ଢେଙ୍କାନାଳ: ମୁହାଁମୁହିଁ ହୋଇଥିଲେ ଯନ୍ତ୍ରୀ-ମନ୍ତ୍ରୀ । ଯନ୍ତ୍ରୀଙ୍କ କାମରେ ଅବହେଳା ଓ ଅସହଯୋଗ ନେଇ ବର୍ଷିଥିଲେ ମନ୍ତ୍ରୀ । ଯନ୍ତ୍ରୀ କର୍ମକ୍ଷେତ୍ରରେ ରହୁ ନ ଥିବା ନେଇ କଡା ତାଗିଦ କରିଥିଲେ ଜିଲ୍ଲାପାଳ । ଏମିତି ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡାମାଳି ସ୍ଥିତ ରେଙ୍ଗାଳୀ ବାମ ବନ୍ଧ କେନାଲ କାର୍ଯ୍ୟାଳୟ ସାମ୍ନାରେ ।
କଙ୍କଡାହାଡ଼ ବ୍ଲକ ବିରାଶାଳଠାରେ ହେବାକୁ ଯାଇଛି ଏକ ପାଇଲଟ ଟ୍ରେନିଂ । ଭବିଷ୍ୟତରେ ଏଠାକୁ ଭୁବନେଶ୍ୱରରୁ ସିଧାସଳଖ ବିମାନ ଚଳାଚଳ କରିବାର ଯୋଜନା ରହିଛି । ଏଥିପାଇଁ ୨୭୦ କୋଟି ଟଙ୍କା ବ୍ୟୟ ଅଟକଳା କରାଯାଇଏୟାରଷ୍ଟ୍ରିପ୍ସ ନିର୍ମାଣ କାମ ଆରମ୍ଭ ହୋଇଛି । ହେଲେ ଏହି କାମ ମନ୍ଥର ଗତିରେ ଚାଲିଛି । ରେଙ୍ଗାଳୀ ବାମ ବନ୍ଧ କେନାଲର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ପଟ୍ଟନାୟକ ଏଠାରେ ନିୟମିତ ରହୁ ନ ଥିବାରୁ କାମ ଆଗେଇ ପାରୁ ନ ଥିବା ଅଭିଯୋଗ ହୋଇଛି । ଏ ନେଇ ଯନ୍ତ୍ରୀଙ୍କୁ ତାଗିଦ କରିଥିଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । କାମରେ ଅବହେଳା ସହିତ ସରକାରୀ କାର୍ଯ୍ୟରେ କୌଣସି ସହଯୋଗ ନକରିବା ଆଦିକୁ ନେଇ ଯନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ।
କାମର ଅଗ୍ରଗତି ପାଇଁ ପାଇଲଟଙ୍କ ରହିବା ଲାଗି ୪୦ଟି କ୍ୱାଟର୍ସର ଆବଶ୍ୟକତା ରହିଛି । ତେଣୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏହି କ୍ୱାଟର୍ସ ଯୋଗାଇ ଦେବାକୁ ତାଗିଦ କରିଥିଲେ ମନ୍ତ୍ରୀ । ରେଙ୍ଗାଳୀ ବାମ ବନ୍ଧ କେନାଲର କ୍ୱାଟର୍ସଗୁଡିକ ସେଥିପାଇଁ ବ୍ୟବହାର କରାଯିବାକୁ ଜିଲ୍ଲାପାଳ ଓ ମନ୍ତ୍ରୀ ବାରମ୍ବାର ଜଣାଇଥିଲେ । ମାତ୍ର କାହାରି କଥାକୁ ଖାତିର କରି ନଥିଲେ ଅଧୀକ୍ଷଣ ଯନ୍ତ୍ରୀ । ଜିଲ୍ଲାପାଳ ସରୋଜ କୁମାର ସେଠି ମଧ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ପଟ୍ଟନାୟକଙ୍କୁ ତାଗିଦ କରିଥିଲେ । ଏପରିକି କ୍ୱାଟର୍ସ ସମ୍ପର୍କରେ କୌଣସି ତଥ୍ୟ ଅଧିକ୍ଷଣ ଯନ୍ତ୍ରୀଙ୍କ ପାଖରେ ନଥିବା ନେଇ ମନ୍ତ୍ରୀ ତାଙ୍କୁ ତାଗିଦ କରିଥିଲେ ।
ତେବେ ଆବଶ୍ୟକତା ଅନୁସାରେ କ୍ୱର୍ଟର୍ସ ଯୋଗାଇ ଦେବାକୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ସହ କାମରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
Comments are closed.