Latest Odisha News

BREAKING NEWS

ଭାଷା ଭାଗବତ : ଅସହ୍ୟ ବିପତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ଅପରିଚିତ ଶବ୍ଦାବଳି
ବହିରୁ ବାଛି ନାନା ଭଳି
ଲେଖିଲେ ପାରେନାହିଁ ଚଳି
ଲେଖା ଉଦ୍ଦେଶ୍ଯ ପଡ଼େ ଟଳି

ଲେଖକ ଜ୍ଞାନ-ପ୍ରଦର୍ଶନ
ଆଡ଼କୁ ଦେଇ ବେଶି ମନ
କରିଲେ ସ୍ବକୃତି ଲିଖନ
ହୁଏ ମୁଖ୍ୟତଃ ଭାବହୀନ

ଶବ୍ଦର ଅର୍ଥ ଖୋଜି ଖୋଜି
ଶବ୍ଦାରଣ୍ୟରେ ଗଲେ ହଜି
ପାଠକ ହୁଏ ବୀତସ୍ପୃହ
କମେ ତା ପଢ଼ିବା ଆଗ୍ରହ

ଲେଖାର ଭାଷା ହେଲେ କ୍ଳିଷ୍ଟ
ପଠନାଗ୍ରହ ହୁଏ ନଷ୍ଟ
ପାଠକ ପାଏ ଯଦି କଷ୍ଟ
ହୁଏନି ସାହିତ୍ୟ ସଂଶ୍ଳିଷ୍ଟ

କିପରି ଅଧିକାଂଶ ଲୋକ
ପାଇବେ ସ୍ବଚ୍ଛ ଜ୍ଞାନାଲୋକ
ଏ କଥା ବୁଝିଲେ ଲେଖକ
ହେବେନି ଅଭିଧାନ ପୋକ

ଶବ୍ଦକୋଷରୁ ଶବ୍ଦ ନେଇ
ନିଜ ଲେଖାରେ ଦେଲେ ଥୋଇ
ହୁଏନି କାଳ ଉପଯୋଗୀ
ପାଠକ ହୁଏ ଭାଷାତ୍ୟାଗୀ

ପାଠକ ନ ଥିଲେ ସାହିତ୍ଯ
ପୁସ୍ତକ ହେଲେ ଅପଠିତ
ଭାଷାକୁ ଘୋଟଇ ଦୁଷ୍କାଳ
ମିଳଇ ବହୁ ପ୍ରତିଫଳ

ମନେ ପକାଇ ପୂର୍ବ କୃତି
ଉନ୍ନତି କରେନାହିଁ ଜାତି
ଅକାରଣେ ହୋଇଲେ କ୍ଷତି
ପଡ଼ଇ ଅସହ୍ୟ ବିପତ୍ତି

ଲେଖକେ ହୋଇ ସାବଧାନ
କରିଲେ ସାହିତ୍ଯ ଲିଖନ
ସଂଭବ ପୁନର୍ଜାଗରଣ
ଏ ଆଶା ନୁହେ ଭିତ୍ତିହୀନ

Comments are closed.