Latest Odisha News

ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ: ୪ ଗୁରୁତର

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ  । ଭୁଜାଲି ଓ ଗାଟାଳି ମାଡରେ ୪ ସେବାୟତ ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ସେବାୟତମାନେ ହେଲେ ଗୁଡିଆ ସାହିର ମଧୁସୂଦନ ପତ୍ରୀ, କାଶୀନାଥ ପ୍ରତିହାରୀ, ବଟକୃଷ୍ଣ ମହାପାତ୍ର ଓ ରାଜନ ପୂଜାପଣ୍ଡା।

ଆହତ ମଧୁସୂଦନ ପତ୍ରୀଙ୍କ କହିବା ଅନୁଯାୟୀ, ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ସେବାୟତଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଗତକାଲି ରାତିରେ କିଛି ସେବାୟତ ଶଙ୍କରେଶ୍ବର ପୀଠରେ  ଭୋଜି କରୁଥିଲେ । ବିଳିମ୍ବିତ ରାତିରେ ଭୋଜି କରି ଫେରିବାବେଳେ କାଶୀନାଥଙ୍କ ଘର ସମ୍ମୁଖରେ ପ୍ରାୟ ୧୫ ଜଣ ଯୁବକ ତାଙ୍କୁ ଘେରି ଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ସେମାନଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିଥିଲେ । ଭୁଜାଲି ଚୋଟରେ ସେବାୟତ ମଧୁସୂଦନ ପତ୍ରୀ ଆହତ ହୋଇଥିଲେ ।

ପରେ ଆକ୍ରମଣକାରୀମାନେ ଗୋଟାଳିରେ ସେବାୟତଙ୍କୁ ପିଟିଥିଲେ । ଗୋଟାଳିମାଡରେ ଅନ୍ୟ ୩ ଜଣ ଆହତ ହୋଇଥିଲେ । ସମସ୍ତ ଆହତ ଏବେ ପୁରୀ ବଡ ମେଡିକାଲରେ ଅଛନ୍ତି । ଭୁଜାଲି ମାଡରେ ମଧୁସୂଦନଙ୍କ ବାଗ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀ ମାନେ ଶ୍ରୀମନ୍ଦିରରେ ଗୁମାସ୍ତା ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡ଼ିଛି।

Comments are closed.