Latest Odisha News

BREAKING NEWS

ବିଦେଶରେ ରାହୁଲଙ୍କ ‘ମନ୍ କୀ ବାତ୍’, କହିଲେ ଚୀନର ଅନୁପ୍ରବେଶ ପ୍ରସଙ୍ଗ ସଂସଦରେ ଉଠାଇ ହେଉନି

ଲଣ୍ଡନ: ବିଦେଶ ଗସ୍ତରେ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ନିଜର ‘ମନ୍ କୀ ବାତ୍’ କରି କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ କରୁଛନ୍ତି। ଏହି କ୍ରମରେ ନିକଟରେ ଯେଉଁ ବିବିସି ଅଫିସରେ ଆୟକର ଟିମ୍ ରେଡ୍ କରିଥିଲା ତାକୁ ନେଇ ଲଣ୍ଡନରେ ରାହୁଲ ଗାନ୍ଧୀ ମତ ରଖିବା ସହିତ ଚୀନର ଅନୁପ୍ରବେଶ ପ୍ରସଙ୍ଗ ସଂସଦରେ ଉଠାଇ ହେଉ ନାହିଁ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ସଂସଦରେ ଚୀନର ଅନୁପ୍ରବେଶ ପ୍ରସଙ୍ଗ ଉଠାଇବା ପାଇଁ ବିରୋଧୀଙ୍କୁ ଅନୁମତି ଦିଆଯାଉନାହିଁ। ଲଣ୍ଡନର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ସରକାର ଦେଶରେ ବିରୋଧୀଙ୍କ ଧାରଣାକୁ ଅନୁମତି ଦିଅନ୍ତି ନାହିଁ। ବାସ୍ତବରେ ଏହା ଲଜ୍ଜାଜନକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଭାରତ ଏକ ସ୍ୱାଧୀନ ଦେଶ, ଏମିତି ଏକ ଦେଶ ଯେଉଁଠି ବୁଦ୍ଧିମତାକୁ ନେଇ ଗର୍ବ କରୁ ଏବଂ ପରସ୍ପରକୁ ସମ୍ମାନ ଦେଉ। ଏହାକୁ ନଷ୍ଟ କରିଦିଆଯାଇଛି। ଏହାର କାହାଣୀ ଆପଣ ଗଣମାଧ୍ୟମରେ ଦେଖିପାରିବେ। ତେଣୁ ଆମେ ଭାରତ ଯୋଡ଼ୋ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ସେ ଏହି କାର୍ଯ୍ୟକ୍ରମରେ କହିଛନ୍ତି।

ବିରୋଧୀଙ୍କ କୌଣସି ଧାରଣାକୁ ଗୃହରେ ଆଲୋଚନା ହେବାକୁ ନଦେବା ଅଭିଯୋଗରେ ଓ୍ୱାୟନାଡ୍ ସାଂସଦ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ସେ କହିଛନ୍ତି, ସାରା ଦେଶରେ ସ୍ୱରକୁ ଚାପି ଦେବାକୁ ଉଦ୍ୟମ ହେଉଛି। ବିବିସି ଏହାର ଏକ ଉଦାହରଣ। ଗତ 9 ବର୍ଷ ହେବ ଭାରତରେ ଏଭଳି ଘଟଣା ଘଟୁଛି। ସେମାନଙ୍କୁ ଆକ୍ରମଣ କରାଯାଉଛି ଏବଂ ସରକାରଙ୍କ କଥା କହୁଥିବା ସାମ୍ବାଦିକଙ୍କୁ ପୁରସ୍କାର ଦିଆଯାଉଛି। ଏହା ଏକ ଢାଞ୍ଚାରେ ପରିଣତ ହୋଇଗଲାଣି। ଯଦି ବିବିସି ସରକାରଙ୍କ ବିରୋଧରେ ଲେଖିବା ବନ୍ଦ କରେ ତେବେ ସବୁକିଛି ସ୍ୱାଭାବିକ ହୋଇଯିବ।

ଏହା ପୂର୍ବରୁ ସେ ଅଭିଯୋଗ କରିଥିଲେ ଯେ ଭାରତୀୟ ଗଣତାନ୍ତ୍ରିକ ଢାଞ୍ଚା ଉପରେ ବର୍ବର ଆକ୍ରମଣ ହେଉଛି ଏବଂ ଦେଶ ପାଇଁ ଏକ ବିକଳ୍ପ ଦୃଷ୍ଟିଭଙ୍ଗୀକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକାଠି ହେବା ପାଇଁ ଆଲୋଚନା ଚାଲିଛି। ଅନୁଷ୍ଠାନିକ ଢାଞ୍ଚା, ନ୍ୟାୟପାଳିକା, ଚାରିଆଡେ ସଂସଦ ଉପରେ ଆକ୍ରମଣ ହେଉଛି ଏବଂ ଲୋକଙ୍କ ସମସ୍ୟାକୁ ସାଧାରଣ ପ୍ରକ୍ରିୟାରେ ରଖିବାରେ ଆମକୁ ବହୁତ ଅସୁବିଧା ହେଉଥିଲା।

ସେ କହିଛନ୍ତି, ବିଜେପି ଚାହୁଁଛି ଭାରତ ଚୁପ୍ ରହୁ… କାରଣ ସେମାନେ ଭାରତର ଯାହା ଅଛି ତାହା ନେଇ ନିଜର ଘନିଷ୍ଠ ବନ୍ଧୁମାନଙ୍କୁ ଦେବାକୁ ଚାହୁଁଛନ୍ତି। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏବଂ ତା’ପରେ ଭାରତର ସମ୍ପତ୍ତିକୁ ତିନି, ଚାରି, ପାଞ୍ଚ ଜଣଙ୍କୁ ହସ୍ତାନ୍ତର କରିବା ପାଇଁ ବିଚାର କରାଯାଉଛି।

Leave A Reply

Your email address will not be published.