ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ପରିବର୍ତନ ଘନଘନ
ଭାଷାର ପ୍ରଧାନ ଲକ୍ଷଣ
ଯେହେତୁ କିଛି ନୁହେ ସ୍ଥିର
ସବୁ ବଦଳେ ବାରଂବାର
ସୁଯଶା ପଂଡିତ ପ୍ରବର
କେହି ବି ନୁହଂତି ଅମର
ସଭିଏଁ ହୋଇ କାଳାଧୀନ
ସଂସାରେ ବିତାଂତି ଜୀବନ
ଉତ୍ତମ କାମ ଥିଲେ କରି
ମଣିଷ ହୁଏ ଯଶଧାରୀ
କୃତି ମୁଖ୍ଯ ଓ କର୍ତା ଗୌଣ
ଏ ସତ୍ୟ ଲୋଡ଼େନି ପ୍ରମାଣ
ମିଛର ବହୁରୂପୀ ବେଶ
କରେ ସତ୍ୟର ସତ୍ତାନାଶ
ସତ୍ୟ ତ ଅଗ୍ନିକଣା ଭଳି
ମିଥ୍ୟାରଣ୍ୟକୁ ପାରେ ଜାଳି
ଶାସ୍ତ୍ରକୁ କରିଦେଲେ ଶସ୍ତ୍ର
ଦୁର୍ଲଭ ହୁଏ ଅନ୍ନ, ବସ୍ତ୍ର
ବିଦ୍ୟାକୁ କରିଲେ ବିବାଦ
ମନକୁ ଘାରେ ଅବସାଦ
ସ୍ବାନୁଭୂତିରୁ ପ୍ରାପ୍ତ ଜ୍ଞାନ
ପ୍ରକୃତ ସତ୍ୟ ବୋଲି ମାନ
ଗଲେ ବି କେଣେ କାହିଁ ହଜି
ରହଇ ସ୍ମୃତିରେ ବିରାଜି
ମନର ଭ୍ରମଣ ସ୍ମରଣ
ଦେହର ଘଟଇ ମରଣ
ତତ୍କାଳୀନକୁ ଚିରଂତନ
ଭାବିବା ଅଟେ ଅକାରଣ
ସ୍ବଦେହ ଅଟେ ପୂର୍ଣବିଶ୍ବ
ହେଲେ ହୁଏନି କେବେ ନିଃସ୍ବ
ଯାହାକୁ କହୁଛୁଁ ନିଜର
ତାହା ତ ଅଟେ ସଭିଂକର
ଯାହା ପାଇଛୁଁ ତାହା ଦେଇ
ମୁଁତ୍ବ ସଂଭାଳି ରହୁଁ ଜିଇଁ
ଏ ସାମୟିକ ଅବସ୍ଥାନ
କାଳସାଗରେ ହୁଏ ଲୀନ
ହାସର ଅଂତ ଇତିହାସ
ତାହା ତ ମୃତଂକ ନିବାସ
କରି ସତ୍ୟର ସତ୍ତାନାଶ
ଦେଖାଏ ଜାଂତବ ସାହସ
ମନୋଭାବକୁ ବିଶେଷଣ
ଭୂଷିତ କଲେ ଅକାରଣ
ଭାଷାର ପ୍ରତିଷ୍ଠା ସ୍ଥାପନ
ନିମଂତେ ଲାଗେ ବହୁ ଦିନ
ପାଳି ପୂର୍ବର ରୀତି, ବିଧି
ଭାଷାର ପଥ ଦେଲେ ରୁଂଧି
ହୁଏନି ପ୍ରଗତି, ସମୃଦ୍ଧି
ବୁଝୁନି ଆମ ମନ, ବୁଦ୍ଧି
ଭାଷାର ହେଲେ ଅବସାନ
ଥିଲେ ହେଁ ଯଶସ୍ବୀ ସୁଜନ
ଚଳଇ ଲିଖିତ ଲିଖନ
ଭାଷାର ମାନ ହୁଏ ନ୍ୟୂନ
ସ୍ମତିସଂପନ୍ନ ହେଲେ ମନ
ହାତକୁ ଆସୁଥାଏ ଧନ
ତାହାକୁ ଭାବିଲେ ଜୀବନ
ହେବନି ଆଦୌ ସମୀଚୀନ
ଏକାଠି ଆମେ କାମ କରୁଁ
କେହି ନୋହୁଁ କାହାର ଗୁରୁ
ମନରେ ଶିଷ୍ୟଭାବ ରଖି
ଯାଉଁ ମନ ଭାବନା ଲେଖି
ନ କହି, ଚୁପ୍ଚାପ୍ ରହି
ପାରିବା ସବୁ ସୁଖ ପାଇ
ନାକ ତ ପବନର ବାଟ
ପାଟିରେ ଲାଗିଛି କବାଟ
ଓଠ ଚଳାଇ ବେଳେବେଳେ
ବାଣୀ ଶୁଣାଏଁ ଇଚ୍ଛା ହେଲେ
ମୋ କଥା ଫଳେ କି ନ ଫଳେ
ଚିଂତା କରିନି କେବେ ତିଳେ
ଯାହା କରୁଛିଁ ଲେଖେଁ ତାହା
ଆତ୍ମଚରିତ ନୁହେ ଏହା
ଆତ୍ମାଚହଲା ସତ କଥା
ହେଉଛି ଏପରି କବିତା
ତୁଚ୍ଛ କଥାରେ ରହି ମାତି
ଉନ୍ନତି କରୁନାହିଁ ବ୍ୟକ୍ତି
ବିବାଦପ୍ରିୟ ଏହି ଜାତି
କରୁଛି ଆପଣାର କ୍ଷତି
ଜ୍ଞାନ, ବିଜ୍ଞାନ ବାହୀ ଭାଷା
ନ ହେଲେ ବଢ଼ିବ ଦୁର୍ଦଶା
କେବଳ ଭାବାଶ୍ରୟୀ ହୋଇ
ଭାଷାଟେ ତିଷ୍ଠି ପାରେନାହିଁ
ଏ ଛଂଦ ହୋଇ ଜନାଦୃତ
କରିଚାଲିଛି ଜନହିତ
ସୁକବି ଜଗନ୍ନାଥ ଦାସ
ଦେଲେ ଏ ଭାଷାକୁ ସାହସ
ତାଂକର ବାଟ ଅନୁସରି
ମୁଁ ଯାଏଁ ଏବେ କାମ କରି
ଏହି କାମରୁ କେହି ହିତ
ପାଇଲେ ହୁଏଁ ଆନଂଦିତ
Comments are closed.