହି ବିଷୟ ଜଣାପଡ଼ିବା ପରେ ଔଷଧ ନିୟନ୍ତ୍ରକଙ୍କ ପକ୍ଷରୁ କଟକ ଏସଡିଜିଏମ କୋର୍ଟରେ ଉକ୍ତ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପୁରୀଘାଟ ଥାନାରେ ମଧ୍ୟ ଏତଲା ହୋଇଛି।
ଶ୍ରୀ ଡିଷ୍ଟ୍ରିବ୍ୟୁଟର ସଂସ୍ଥାରୁ ଜବତ ହୋଇଥିଲା ଝାଡା ନିୟନ୍ତ୍ରକ ଔଷଧ ଓ-ଟୁ। ରାଜ୍ଯ ପରୀକ୍ଷାଗାର ଏବଂ ମେଡଲେ ଔଷଧ କମ୍ପାନୀକୁ ଜବତ ଓ-୨ ଔଷଧ ନକଲି ଔଷଧ ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ଉଭୟ ରିପୋର୍ଟ ନକଲି ବୋଲି ଜଣାପଡ଼ିଛି।
Comments are closed.